ବାଲେଶ୍ୱରରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଉତାପ ବଢିବ । ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସହିତ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସବୁଠାରୁ ଅଧିକ ଉତପ୍ତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍ତି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଆଜି ଓପରବେଳା ଠାରୁ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ୧୬ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବଜ୍ରପାତ ଏବଂ ପବନ ବୋହିବା ସହିତ ବର୍ଷା ହେବାର ଆଶଙ୍କା ରହିଛି । ଅନ୍ୟଏକ ଖବରରୁ ପ୍ରକାଶ, ବାଲେଶ୍ୱରରେ ଆଜି ଦିନ ପ୍ରାୟ ସାଢେ ୩ଟା ବେଳେ ଅଚାନକ୍ କାଳବୈଶାଖୀ ଯୋଗୁଁ ଘଡଘଡି ଚଡଚଡି ସହିତ ବର୍ଷାରେ ସମଗ୍ର ସହରକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ରାଜ୍ୟର ୪ ସହର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି । ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ଆଉ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଅର୍ଥାତ କିଛି ଦିନରେ ରାଜ୍ୟର ତାପମାତ୍ରା ୪୩ରୁ ୪୪ ଡିଗ୍ରି ଛୁଇଁଯିବ । ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡଠାରେ ୪୦.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରି, ବାରିପଦା ଓ ଝାରସୁଗୁଡା ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା । ରାଜ୍ୟରେ ଆସନ୍ତା କାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୁରଭଞ୍ଜ, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏହି ୧୬ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଫଳରେ ଉକ୍ତ ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଏହି ସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଳବୈଶାଖୀ କାରଣରୁ ଉକ୍ତ ଜିଲ୍ଲାଗୁଡିକରେ ସାମୟିକ ସମୟ ପାଇଁ ତାପମାତ୍ରା କମିବ । କିନ୍ତୁ ଅନ୍ୟ ଜିଲ୍ଲାଗୁଡିକରେ ତାତି ବଢିଚାଲିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶିଷ୍ଟ ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଜି ରାଜ୍ୟକୁ ପଶ୍ଚିମା ଗରମ ପବନ ସିଧା ପ୍ରବାହିତ ହୋଇ ବଙ୍ଗୋପସାଗରକୁ ବିସ୍ତୃତ ହୋଇଛି । ସାମୁଦ୍ରିକ ପବନ ନିଷ୍କ୍ରିୟ ହୋଇଯାଇଛି । ଲଣୁ ଏବେ ରାଜ୍ୟରେ ପାଗ ଖରାଟିଆ ଓ ଆକାଶ ମେଘମୁକ୍ତ ରହିବ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ଅବସ୍ଥା ଜାରି ରହିବ । ଫଳରେ ସାରା ରାଜ୍ୟରେ ତାପମାତ୍ରା ବଢିବ ବୋଲି ଆଶଂଙ୍କା କରାଯାଉଛି । ବାଲେଶ୍ୱରରେ କାଳବୈଶାଖୀ ବର୍ଷା

Leave A Reply

Your email address will not be published.

five × two =