ଭୁବନେଶ୍ୱର : ବ୍ୟକ୍ତିର ବିକାଶ ହିଁ ରାଷ୍ଟ୍ର ନିର୍ମାଣର ଆଧାର ହେବା ଦରକାର । ପ୍ରଗତି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତି ବିକାଶଧାରାକୁ ପ୍ରୟୋଗ କରିବା ଆବଶ୍ୟକ । ଭାରତ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହୋଇଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ରାଜଭବନରେ ଆର ପି. ଗୁପ୍ତାଙ୍କ ଦ୍ୱାରା ଲିଖିତ ଫଟର୍ଣ୍ଣ ଆରାଉଣ୍ଡ ଇଣ୍ଡିଆ ୨୦୨୦’ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦିତାମୂଳକ ପରିସ୍ଥିତି ଯେତିକି ଆହ୍ୱାନ ଦେଇଛି, ସେତିକି ସୁଯୋଗ ସୃଷ୍ଟି ମଧ୍ୟ କରିଛି । ଆହ୍ୱାନକୁ ସୁଯୋଗରେ ପରିଣତ କରିବା ପାଇଁ ଭାରତର ଶକ୍ତି ଓ ସାମର୍ଥ୍ୟ ରହିଛି । ଓଡ଼ିଶାରେ ମିଶନ ଶକ୍ତି ମାଧ୍ୟମରେ ଏକ ଅର୍ଥନୈତିକ ବିପ୍ଳବ ସଂଘଟିତ ହୋଇଛି । ଓଡ଼ିଶାର ପାରମ୍ପରିକ ଉତ୍ପାଦିତ ସାମଗ୍ରୀ ଠିକଣା ଭାବରେ ଉପସ୍ଥାପନ କରିପାରିଲେ ଓଡ଼ିଶାର ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଛନ୍ତି ।
ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସ୍ୱାଧୀନତା ପରବର୍ତୀ ଭାରତୀୟ ଅର୍ଥନୀତିର ଉତ୍ସାହଜନକ ଅଭିବୃଦ୍ଧିର ଆକଳନ କରି ଓଡ଼ିଶାର ପ୍ରଗତିର ରୂପରେଖ ସଂପର୍କରେ ସୂଚନା ଦେଇଥିଲେ । ପୁସ୍ତକର ଲେଖକ ଆର.ପି. ଗୁପ୍ତା ପୁସ୍ତକ ସଂପର୍କରେ ବିଷଦ ସୂଚନା ଦେବା ସହ ଅର୍ଥନୀତିର ଅଭିବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ଦୃଢ଼ ଓ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ନେବାକୁ ମତ ରଖିଥିଲେ । ପୁସ୍ତକର ସଂପାଦକ ଅଶୋକ କୁମାର ପଣ୍ଡା ପୁସ୍ତକରେ ସନ୍ନିବେଶିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଅକ୍ଷୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ବହୁ ବିଦ୍ୱାନ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।