ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

କଣିହାଁ : ତାଳଚେର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ଦିନ ଚିହ୍ନଟ ହୋଇଛି । ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଅବସ୍ଥିତ ଅରା ବାଉଁଶ ବଣ ନିକଟରେ ମା ଅଗ୍ନିରୂପା ଆବିର୍ଭାବ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରିରେ ଦେହୁରୀ ମା’ଙ୍କୁ ଶବରୀ ମନ୍ତ୍ରରେ ଆରଧନା କରି ବଶୀଭୂତ କରିଥିଲେ ଏବଂ କୋଇଲା ସଂଯୋଗ କରି ମା’ ଉଭାସ୍ଥଳୀ ଚିହ୍ନଟ କରିଥିଲେ । ପ୍ରାକୃତିକ ପରିବେଶ ଭରା ବାଉଁଶ ବଣରେ ମା’ଙ୍କର ଆବିର୍ଭାବ ହୋଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଖୁସି ଓ ଆନନ୍ଦ ଖେଳିଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନେ ମା’ଅଗ୍ନିରୂପାଙ୍କ ଚିହ୍ନଟ ସ୍ଥଳୀ ପାଖକୁ ଯାଇ ମାଙ୍କୁ ପୂଜା କରିବାକୁ ବାରଣ କରାଯାଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଦୂରତାରୁ ମା’ଙ୍କ ଦର୍ଶନ କରିବାକୁ ଅନୁରୋଧ କରାଯାଇଛି । ଏ ଖବର ପାଇବା ପରେ ମା’ଅଗ୍ନିରୂପାଙ୍କ ଦର୍ଶନ କରିବାକୁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମା’ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଆସନ୍ତା ଏପ୍ରିଲ ମାସ ଚାରି ତାରିଖଠାରୁ ଆରମ୍ଭ ହୋଇ ୧୨ ତାରିଖ ଯାଏ ନଅଦିନ ଯାତ୍ରା ହେବା ସହିତ ଆରମ୍ଭ ଦିବସଠାରୁ ଶେଷ ଦିବସ ପର୍ଯ୍ୟନ୍ତ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏହି ଲୋକ ମହୋତ୍ସବରେ ଏ ଅଞ୍ଚଳର କଳାକାର ଓ ଆମ ଜିଲ୍ଲା ତଥା ରାଜ୍ୟ ବାହାରୁ କଳାକାର ନିଜର କଳା ପ୍ରଦର୍ଶନ କରିବେ । ପ୍ରଶାସନ ସ୍ତରରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଥିବାର ସୂଚନା ମିଳିଛି । ସମସ୍ତ ଭକ୍ତମାନଙ୍କୁ ଅନୁରୋଧ ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରି ମା’ହିଙ୍ଗୁଳାଙ୍କ ଦର୍ଶନ କରି ମା’ହିଙ୍ଗୁଳାଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

Leave A Reply

Your email address will not be published.

3 × 2 =