ଭଞ୍ଜନଗର : “ମେଡିକାଲରେ ଆଖି ବୁଜିଲେ ମୋ ମା’। ମୃତଦେହ ଘରକୁ ନେବା ପାଇଁ ଗାଡ଼ି ଯୋଗାଇ ଦେବାକୁ କହିବାରୁ ଚିହିଁକି ଉଠିଲେ ମେଡିକାଲ କର୍ତ୍ତୃପକ୍ଷ। ଏଠାରେ କିଛି ସୁବିଧା ନାହିଁ, ଶୀଘ୍ର ମୃତଦେହ ଉଠାଅ ବୋଲି ଧମକ ଚମକ ଦେଲେ। ଶେଷରେ ବାଧ୍ୟ ହୋଇ ଦୀର୍ଘ ୨ କିଲୋମିଟର କାନ୍ଧରେ ବୋହି ବୋହି ମୃତଦେହକୁ ଆଣିଲି।” ନିଜ ମା’ଙ୍କ ମୃତ୍ୟୁ ପରେ ମୃତଦେହକୁ ନେବାକୁ କଲବଲ ହୋଇଥିବା ଜଣେ ପୁଅ ଏପରି ଭାବେ ହୃଦୟ ବିଦାରକ ଘଟଣାକୁ ବୟାନ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଅଞ୍ଚଳରେ ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ, ପଦ୍ମପୁର ଗାଁର ଲକ୍ଷ୍ମୀ ଗୌଡ ଅସୁସ୍ଥ ହେବାରୁ ତାଙ୍କୁ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଆଖି ବୁଜିଥିଲେ ଲକ୍ଷ୍ମୀ ।
ମୃତଦେହ ଘରକୁ ନେବା ପାଇଁ ମେଡିକାଲ କର୍ତ୍ତପକ୍ଷଙ୍କୁ ଅନୁରୋଧ କରି ତାଙ୍କ ପୁଅ ବସନ୍ତ ଧମକ ଚମକ ପାଇଥିଲେ। ପରେ ଅଟୋ, ଟ୍ରଲିରେ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ମୃତଦେହ ନେବାକୁ କେହି ରାଜି ହୋଇ ନ ଥିଲେ। ଶେଷରେ ବାଧ୍ୟ ହୋଇ କାନ୍ଧରେ ବୋହି ବୋହି ନିଜ ମା’ଙ୍କ ମୃତଦେହ ଆଣିଥିବା କହିଛନ୍ତି ବସନ୍ତ।
ଅପରପକ୍ଷେ ମେଡିକାଲ ଇନଚାର୍ଜ ଭଗବାନ ସାହୁ ଏପରି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ଗୌଡଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲ ଆଣିଥିଲେ । ଏଠାରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଘରକୁ ନେବାକୁ ବାରଣ କରିବା ସତ୍ତ୍ୱେ ପରିବାର ଲୋକେ ଜୀବିତ ଅବସ୍ଥାରେ ଜବରଦସ୍ତି ଘରକୁ ନେଇ ଯାଇଥିଲେ । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇ ନ ଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଆୟୁଷ ଡାକ୍ତରଙ୍କୁ ତାଙ୍କ ଘରକୁ ପଠାଇବାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଲୁ।” ଅପରପକ୍ଷେ ମେଡିକାଲରେ ରୋଗୀଙ୍କୁ ଆମ୍ବୁଲାନ୍ସ ସୁବିଧା ଯୋଗାଇ ଦିଆଯାଉଥିବା ମଧ୍ୟ କହିଛନ୍ତି ମେଡିକାଲ ଇନଚାର୍ଜ ।