ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି । ଭୁବନେଶ୍ୱରଠାରେ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ଆଇଏମଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଛି । ଏହି ପ୍ରଦର୍ଶନୀକୁ ଲୋକାର୍ପଣ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ’ ପାଇଁ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେଇଛନ୍ତି । ସମ୍ମିଳନୀର ବିଷୟବସ୍ତୁ ରହିଛି, ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’ । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣିଂ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବ । ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ । ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଛି । ଜିଲ୍ଲାଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଓ ଅପ-ସ୍କିଲିଂ ର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଶ କରି ସବୁଠି ପହଞ୍ଚାଇବା ଉପରେ ଆଲୋଚନା ହେବ । ଆଜି ଅନୁଷ୍ଠିତ ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନି ଓ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

fifteen − seven =