ଲଘୁଚାପ ଘନିଭୂତ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହେବା ସହ ଘନିଭୂତ ହେଉଛି । ଏହାର ପ୍ରଭାବରେ ଆସନ୍ତା ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଛୁଇଁବା ସହ ସକ୍ରିୟ ହେଉଛି ।
ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୯ ଜିଲ୍ଲା ପାଇଁ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଏହାବ୍ୟତୀତ ଆସନ୍ତାକାଲି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିଭଳି ୧୨ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଖୋର୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ଓ ୧୪ ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୱାର୍ଣ୍ଣିଂ ଜାରି ହୋଇଛି ।
ସମ୍ଭାବ୍ୟ ପ୍ରବଳ ବର୍ଷା ଯୋଗୁଁ କିଛି କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ସହ କଚ୍ଚା ଓ ମାଟି ଘର ଭାଙ୍ଗିଯିବା, ଭୂସ୍ଖଳନ, ଫସଲ ଓ ପନିପରିବା ଚାଷ ଆଦି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି । ଏଣୁ ଆବଶ୍ୟକ ପ୍ରସ୍ତୁତି ସାରିବାକୁ ଏସ୍‌ଆରସି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ସମୟରେ ପବନର ବେଗ ୪୦ରୁ ୫୦କିମି ରହିବ ଓ ମଝିରେ ମଝିରେ ୬୦ କିମିର ପବନର ଝଟ୍‌କା ଅନୁଭୂତ ହେବ । ଏଣୁ ମତ୍ସଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.

one × one =