ମହାନଦୀରେ ବଡ ବନ୍ୟା!


ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟର ଉପକୂଳ ଅଞ୍ଚଳରେ ନାହିଁ ନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯିବା ଯୋଗୁଁ ଉପକୂଳ ଓଡିଶାରେ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ଜଳ ଭଣ୍ଡାରର ଜଳ ପତନ ୬୨୬.୮୧ ଫୁଟ ରେ ପହଞ୍ଚିଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮,୮୦,୯୪୮ ଘନ ଫୁଟ ଜଳ ପ୍ରବେଶ କରୁଥିଲା ବେଳେ ୪୬ଟି ଗେଟ୍ ଦ୍ୱାରା ୭,୨୮,୨୮୫ ଘନ ଫୁଟ ଜଳ ନିଷ୍କାସିତ ହେଉଛି । ଏହାର ପ୍ରଭାବରେ ସମ୍ବଲପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ବଡ ଧରଣର ବନ୍ୟା ଆଶଙ୍କା ଦେଖା ଦେଇଛି । ଆସନ୍ତା କାଲି ସକାଳ ୫ଟା ସୁଦ୍ଧା ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ଚିବ । ଏବେ ମୁଣ୍ଡଳିରେ ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ୯,୪୧, ୨୩୦ ଘନ ଫୁଟ ଜଳ ପ୍ରବାହିତ ହେଉଛି । ଆସନ୍ତାକାଲିକ ସକାଳ ସୁଦ୍ଧା ୧୧ଲକ୍ଷରୁ ଅଧିକ ଘନଫୁଟ ଜଳ ପ୍ରବାହିତ ହେବା ଆଶଙ୍କା ରହିଛି । ଫଳରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡିକ ଅବବାହିକାରେ ବଡ ଧରଣର ବନ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଆଗକୁ ପୂର୍ଣ୍ଣିମା ଥିବାରୁ ଏବଂ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମୂଦ୍ର ଜଳ ନଟାଣିବା ଯୋଗୁଁ ପରିସ୍ଥିତି ଆହୁରୀ ସଙ୍ଗିନ ହୋଇପାରେ ବୋଲି କୁହାଯାଇଛି ।
ଲଘୁଚାପଜନିତ ଲଗାଣ ବର୍ଷା ପରେ ଏବେ ରାଜ୍ୟର ଉପକୂଳ ବର୍ତୀ ଅଞ୍ଚଳ ଗୁଡିକର ପାଗ ସୁଖିଲା ଏବଂ ମେଘ ମୁକ୍ତ ଥିବା ସତ୍ୱେ ପ୍ରଳଙ୍କାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳ ଯୋଗୁଁ ସମ୍ବଲପୁର ସହରର ତଳିଆ ଅଞ୍ଚଳ ଜଳପ୍ଲାବିତ ହୋଇଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ହଜାର ହଜାର ଚାଷ ଜମି ଜଳମଗ୍ନ ହୋଇଯାଇଛି । ବହୁ ଗ୍ରାମ ବନ୍ୟା ଜଳ ଘେରରେ ରହିବା ଯୋଗୁୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସେହିପରି ନୟାଗଡର ଖାଲୁଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ବାଙ୍କୀର ଗୟଳବାଙ୍କ ନିକଟରେ ଏକ ଘାଇ ଯୋଗୁଁ ହଜାର ହଜାର ଚାଷ ଜମି ବୁଡି ଯାଇଥିଲା ବେଳେ ବହୁ ଗ୍ରାମ ଜଳବନ୍ଦି ହୋଇ ରହିଛି । ବନ୍ୟାର ପ୍ରକୋପରେ ବିଶେଷ କରି ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଖାଲୁଆ ଅଞ୍ଚଳ ପ୍ରବାହିତ ହେବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ସାମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ୩୨ଟି ଏନଡିଆରଏଫ୍ ଓ ଓଡ୍ରାଫ ଟିମ୍ ସହ ୧୦୦ଟି ଅଗ୍ନିଶମ ବାହୀନି ଟିମ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ମୁତୟନ କରାଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୬ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୬ଟି ପ୍ରଭାବିତ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଡି.କେ.ସିଂଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିଲା ବେଳେ ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭି.ଭି. ଯାଦବଙ୍କୁ ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାଞ୍ଚଳର ଆରଡିସି ଅଶ୍ୱନୀ ସାମଲଙ୍କ ଉପରେ ପୁରୀର ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାହ୍ମଣୀ, ବୈତରଣୀ, ବୁଡାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ଆଦି ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ଜଳ ହ୍ରାସ ପାଉଥିବା ବେଳେ ଏବେ ବି ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାର ହଜାର ହଜାର ଗ୍ରାମ ଜଳବନ୍ଦି ଘେରରରେ ରହିଛି । ବନ୍ୟା ଜଳ ହ୍ରାସ ପାଇଥିଲେ ମଧ୍ୟ ଲୋକଙ୍କ ଦୁର୍ଦଶା କମିନାହିଁ । ଓଡିଶା ସରକାରଙ୍କ ତଥ୍ୟ ଅନୁସାରେ ଚଳିତ ବନ୍ୟା ଯୋଗୁଁ ରାଜ୍ୟରେ ୧୦ଟି ଜିଲ୍ଲାର ୫୪ଟି ବ୍ଲକର ୧୨୭୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହି ୧୦ଟି ଜିଲ୍ଲା ହେଲା କଟକ, ଜଗତସିଂହପୁର, ପୁରୀ, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ବଲାଙ୍ଗୀର, ଯାଜପୁର ।ମହାନଦୀରେ ବଡ …..
ପ୍ରାୟ ୪୧୫୮୧୭ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୭୫୭ଟି ଘର ଭାଙ୍ଗିଯାଇଛି । ପ୍ରାୟ ୫୫୨ଟି ଗ୍ରାମର ୩୮୩୦୪୬ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ମିିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବନ୍ୟା ଓ ବର୍ଷାରେ ୧୨ଜଣଙ୍କର ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଆଜି ଜଳମଗ୍ନ ହୋଇଛି । ଆଜି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୫ରୁ ଅଧିକ ଘାଇ ସୃଷ୍ଟି ହୋଇ ୫ଟି ବ୍ଲକ ବରୀ, ବିଂଝାରପୁର, ରସୁଲପୁର, ଯାଜପୁର ଓ ସୁକିନ୍ଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚି । ଶହ ଶହ ଗ୍ରାମ ପାଣି ଘେରରେ ଥିବା ବେଳେ ଅନେକ ରାସ୍ତା ଘାଟ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । ଗତକାଲି ବୈତରଣୀ ଓ ଶାଖା ନଦୀରେ ୩ଟି ଘାଇ ସୃଷ୍ଟି ହୋଇ ୩ଟି ବ୍ଲକ ଦଶରଥପୁର, ଯାଜପୁର ଓ କୋରେଇ ପ୍ରଭାବିତ ହୋଇଥିଲା । ପ୍ରାୟ ୨୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବ୍ରାହ୍ମଣୀ ବନ୍ୟାରେ ଯାଜପୁର ଜିଲ୍ଲାର ବରୀ ଓ ରସୁଲପୁର ବ୍ଳକରେ ପାଖାପାଖି ୧୫ଟି ଘାଇ ସୃଷ୍ଟି ହୋଇଥିଲା । ହେଲେ ଗତକାଲି ରାତିରେ ବ୍ରାହ୍ମଣୀର ଶାଖା କେଲୁଅ ନଦୀର ଧର୍ମଶାଳା-କଦମପାଳକୁ ସଂଯୋଗ କରୁଥିବା ନଦୀ ବନ୍ଧର ରମାପୁର ଠାରେ ଏବଂ ଦେଓଦା ପଞ୍ଚାୟତର ବାସୁଦେବପୁର ଠାରେ ଦୁଇଟି ଘାଇ ସୃଷ୍ଟି ହୋଇଛି । ଏହିପରି ଜିଲ୍ଲାରେ ମୋଟ ୨୬ଟି ଘାଇ ହୋଇଛି । ଫଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଜିଳ୍ଲାର ୧୩୦ ଗ୍ରାମପଞ୍ଚାୟତର ୫୫୦ ଗାଁର ୪ ଲକ୍ଷ ୫୦ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ୨୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଘାଇ ସୃଷ୍ଟି ହେବା ଦ୍ୱାରା ଧର୍ମଶାଳା ବ୍ଲକର ଅରେଇକଣା, ପଟୁନିଆ, କଦମପାଳ, ଉତରପ୍ରଦାପ, ମଙ୍ଗଳପୁର, ଦେଓଦା ଆଦି ପଞ୍ଚାୟତ ବିଶେଷ ଭାବରେ ପ୍ରଭାବିତ ହୋଇଛି । ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ ଜେନାପୁର ଠାରେ ଏବେ ବି ବିପଦ ସଙ୍କେତର ୩ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

Leave A Reply

Your email address will not be published.

nine + 20 =