ମୌସୁମୀ ଦୁର୍ବଳ : ବଦଳୁଛି ପାଣିପାଗ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟରେ ପ୍ରେବେଶ କରିଥିଲା ବେଳେ ଏବେ ଦୃବଳ ହୋଇଯାଇଛି । ପରିଣତି ସ୍ୱରୁପ ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି । ଏହି ସମୟରେ ରାଜ୍ୟର ସ୍ୱାଭାବିକ ତାପମାତ୍ରା ୩୨/୩୩ ଡିଗ୍ରି ରହିବା କଥା । ହେଲେ ୩୫ରୁ ୩୬ ଡିଗ୍ରି ଭିତରେ ରହୁଥିବା ବେଳେ କିଛି ସ୍ଥାନରେ ୩୭ ଡିଗ୍ରି ଛୁଇଁ ଯାଉଛି । ପାଣିପାଗର ଏଭଳି ପରିବର୍ତନ ସଂପର୍କରେ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଥରେ ମୌସୁମୀ ବାୟୁ ସକ୍ରିୟ ହେଲେ ଏହା ପ୍ରଭାବରେ ହେଉଥିବା ବର୍ଷା ହେତୁ ତାପମାତ୍ରା କମିଥାଏ । କିନ୍ତୁ ଯେତେବେଳେ ବର୍ଷା ଛାଡିଯାଏ, ମୌସୁମୀ ଦୁର୍ବଳ ହୁଏ, ସେତେବେଳେ ପୁଣି ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡେ । ଯାହା ଦ୍ୱାରା ତାପମାତ୍ରା ବଢିଯାଏ । ବାୟୁମଣ୍ଡଳର ଆଦ୍ରତା ବୃଦ୍ଧି ହେତୁ ବାୟୁମଣ୍ଡଳର ଜଳୀୟକଣା ଅତ୍ୟଧିକ ତାପ ଧରି ରଖୁଛି (ଲ୍ୟାଟେଂଟ ହିଟ୍ କୁହାଯାଏ) । ଏଣୁ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଏପରିକି ତାପମାତ୍ରା ଅପେକ୍ଷା ୭ରୁ୮ ଡିଗ୍ରି ଅଧିକ ଗରମ ଥିବା ଭଳି ଅନୁଭବ ହେଉଛି । ଏହା ବ୍ୟତୀତ ବର୍ତମାନ ସମୟରେ ଆକାଶ ସମ୍ପୂର୍ଣ୍ଣ ନର୍ମଳ ନାହିଁ । ଖଣ୍ଡ ଖଣ୍ଡ ଧଳା ମେଘ ଘୂରିବୁଲୁଛି । ଏହି ମେଘ ଖଣ୍ଡ ସବୁ ନମ୍ନ ଓ ମଧ୍ୟ ବାୟୁମଣ୍ଡଳରେ ଥିବାରୁ ପୃଥିବୀ ପୃଷ୍ଠରୁ ବିକିରଣ ହେଉଥିବା ତାପମାତ୍ରାକୁ ବାହାର ଆକାଶକୁ ବା ବାୟୁମଣ୍ଡଳକୁ ଯିବାରେ ବାଧା ସୃଷ୍ଟି କରୁଛି । ଫଳରେ ରାତିର ତାପମାତ୍ରା ବଢିବା ସହ ଦିନର ତାପମାତ୍ରା ମଧ୍ୟ ବଢୁଛି । ଡ.ପଶୁପାଳକ କହିଛନ୍ତି, ଆମେରିକାର କିଛି ବୈଜ୍ଞାନିକ ଏଭଳି ସ୍ଥିତି ସଂପର୍କରେ ଅନୁଶୀଳନ କରି ନିକଟେ ଦର୍ଶାଇଛନ୍ତି ଯେ, ଜଳବାୟୁ ପରିବର୍ତନ ହେତୁ ଆକାଶରେ ଅପେକ୍ଷାକୃତ ଅଧିକ ମେଘ ସୃଷ୍ଟି ହେଉଛି । ଯାହାକି ତାପମାତ୍ରା ବଢିବାର ଅନ୍ୟ ଏକ କାରଣ ।

Leave A Reply

Your email address will not be published.

five × 2 =