ମାଟ୍ରିକରେ ୯୭.୮୯% ପାସ୍

କଟକ: ବହୁ ଆକାଂକ୍ଷିତ ମାଟ୍ରିିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ଫଳ ଘୋଷଣା କରି କହିଛନ୍ତି ଯେ, ମୋଟ୍ ୫,୭୪,୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ କରିଛନ୍ତି । ସେହିପରି ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪୪୧୨ ପିଲା ଅନୁପସ୍ଥିତ ଥିଲା ବେଳେ ୨୨୫୬ଜଣ ଛାତ୍ରଛାତ୍ରୀ ମାନଙ୍କ ମାର୍କ ସ୍କୁଲ ଦେଇନାହିଁ । ପରୀକ୍ଷାରେ ମୋଟ୍ ୨,୮୦,୩୫୨ଜଣ ଛାତ୍ର କୃତ କାର୍ଯ୍ୟ ହୋଇଥିଲା ବେଳେ ୨,୮୧,୬୫୮ଜଣ ଛାତ୍ରୀ କୃତ କାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀମାନେ ବାଜି ମାରି ନେଇଛନ୍ତି ।
ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨,୬୫୬ଜଣ ଗ୍ରେଡ-ଏ-୧ ରେ ପାସ୍ କରିଥିଲା ବେଳେ ୨୨,୧୩୧ଜଣ ଏ-୨,୫୨୨୯୯ଜଣ ବି-୧, ୯୪୪୭୫ ଜଣ ବି-୨ ଗ୍ରେଡ୍‌ରେ ପାସ୍ କରିଛନ୍ତି ।
ସେହିପରି ଚଳିତ ବର୍ଷ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନଙ୍କ ପାସ୍ ହାର ୮୮.୩୩% ରହିଛି । ମୋଟ୍ ୫୩,୨୭୯ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୪୭,୦୬୦ଜଣ ପାସ୍ କରିଛନ୍ତି । ମଧ୍ୟମାରେ ପରୀକ୍ଷାରେ ୯୦.୦୨% ଛାତ୍ରଛାତ୍ରୀ କୃତ କାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ମୋଟ୍ ୪୭୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୪୬୨୨ଜଣ ପାସ୍ କରିଛନ୍ତି । ଓଡିଶା ମାଡ୍ରାସ ବିଦ୍ୟାଳୟରେ ମୋଟ୍ ୨୧୨ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲା ବେଳେ ସମସ୍ତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମାଡ୍ରାସ ରେଜାଲ୍ଟ ଶତ ପ୍ରତିଶତ ହୋଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଚଳିତ ବର୍ଷ ୧୨,୨୮୫ଜଣ ପାଠ ପଢୁଥିଲା ବେଳେ ସେମାନଙ୍କ ୫,୪୭୩ଜଣ ଫର୍ମ ପୂରଣ କରିଥିଲେ । ତେବେ ୪,୭୧୨ଜଣ ପରୀକ୍ଷା ଦେଇଥିଲେ । ଓଡିଶା ମୁକ୍ତ ବିଦ୍ୟାଳୟ ଓ ପ୍ରତବିନିମୟ ପାଠ୍ୟ କ୍ରମରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇନି । ସେମାନଙ୍କର କୌଣସି ନମ୍ବର ମିଳିନଥିବାରୁ ପରୀକ୍ଷା ଫଳକୁ ସ୍ଥଗିତ ରଖାଯାଇଛି ।
ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ଚଳିତ ବର୍ଷ ୫୯୪୫ବିଦ୍ୟାଳୟରେ ଶତପ୍ରତିଶତ ରେଜାଲ୍ଟ ହୋଇଥିଲା ବେଳେ କୌଣସି ବିଦ୍ୟାଳୟ ଶୂନ (୦) ରେଜାଲ୍ଟ କରିନାହିଁ । ତେବେ ପରୀକ୍ଷା ଫଳରେ ଯେଉଁମାନେ ଅସନ୍ତୁଷ୍ଟ ହେବେ ସେମାନେ ଆସନ୍ତା ଜୁଲାଇ ୫ତାରିଖ ଦିନ ଫର୍ମପୂରଣ କରିପାରିବେ । ପରିସ୍ଥିତି ସୁଧୁରିଲେ ପରୀକ୍ଷା ଦେବେ । ତେବେ ଯୁକ୍ତ -୨ ନାମ ଲେଖାରେ ସେମାନଙ୍କ କୌଣସି ଅସୁବିଧା ହେବନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଆଜି ବୋର୍ଡ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଦାସଙ୍କ ସହ ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ, ବୋର୍ଡର ସଭାପତି ରାମଶିଷ୍ ହଜାରା ଏବଂ ସମ୍ପାଦକ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ସନ୍ଧ୍ୟା ୬ଟା ଠାରୁ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ଏବଂ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭ ୱେବ୍‌ସାଇଟ୍‌ରେ ସେମାନଙ୍କ ମାର୍କ ଜାଣିପାରିବେ । ସେହିପରି ଝଗଝ ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ସେମାନଙ୍କୁ ମୋବାଇଲ୍‌ରେ ଙଜ୦୧ ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଝଗଝ କରିବାକୁ ହେବ ।
ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଚଳିତ ବର୍ଷ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷା ଫଳାଫଳ ନିର୍ଣ୍ଣୟ କରିବା ପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା । ମାଟ୍ରିକ (ରେଗୁଲାର) ପରୀକ୍ଷାର୍ଥୀଙ୍କ ପାଇଁ ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀରେ ହୋଇଥିବା ଚାରୋଟି ଅଭ୍ୟାସ ପରୀକ୍ଷାରୁ ଶେଷ ତିନୋଟି ଅର୍ଥାତ୍ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଥିଲା । ନବମ ଶ୍ରେଣୀ ପାଇଁ ୪୦ ପ୍ରତିଶତ ୱେଟେଜ ଓ ଦଶମ ପରୀକ୍ଷା ପାଇଁ ୬୦ ପ୍ରତିଶତ ୱେଟେଜ ଦେବାକୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ । ନବମ ଶ୍ରେଣୀର ଦୁଇଟି ପରୀକ୍ଷାର ସର୍ବାଧିକ ନମ୍ବର ଓ ଦଶମ ତିନୋଟି ପରୀକ୍ଷାର ଦୁଇଟି ସର୍ବାଧିକ ନମ୍ବରକୁ ବୋର୍ଡ କର୍ତ୍ତୃପକ୍ଷ ମେଣ୍ଟର ସ୍କୁଲ ଜରିଆରେ ମାଗିଥିଲେ । ପରୀକ୍ଷାର୍ଥୀଙ୍କ ନମ୍ବର ଅପଲୋଡ ପାଇଁ ରାଜ୍ୟରେ ୨୭୬୬ ମେଣ୍ଟର ସ୍କୁଲ ଚୟନ କରାଯାଇଥିଲା ।
ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଦଶମର ଗୋଟିଏ ଅଭ୍ୟାସ ପରୀକ୍ଷା ଦେଇଥିଲେ ସେମାନଙ୍କ କ୍ଷେତ୍ରରେ ଦଶମରୁ ୩୦ ପ୍ରତିଶତ ୱେଟେଜ ଓ ନବମ ଶ୍ରେଣୀର ୭୦ ପ୍ରତିଶତ ୱେଟେଜ ଦେବାକୁ ନିଷ୍ପତ୍ତି ହୋଇଥିଲା । ଯେଉଁ ପରୀକ୍ଷାର୍ଥୀମାନେ ଦଶମରେ ଆଦୈଁ ଅଭ୍ୟାସ ପରୀକ୍ଷା ଦେଇନଥିଲେ ସେମାନଙ୍କ କ୍ଷେତ୍ରରେ ନବମ ଶ୍ରେଣୀରେ ରଖିଥିବା ସର୍ବାଧିକ ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ ଦେବାକୁ ନିଷ୍ପତ୍ତି ହୋଇଥିଲା । ଏଥିସହିତ ସଂପୃକ୍ତ ବିଦ୍ୟାଳୟର ପୂର୍ବ ୪ବର୍ଷ ଅର୍ଥାତ୍ ୨୦୧୭, ୨୦୧୮, ୨୦୧୯, ୨୦୨୦ ବର୍ଷର ସ୍କୁଲ୍ ଫଳାଫଳକୁ ମଧ୍ୟ ବିଚାରକୁ ନିଆଯାଇଥିଲା ।
ଏକ୍ସରେଗୁଲାର ଓ କରେସ୍‌ପଣ୍ଡେନ୍ସ ଏକ୍ସରେଗୁଲାର କ୍ଷେତ୍ରରେ ପୂର୍ବ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାର କରି ହାରାହାରି ନମ୍ବର ଦେବାକୁ ନିଷ୍ପତ୍ତି ହୋଇଥିଲା । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ପୁରୁଣା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୂର୍ବରୁ ଦେଇଥିବା ପରୀକ୍ଷା ନମ୍ବରକୁ ବିବେଚନା କରି ସେମାନଙ୍କ ମୂଲ୍ୟାୟନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅନୁସାରେ ଆସନ୍ତାକାଲି ପରୀକ୍ଷାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.

six + 16 =