ମୌସୁମୀ ଉଭାନ: ରାଜ୍ୟରେ ମରୁଡି ଆଶଙ୍କା

ଭୁବନେଶ୍ୱର: ଧାରା ଶିରାବଣ ମାଶରେ ମୌସୁମୀ ଉଭାନ ହୋଇଯାଇଥିବାରୁ ରାଜ୍ୟରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟର ୧୩ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବିଶେଷ କରି ଉପକୂଳ ଜିଲ୍ଲାଗୁଡିକରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଜୁଲାଇ ୩୦ ସୁଦ୍ଧା ୧୪% ନିଅଂଟିଆ ବର୍ଷା ହୋଇଯାଇଛି । ଆଗକୁ ବି ଏହି ସ୍ଥିତି ଲାଗି ରହିବ ଓ ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ୨୦%ରୁ ଅଧିକ ନିଅଂଟିଆ ବର୍ଷା ହୋଇଯାଇଥିବା ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍ଆର ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ୧ ଜୁନ୍ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ରାଜ୍ୟରେ ୪୭୪,୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ୱାଭାବିକ ଭାବେ ଏହି ସମୟରେ ୫୫୧.୧ ମିମି ବର୍ଷା ହୋଇଥାଏ । ବର୍ତମାନ ସୁଦ୍ଧା ରାଜ୍ୟରେ ୧୪% ନିଅଂଟିଆ ବର୍ଷା ରେକର୍ଡ କରାଗଲାଣି । ଆଗକୁ ବି ଏହି ପରିସ୍ଥିତି ଲାଗି ରହିବ ଓ ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡକୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ଭଲ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି ।
ମୌସୁମୀ ଟ୍ରଫ୍ ଲାଇନ୍ ଏବେ ବି ଉତର ଆଡକୁ ଗତି କରୁଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ । ଆଗକୁ ୨/୩ଦିନ ରାଜ୍ୟରେ ବର୍ଷା କମ୍ ହେବ । କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ ।
ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ବରଗଡ, ନୟାଗଡ, ଅନୁଗୁଳ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଅଞ୍ଚଳରେ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅଗଷ୍ଟ ପହିଲାରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବ । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

Leave A Reply

Your email address will not be published.

4 × 5 =