ଲୁହା ମଣିଷ ଗୁରୁ ବିନ୍ଧାଣିଙ୍କ ପେଟ ପାଇଁ ସଂଘର୍ଷ

*ଦାନା ଯୋଗାଉଛି କୌଳିକ ବୃତ୍ତି

ଝରୀଗାଁ : ବେଳେବେଳେ ବାପଅଜାଙ୍କ ଅମଳରୁ ଶିଖିଥିବା କୌଳିକ କାମ ମଧ୍ୟ ମଣିଷକୁ ବଞ୍ଚି ରହିବାରେ  ସହାୟକ ହୋଇଥାଏ |କୌଳିକ ବୃତ୍ତି ରୁ ମଣିଷ ଦୁଇ ଓଳି ପେଟ ପାଇଁ ଦୁଇମୁଠା ଦାନା ଯୋଗାଡ଼ କରିଥାଏ | ଉଜ୍ବଳ ଭବିଷ୍ୟତ ସପନ ଦେଖିବାକୁ ସମୟ ମିଳେ ନାହିଁ। ଗୋଟିଏ ବେଳା ପେଟ ପୁରେତ ଆଉ ଗୋଟିଏ ବେଳା ଚିନ୍ତା କରିବାକୁ ପଡ଼େ।ମନ ପସନ୍ଦ ର ବ୍ୟଞ୍ଜନ ଖାଇବା ସମ୍ଭବ ନୁହେଁ। ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡେ ପେଟର ଜ୍ୱାଳା ପାଇଁ। ଗରିବ ସୀମାରେଖା ତଳର ମଣିଷ ଦାରିଦ୍ର୍ୟତା ପୀଡା ରେ ଦିନ କାଟିବାକୁ ପଡେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ କୁରୁଙ୍ଗାବେଡା ଗ୍ରାମର ଗୁରୁ ବିନ୍ଧାଣି |ପରିବାରରେ ରହୁଛନ୍ତି ୪ ପ୍ରାଣୀ |ଗୁରୁ ବିନ୍ଧାଣି(୬୭), ସ୍ତ୍ରୀ ବୁଦାୟ ବିନ୍ଧାଣି (୬୫),ପୁଅ ନରସିଂଘ ବିନ୍ଧାଣି ଏବଂ ବୋହୁ ରୁକ ବିନ୍ଧାଣି |ପରିବାରର ସ୍ଥିତି ଅଚଳ ରହିଥିବା ଯୋଗୁଁ ପୁଅବୋହୁ ସବୁବେଳେ ରାଜ୍ୟ ଛାଡି ରାଜ୍ୟ ବୁଲୁଛନ୍ତି ଦାଦନ ଶ୍ରମିକ ଭାବେ |ପୁଅବୋହୁ ର ଅନୁପସ୍ଥିତି ରେ ବଂଚିବା ନିମନ୍ତେ କୌଲିକ ବୃତ୍ତି କୁ ଆପଣେଇଛନ୍ତି ବୃଦ୍ଧ ଦମ୍ପତି |ଗୁରୁ କୁ ଷାଠିଏ ପୁରି ସତୁରି ଛୁଇଁଲାଣି ଆଉ ବୁଦାୟ ର ବୟସ ମଧ୍ୟ ଷାଠିଏ ପାର ହୋଇ ପଇଷଠି ବର୍ଷ ତଥାପି ଏ ଦମ୍ପତି ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ଅଛନ୍ତି | ଗୁରୁ କମାର ବୃତ୍ତି ଶିଖିଥିବାରୁ ସେ ବୃତ୍ତି କରି ଦୁଇ ଦମ୍ପତି ଙ୍କ ପେଟ ପାଇଁ ଦାନା ଯୋଗାଡ଼ କରୁଛନ୍ତି |ଆଜିର ଆଧୁନିକ ଯୁଗରେ ମଧ୍ୟ ହାତ ତିଆରି ଛୁରୀ, ପନକି, ଲଙ୍ଗଳ ଲୁହା, ଟାଙ୍ଗିଆ କୁରାଢ଼ି ଦାଆ ଘାଗଡା ଶାବଳ କୋଦାଳ ଓ ଅନ୍ୟାନ୍ୟ ଲୁହା ସାମଗ୍ରୀ ତିଆରି କରନ୍ତି ଗୁରୁ ବିନ୍ଧାଣି,ଏହାକୁ ବିକିବାକୁ  ସାପ୍ତାହିକ ହାଟ ବୁଲିବାକୁ ପଡେ।   ଦୁଇ ପଇସା ରୋଜଗାର କରିବାର ଭରସା ରଖୁଛନ୍ତି ଗୁରୁ |ଗୁରୁ ଧୋଡ୍ରା ଏବଂ ଡାବୁଗାଁ ଯାଇ ଲୁହା କିଣିକି ନେଇ ଆସନ୍ତି |ଗୁରୁଙ୍କ କହିବା ପ୍ରକାରେ ଲୁହା କିଲୋ ପ୍ରତି ୧୫୦/ ଟଙ୍କାରେ କିଣନ୍ତି ଏବଂ ଆଉ କୋଇଲା ବସ୍ତା ପ୍ରତି ୨୫୦/ ଟଙ୍କା ଦରରେ କିଣିଥାନ୍ତି |ଲୁହା ପାଇଁ ନିଜ ଘରଠାରୁ ୧୫/୨୦ କିଲୋମିଟର ଓ କୋଇଲା ପାଇଁ ଘର ଠାରୁ ୭/୮ କିଲୋମିଟର ପାଦରେ ଚାଲି ଯିବାକୁ ପଡେ |ଦୂର ସ୍ଥାନ ସବୁ ଯିବା ପାଇଁ ପାଖରେ ସାଇକେଲ ଟିଏ ମଧ୍ୟ ନାହିଁ |ପରିଣତ ବୟସ ରେ ଆଗ ପରି ଆଉ ଓଜନ ବୋହି ହେଉନି ତେଣୁ ୮/୧୦କିଲୋ ଲୁହା କାନ୍ଧରେ ବୋହି ଘରକୁ ଫେରନ୍ତି |ପୁଣି ସେହି ଲୁହାରୁ ବିଭିନ୍ନ ସାମଗ୍ରୀ ତିଆରି କରି ନିଜ ଗାଁ ର ଆଖପାଖରେ ଥିବା ଗାଁ ସବୁ ବୁଲି ବୁଲି ବିକ୍ରୟ କରିଥାନ୍ତି |ଗୁରୁ ଙ୍କ କହିବା ପ୍ରକାରେ ଚାରିଖଣ୍ଡ ଗାଁ ବୁଲିଲେ ଯାଇକି ଟଙ୍କା ୧୦୦ ଟଙ୍କାରୁ ୧୫୦ ଟଙ୍କା ମିଳିଥାଏ। ଯାହା ତାଙ୍କ ଦୁଇପ୍ରାଣୀ ଙ୍କ ପାଇଁ ଗୋଟିଏ ଦିନର ଦାନା ଯୋଗାଇଥାଏ | ସଞ୍ଚୟ କରି କିଛି ରଖିଥିଲେ ବି ଦେହପା ଖରାପ ହେଲେ ତାକୁ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଆଧୁନିକ ଉପକରଣ ର ବହୁଳ ବ୍ୟବହାର ଯୋଗୁଁ ହାତ ତିଆରି ସାମଗ୍ରି ର ଚାହିଦା ଅନେକ ପରିମାଣରେ କମିଯାଇଛି |ଜାଣିଶୁଣି ମଧ୍ୟ ପେଟ ପାଇଁ ଏସବୁ କରିବାକୁ ପଡୁଛି | କୃଷି ପ୍ରଧାନ ଝରିଗାଁ ବ୍ଲକ୍ ମଧ୍ୟରେ ଏହି ବୃତ୍ତି କରି ବଞ୍ଚିଥିବା ପରିବାର ଗ୍ରାମାଞ୍ଚଳରେ ପୁର୍ବ ଭଳି ଆଉ ଦେଖିବାକୁ ମିଳୁନାହିଁ। ଆଧୁନିକ କୃଷି ଯନ୍ତ୍ରାଂଶ ଓ ଉପକରଣ ବଜାରରେ ବହୁଳ ପରିମାଣରେ ଉପଲବ୍ଧ ଥିବାରୁ ଏହି ବୃତିକୁ ପାଥେୟ କରି ବଞ୍ଚୁଥିବା ପରିବାର ଉପରେ ବହୁତ ପ୍ରଭାବ ପଡ଼ିଛି। ଏବୃତ୍ତି ରେ ହାଡ଼ଭଙ୍ଗା  ଶାରୀରିକ ପରିଶ୍ରମ ପରେ ପେଟକୁ ଦାନା ବ୍ୟତୀତ ଅନ୍ୟ କିଛି ନାହିଁ। ବାର୍ଦ୍ଧକ୍ୟ ଭତ୍ତା ବ୍ଲକ୍ ସ୍ତରୀୟ ହେଲଥ କ୍ୟାମ୍ପ ରେ ପଞ୍ଜୀକୃତ  କରାଯିବା ନେଇ ବି ଏସ ଓ ପାର୍ଥଜିତ୍ ମଣ୍ଡଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

four × 3 =