ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରେସନ’ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଏହାଦ୍ୱାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରେସନ ପାଇପାରିବେ । ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ । ଏହାସହିତ ସାଧାରଣ ବଂଟନ ବ୍ୟବସ୍ଥାରେ ପାଇଲଟ୍ ପ୍ରକଳ୍ପ ଭାବରେ ମାଲକାନଗିରି ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଗଲା ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ‘ସ୍ୱାଭିମାନର ସହ ବଂଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଂଚିତ କରିପାରିବ ନାହିଁ । ଆମର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଅଧିକାରକୁ ଆମେ ସବୁବେଳେ ସମ୍ମାନ ଜଣାଇଆସିଛୁ । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମର ଉଦ୍ୟମ ଜାରି ରହିବ ।’
ଭିଟାମିନଯୁକ୍ତ ଚାଉଳରେ ଭିଟାମିନ ବି-୧୨ ଓ ଫୋଲିକ୍ ଏସିଡ ଥିବାରୁ ଏହା ଗରିବ ଲୋକମାନଙ୍କ ସହତି ବିଶେଷକରି ମହିଳା ଓ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ବହୁତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠାରୁ ବଡ କଲ୍ୟାଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢେ ୩ କୋଟି ଲୋକ ଉପକାର ପାଉଛନ୍ତି । ୨୦୦୮ରେ ଆପଣଙ୍କ ରାଜ୍ୟ ସରକାର କେଜି ୨ ଟଙ୍କାରେ ଓ ୨୦୧୩ରୁ କେଜି ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛି । ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ତାଙ୍କର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଲେ, ‘ମୁଁ ସବୁବେଳେ କହିଆସିଛି ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ ହୁଏ, ତାହା ଆମର ଲକ୍ଷ୍ୟ ।’
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କେଜି ୧ ଟଙ୍କାରେ ଚାଉଳ ମିଳିବ ଦ୍ୱାରା ଗରିବ ଲୋକଙ୍କର ଖାଦ୍ୟ ନିରାପତ୍ତା ମଜବୁତ ହୋଇଛି । ରାଜ୍ୟର ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟ ସରକାର ମାଗଣାରେ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିଛନ୍ତି । ଜୋତା ଠାରୁ ଆରମ୍ଭ କରି ପୋଷାକ, ବହି, ସାଇକେଲ – ସବୁ ସରକାର ଯୋଗାଇ ଦେଉଛନ୍ତି । ସ୍ୱାସ୍ଥ୍ୟ ସୁବିଧା ପାଇଁ ସବୁ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତା ସହିତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମା ମାନଙ୍କୁ ରୋଜଗାର ଦେଇଛି । ଚାଷଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ ଆଦର ଲାଭ କରିଛି ବୋଲି ସେ କହିଥିଲେ ।
କୋଭିଡ ମହାମାରୀ ସମୟରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସେ ଗୁରୁତ୍ୱ ଦେଇ ସେ କହିଲେ ଯେ କୋଭିଡ ମହାମାରୀ, ବହୁ ଲୋକ ବିଶେଷକରି, ଗରିବ ଲୋକଙ୍କର ରୋଜଗାର ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ରୋଜଗାର ପାଇଁ – ଚାଷୀ, ମହିଳା, ଶ୍ରମିକ ମାନଙ୍କ ପାଇଁ – ରାଜ୍ୟ ସରକାର ୨୦୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି । ଆମର ଏହିସବୁ କାର୍ଯ୍ୟକ୍ରମ ଗରିବ ଲୋକର ସାମାଜିକ ସ୍ଥିତିରେ ଉନ୍ନତି ଆଣିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଖାଦ୍ୟ ସୁରକ୍ଷାରେ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ବୋଲି ପ୍ରକାଶ କରି ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

18 − fifteen =