ଭୁବନେଶ୍ୱର: ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ମାସ ମାସ ଧରି ରାଜ୍ୟର ମନ୍ଦିରଗୁଡିକ ବନ୍ଦ ରହିଥିବା ବେଳେ ମନ୍ଦିର ଖୋଲିବା ନେଇ ମୁ୍ଖ୍ୟଶାସନ ସଚିବ ସଂକେତ ଦେଇଛନ୍ତି । କିପରି କୋଭିଡ୍ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ଦେବୋତର ବିଭାଗ ଅଧୀନରେ ଥିବା ଅନ୍ୟ ମନ୍ଦିରକୁ ରାଜ୍ୟ ସରକାର ସେ ବିଷୟରେ ଜଣାଇବାକୁ ଚିଠିରେ କହିଛନ୍ତି । ମନ୍ଦିର ପ୍ରଶାସନକୁ ସରକାରଙ୍କ ପକ୍ଷରୁ ଚିଠି ଜାରି ହୋଇଥିବା ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କିପରି କୋଭିଡ୍ ନିୟମ ମାନି ମନ୍ଦିର ଖୋଲା ଯାଇପାରିବ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।
ମନ୍ଦିର ଖୋଲିବା ଉପରେ ଦେବୋତର କମିଶନର ଚିତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ‘ କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ । ସରକାର ଯେଉଁ ଗାଇଡଲାଇନ୍ କରିବେ ଆମେ କାର୍ଯ୍ୟକାରୀ କରିବୁ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ । ଆମ ଅଧୀନରେ ୧୮ହଜାର ମନ୍ଦିର ରହିଛି ।
ଉଲ୍ଳେଖଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ମାସ ମାସ ଧରି ବନ୍ଦ ରହିଥିବା ମନ୍ଦିର ଖୋଲିବାକୁ ଦାବି କରି ଗତକାଲି ବାଲିଅନ୍ତା ବ୍ଳକର ବିଭିନ୍ନ ମଠ ମନ୍ଦିରରେ ସେବାୟତମାନେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଭିଯୋଗ ଅନୁସାରେ ମନ୍ଦିର ସବୁ ବନ୍ଦ ରହିବା ଫଳରେ ପୂଜକ, ମାଳି, ପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନଙ୍କ ପରିବାର ଘୋର ଆର୍ଥିକ ସଂକଟରେ ପଡିଛନ୍ତି । ମାର୍ତ ସରକାରୀ ସ୍ତରାରେ ସେମାନଙ୍କୁ କୌଣସି ସହାୟତା ଦିଆଯାଉନାହିଁ । ଏବେ ସବୁ ବ୍ୟବସାୟିକ ପ୍ରତିÂାନ ଖୋଲି ସାରିଥିବାରୁ ମନ୍ଦିର ଖୋଲିଲେ କିଛି ସମସ୍ୟା ନାହିଁ । କରୋନା କଟକଣା ଭିତରେ ମନ୍ଦିରକୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଆସିବାରେ କିଛି ଅସୁବିଧା ନାହିଁ । ମାତ୍ର ସରକାର ଏ ଦିଗରେ ମୋଟେ ବିଚାରଶୀଳ ହେଉନାହାନ୍ତି ।