ବ୍ରହ୍ମପୁର : ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ବ୍ରହ୍ମପୁର ସହର । ବିଶ୍ୱ ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ଠାରେ ପ୍ରବଳ ଜନ ସମାବେଶ ଦେଖିବାକୁ ମିଳୁଛି । ଯାତ୍ରା ସ୍ଥଳ ତଥା ମା’ଙ୍କ ବାପଘର ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତ୍ୟେକ ଦିନ ସକାଳୁ ମଧ୍ୟରାତ୍ରି ଯାଏ ମାଙ୍କ ଅସ୍ଥାୟୀ ପୀଠରେ ଶ୍ରଦ୍ଧାଳୁ ଓ ମାନସିକଧାରୀଙ୍କ ଭିଡ ଜମୁଛି । କେବଳ ଦେଶୀବେହେରା ସ୍ଥିତ ଅସ୍ଥାୟୀ ମଣ୍ଡପ ନୁହେଁ ବରଂ ସାରା ସହରରେ ଗହଳି ଲାଗୁଛି । ସଂନ୍ଧ୍ୟାରେ ଘଟ ପରିକ୍ରମା ଆରମ୍ଭ ହେବା ସହ ଆଜି ୬ଟି ରଥକୁ ଆମନ୍ତ୍ରଣ କରିଥିଲେ । ଘଟ ପରିକ୍ରମା ବେଳେ ହୁଳହୁଳି, ମହୁରୀ, ବାଦ୍ୟ ବାଜଣା, ଶଙ୍ଖ ଧ୍ୱନିରେ ସମସ୍ତ ଅଞ୍ଚଳ ପ୍ରକମ୍ପିତ ପରିବେଶ ସୃଷ୍ଟି ହୋଇଉଠିଥିଲା । ଆଜି ସଂନ୍ଧ୍ୟାରେ ଦେଶୀବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ ଠାରୁ ମାଁ ବୁଢ଼ୀ ଠାକୁରାଣୀଙ୍କ ଘଟ ବାହାରି ମହୁରୀ ରାଜବାଟୀ ସେଠାରୁ ଖାସ୍ପା ସାହି, ବଡ ବଜାର ଦେଇ ଜଉରା ସାହି ସ୍ଥିତ ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ । ପୁଣି ଖାସ୍ପା ସାହି ଯାଇ ସେଠାରେ ହରି ଅର୍ଜୁନ ରଥଙ୍କୁ ଆମନ୍ତ୍ରଣ କରିବା ପରେ ନୃସିଂହ ମନ୍ଦିର ସାହି ଯାଇ ସେଠାରେ ଶ୍ରୀରାମ ରଥକୁ ଆମନ୍ତ୍ରଣ କରିଥିଲେ । ସେଠାରୁ ଚନ୍ଦ୍ରଶେଖର ମନ୍ଦିର ସାହି ଠାରେ ବୀର ହନୁମାନ ରଥକୁ ଆମନ୍ତ୍ରଣ କରିବା ପରେ ଶଙ୍କାରି ସାହି ଯାଇ ସେଠାରେ ଲକ୍ଷ୍ମଣ ରଥକୁ ଆମନ୍ତ୍ରଣ କରିଥିଲେ । ପରେ ସେଠାରୁ ଜେମାଦେଈପେଣ୍ଠ ସାହି ଠାରେ ଜଗନ୍ନାଥ ରଥକୁ ଆମନ୍ତ୍ରଣ କରିବା ପରେ ଶେଷରେ ପୁରୁଣା ବ୍ରହ୍ମପୁର ସାହିରେ ମହାବୀର କର୍ଣ୍ଣ ରଥକୁ ଆମନ୍ତ୍ରଣ କରି ଖାସ୍ପା ସାହି ହୋଇ ଅସ୍ଥାୟୀ ମଣ୍ଡପକୁ ଫେରିଥିଲେ । ଏହି ପରିକ୍ରମା ସମୟରେ ମହିଳା ମାନେ ଘରଦୁଆର ମୁହଁରେ ଜଳକୁମ୍ଭ ରଖିବା ସହ ମୂଖ୍ୟ ଘଟଧାରୀଙ୍କ ପାଦକୁ ହଳଦୀ, କର୍ପୂର ପାଣିରେ ଧୋଇଥିଲେ ।