ନୂଆଦିଲ୍ଲୀ,୧୪ ।୦୬(ଏଜେନ୍ସି): ବିଦ୍ୟୁତକରଣ ହୋଇଥିବା ରେଳଧାରଣାରେ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ଉପକରଣ (ଓଏଚଇ)ରେ ସଫଳତା ପୂର୍ବକ ଦୁଇ ଥାକିଆ ମାଲବାହୀ କଂଟେନର ପରିବହନ କରି ଭାରତୀୟ ରେଳବାଇ ଏକ ନୂଆ ବିଶ୍ୱ କିର୍ତୀମାନ ପ୍ରତିଷ୍ଠା କରିଛି । ପଶ୍ଚିମ ରେଳବାଇ କ୍ଷେତ୍ର ଅନ୍ତର୍ଗତ ଏହି ରେଳମାର୍ଗରେ ପ୍ରାୟ ୭.୫୭ ମିଟର ଉଚ୍ଚତାରେ ସମ୍ପର୍କ ବିଦ୍ୟୁତତାର ଯାଇଛି । ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ସମଗ୍ର ବିଶ୍ୱରେ ପ୍ରଥମ । ଏହା ଭାରତୀୟ ରେଳବାଇର ମହତ୍ୱାକାଂକ୍ଷୀ ସବୁଜ ପ୍ରୟାସକୁ ପ୍ରୋତ୍ସାହନ ଦେବ । ଏହି ଉଲ୍ଲେଖନୀୟ ଘଟଣାକ୍ରମ ସହିତ ଭାରତୀୟ ରେଳବାଇ ବିଶ୍ୱର ପ୍ରଥମ ରେଳବାଇ ଭାବେ ସଫଳତା ପୂର୍ବକ ଦୁଇଥାକିଆ କଂଟେନର ଟ୍ରେନ ଚଳାଚଳ କରିବାର ସୌଭାଗ୍ୟ ହାସଲ କରିଛି । ଅଧିକ ଉଚ୍ଚତାରେ ବିଦ୍ୟୁତ ତାର ଯାଇଥିବା ଓଏଚଇ ରେଳମାର୍ଗ, ଗୁଜରାଟର ପାଲନପୁର ଏବଂ ବୋତାଡ଼ ଷ୍ଟେସନ ମଧ୍ୟରେ ଏହି ଟ୍ରେନ ଗତ ୧୦ ତାରିଖରେ ସଫଳତା ପୂର୍ବକ ଚଳାଚଳ କରିଥିଲା ।
ଏଭଳି ପ୍ରୟାସ ମାଲ ପରିବହନ କ୍ଷେତ୍ରରେ ନବୋନ୍ମେଷ, ଗତି ଓ ଅନୁକୂଳନକୁ କାର୍ଯ୍ୟକାରୀ କରିବା ପ୍ରତି ରେଳବାଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । କୋଭିଡ ଲକଡାଉନ କାରଣରୁ ହୋଇଥିବା କ୍ଷତି ସତ୍ୱେ ରେଳ ମନ୍ତ୍ରଣାଳୟ ଗତବର୍ଷର ମାଲ ପରିବହନ ରେକର୍ଡକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱ ଦେଉଛି ।
ସାରା ଦେଶରେ ବାଧାମୁକ୍ତ ୨୪ ଘଂଟିଆ ମାଲ ପରିବହନ ସେବା ଜରିଆରେ ଭାରତୀୟ ରେଳବାଇ ଏପ୍ରିଲ ପହିଲାରୁ ଜୁନ ୧୦ ତାରିଖ ମଧ୍ୟରେ ୧୭୮.୬୮ ନିୟୁତ ଟନ ସାମଗ୍ରୀ ପରିବହନ କରିଛି ।
ସାରା ଦେଶରେ ଯୋଗାଣ ଶୃଙ୍ଖଳକୁ କାର୍ଯ୍ୟକ୍ଷମ ରଖିବା ଲାଗି ମାର୍ଚ୍ଚ ୨୪ ତାରିଖରୁ ଜୁନ ୧୦ ତାରିଖ ମଧ୍ୟରେ ୩୨.୪୦ ଲକ୍ଷ ୱାଗନ ସାମଗ୍ରୀ ଯୋଗାଣ କରାଯାଇଛି । ଏଥିମଧ୍ୟରୁ ୧୮ ଲକ୍ଷ ୱାଗନରେ ଖାଦ୍ୟଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ ଓ ପନିପରିବା, ପେଟ୍ରୋଲିୟମ ଉତ୍ପାଦ, କୋଇଲା ସାର ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଛି ।
ଏପ୍ରିଲ ପହିଲାରୁ ଜୁନ ୧୦ ତାରିଖ ମଧ୍ୟରେ ରେଳବାଇ ୧୨.୭୪ ନିୟୁତ ଟନ ଖାଦ୍ୟଶସ୍ୟ ଲୋଡ କରିଛି ଯାହାକି ଗତବର୍ଷର ଏହି ଅବଧିରେ ଲୋଡ ହୋଇଥିବା ୬.୭୯ ନିୟୁତ ଟନ ଖାଦ୍ୟଶସ୍ୟ ତୁଳନାରେ ଅଧିକ ।
ଏହାଛଡ଼ା ମାର୍ଚ୍ଚ ୨୨ରୁ ଜୁନ ୧୦ ତାରିଖ ମଧ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ମୋଟ ୩୮୯୭ ପାର୍ସଲ ଟ୍ରେନ ଚଳାଚଳ କରାଯାଇଥିବା ବେଳେ ଏଥିମଧ୍ୟରୁ ୩୭୯୦ ସମୟ ସାରଣୀ ଟ୍ରେନ । ଏସବୁ ପାର୍ସଲ ଟ୍ରେନରେ ମୋଟ ୧,୩୯,୧୯୬ ଟନ ସାମଗ୍ରୀ ପରିବହନ କରାଯାଇଛି ।