ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ରତାର ବିକଳ ଚିତ୍ର

ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ, କରଞିଆ-ଭୁମିଜ ସାହି

ଚମ୍ପୁଆ : ଚମ୍ପୁଆ ବ୍ଲକ ଅନ୍ତର୍ଗତ କରଞ୍ଜିଆ ଭୂମିଜ ସାହି । କରଞ୍ଜିଆ ପଂଚାୟତ କାର୍ଯ୍ୟାଳୟର ପଛ ପଟେ ଅତି ନିକଟରେ ଥିବା ଏହି ଭୂମିଜ ସାହି ପାଇଁ ସରକାରୀ ଯୋଜନା ପାଲଟିଛି ସାତ ସପନ, ବାଟ ହୁଡ଼ିଛି ବିକାଶ । ଏମାନଙ୍କ ଉପରେ ନା ପଡୁଛି ସରପଂଚ, ସଭ୍ୟ କି ବିଧାୟିକାଙ୍କ ନଜର, ନା ପଡୁଛି ପ୍ରଶାସନିକ ଅଧିକାରୀଙ୍କ ନଜର । ସରକାରଙ୍କ ମାଳ ମାଳ ଯୋଜନା ଥିବା ସତ୍ୱେ ଏହି ସାହି ପାଇଁ ସତେ ଯେମିତି ସବୁ ଅପହଂଚ । ଏଠାରେ ଶିକ୍ଷା ଦୀକ୍ଷାକୁ ମାର ଗୁଲି, ଗଣ୍ଡେ ଖାଇ ଦଣ୍ଡେ ଜିଇଁବା ଲାଳସାରେ ଅଭିଶପ୍ତ ଜୀବନ ଜିଉଁଛନ୍ତି ନିରୀହ ଆଦିବାସୀ । ଓଡ଼ିଶାରେ ରତ୍ନଗର୍ଭା ଚମ୍ପୁଆ ଉପଖଣ୍ଡର ଏକ ସ୍ୱତନ୍ତ୍ର ପରିଚୟ ରହିଥିବାବେଳେ ଚମ୍ପୁଆ ସଦର ମହକୁମାର ନାକ ତଳେ ରହି ଥିବା ଏହି ଭୂମିଜ ସାହି ପାଲଟିଛି ଚମ୍ପୁଆର ଏକ ଅପହଂଚ ଏବଂ ଅଭିଶପ୍ତ ଇଲାକା । ଏକ ଶହରୁ ଉର୍ଦ୍ଧ ପରିବାର ରହୁଥିବା ଏହି ସାହିରେ ରାସ୍ତା ତ ଅଛି ହେଲେ ସମତଳ କମ ଖାଲ ଅଧିକ । ଏଠି ପରିମଳ ବ୍ୟବସ୍ଥା ନ କହିବା ଭଲ । ସାହି ମୁଣ୍ଡରେ ଥିବା ଖୋଲା ପଡିଆ ଏମାନଙ୍କ ମୁକ୍ତାକାଶ ଶୌଚାଳୟ । ସେହିପରି ଏଠି ଆବାସ ଯୋଜନାର ସ୍ୱପ୍ନ ଦେଖିବା ବି ମନା ହୋଇଥିବାବେଳେ ଭଙ୍ଗା ଦଦରା କୁଡ଼ିଆରେ ସରକାରୀ ପଲିଥିନ ଟାଣି ଭାଗ୍ୟକୁ ଆଦରି ପଡି ରହିଛନ୍ତି ସାହି ବାସିନ୍ଦା । ଖରାଦିନେ ଅଗଣାରେ ଥିବା ଗଛ ମୂଳ ଆଉ ବର୍ଷା ହେଲେ ସାହି ମୁଣ୍ଡରେ ଥିବା ହାଟ ପିଣ୍ଡି ପାଲଟିଛି ଏମାନଙ୍କ ଆଶ୍ରୟସ୍ଥଳୀ । ଭୂମିହୀନ ଦର୍ଶାଇ କରଞ୍ଜିଆ ପଂଚାୟତ ଏମାନଙ୍କୁ ଆବାସ ଯୋଜନାରୁ ବଂଚିତ କରି ରଖିଥିବାବେଳେ ସରକାରୀ ସହାୟତା କହିଲେ କେବଳ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର କେଇ କିଲୋ ଚାଉଳ ଏକ ମାତ୍ର ଭରଷା । ଘରେ ଘରେ ଅପପୃଷ୍ଟି ଶିଶୁ ଦେଖିବାକୁ ମିଳୁଥିବାବେଳେ ସାହିର ପିଲାମାନେ ସ୍କୁଲ ଯିବା ଅପେକ୍ଷା ଘର ଅଗଣାରେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଦିନ ସାରା ଖେଳି ବୁଲି ସମୟ କାଟୁ ଥିବା ଦେଖିବାକୁ ମିଳୁଛି । ଏହିପରି ସାହିରେ ଅନେକ ସମସ୍ୟା ଲାଗି ରହିଥିବାବେଳେ ସାହି ବାସିନ୍ଦାଙ୍କ ପାଇଁ ସବୁଠୁ ବଡ଼ ଅଭିଶାପ ପାଲଟିଛି ସାହି ଭିତରେ ଚାଲିଥିବା ଅବାଧ ଚୋରା ଦେଶୀ ମଦ କାରବାର । ରୋଜଗାର ଅଭାବରୁ ଦିନ ସାରା ଟ୍ରାକ୍ଟରରେ ମୁଲ ମଜୁରୀ କାମ କରି ସନ୍ଧ୍ୟା ହେଲେ ଚୋରା ମଦ ଭାଟିରୁ ପେଟ ପୁରା ନକଲି ମଦ ପିଇ ନିଜ ଆୟୁଷ ନଷ୍ଟ କରୁଥିବା ଏହି ସାହି ବାସିନ୍ଦାଙ୍କ ଅକାଳ ମୃତ୍ୟୁ ଏକ ସାଧାରଣ ନିତିଦିନିଆ ଘଟଣା ପାଲଟିଛି । ଏକାଧିକ ପରିବାରରେ ପୁରୁଷ ଶୂନ୍ୟ ଓ ଅନାଥଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନିକଟସ୍ଥ ସରକାରୀ ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଦୋକାନର ମଦ ଏଠି ବେଧଡ଼କ ଚୋରାରେ ବିକ୍ରି ହେଉଥିଲେ ମଧ୍ୟ ଅବକାରୀ ବିଭାଗ ଏଠି ଚଢ଼ାଉ କରିବା ପରିବର୍ତେ ଭାଇ ବନ୍ଧୁ ସମ୍ପର୍କ କରି ଚୋରା ଦେଶୀ ମଦ କାରବାରକୁ ଆଖି ବୁଜି ଦେଉଥିବାରୁ ଏହି ସାହି ପାଇଁ ମଦ ଏକ ଅଭିଶପ୍ତ ଅଧ୍ୟାୟ ସୃଷ୍ଟି କରିଛି । ଏ ସମ୍ପର୍କରେ ଚମ୍ପୁଆ ବିଡିଓ ଜ୍ୟୋସ୍ନା ନାଏକଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ଏହି କରଞ୍ଜିଆ ଭୂମିଜ ସାହି ପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରତିଶୃତି ଦେଇଥିବାବେଳେ ଏହି ଅଭିଶପ୍ତ ସାହି କେବେ ଅଭିଶାପ ମୁକ୍ତ ହେବ ଦେଖିବାକୁ ବାକି ରହିଲା । 

Leave A Reply

Your email address will not be published.

nineteen + 14 =