ଏପ୍ରିଲ୍ ୧୩ରୁ ପ୍ରାର୍ଥିପତ୍ର ଦାଖଲ
ଏପ୍ରିଲ୍ ୨୦ରେ ଅନ୍ତିମ ଦିବସ
ଏପ୍ରିଲ୍ ୨୧ରେ ପ୍ରାର୍ଥିପତ୍ର ଯାଂଚ
ମେ’ ୧୩ରେ ଗଣତି
ନୂଆଦିଲ୍ଲୀ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲିପଡିଥିବା ଝାରସୁଗୁଡା ବିଧାନସଭା ଆସନରୁ ଆସନ୍ତା ମେ’ ୧୦ ତାରିଖ ଦିନ ଉପନିର୍ବାଚନ ହେବ । ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଘୋଷଣା କରିଛନ୍ତି ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡା ଉପନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ମେ’ ୧୩ ତାରିଖରେ ଭୋଟଗଣତି ହେବ । ବିଧାନସଭା ଉପନିର୍ବାଚନ ପାଇଁ ଗେଜେଟ୍ ଏପ୍ରିଲ୍ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ । ସେହିପରି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ । ଏପ୍ରିଲ୍ ୨୧ରେ ପ୍ରାଥିୀପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ୍ ୨୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସ ଥିବାବେଳେ ଆବଶ୍ୟକ ସ୍ଥଳେ ମେ’୧୦ରେ ଭୋଟଗ୍ରହଣ ହେବ । ସୂଚନାଯୋଗ୍ୟ ଯେ, ତିନୋଟି ବ୍ଲକକୁ ନେଇ ଗଠିତ ଝାରସୁଗୁଡା ବିଧାନସଭା ଆସନରେ ୨ଲକ୍ଷ ୨୧ ହଜାର ୭୩ ମତଦାତା ମତ ସାବ୍ୟସ୍ତ କରିବେ । ତେବେ ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୧୦ହଜାର ୩୨୩ଜଣ ପୁରୁଷ ଭୋଟର ଥିବାବେଳେ ୧ଲକ୍ଷ ୧୦ହଜାର ୬୮୬ ମହିଳା ଭୋଟର ଅଛନ୍ତି । ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ମତଦାନ ହେବ । ଆଜି ଭାରତର ନିର୍ବାଚନ କମିଶନ ଉପନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ବ୍ୟାପକ ରାଜନୈତିକ ତତ୍ପରତା ପ୍ରକାଶ ପାଇଛି । ତେବେ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ଶାସକ ବିଜେଡି, ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି । ସମ୍ଭବତଃ ଏହି ନିର୍ବାଚନରେ ବିଜେଡି ପକ୍ଷରୁ ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଦୀପାଳି ଦାସ କିମ୍ବା ପୁତ୍ର ବିଶାଳ ଦାସ ପ୍ରାର୍ଥୀ ହୋଇପାରନ୍ତି । ନବ ଦାସଙ୍କ ମୃତ୍ୟୁର ୨ମାସ ପୂରଣ ବେଳେ ଆଜି ଉପନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ତାଙ୍କ କନ୍ୟା ଦୀପାଳି କହିଛନ୍ତି ଯେ, ଆଜି ହେଉଛି ଆମ ପାଇଁ ଏକ ଭାବବିହ୍ୱଳର ଦିବସ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯାହାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବେ ତାଙ୍କୁ ତାଙ୍କ ପରିବାର ପୂର୍ଣ୍ଣ ସମର୍ଥନ କରିବ । ସେ ଆହୁରି କହିଛନ୍ତି ଯେ, ତାଙ୍କ ବାପାଙ୍କ ଉପରେ ଝାରସୁଗୁଡାବାସୀଙ୍କର ଆଶୀର୍ବାଦ ଥିଲା । ଆମ ଉପରେ ମଧ୍ୟ ବାପାଙ୍କ ଆଶୀର୍ବାଦ ରହିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ହାତ ମଧ୍ୟ ଆମ ମୁଣ୍ଡ ଉପରେ ରହିଛି ବୋଲି ସେ କହିଛନ୍ତି ।