ସାନିଟାଇଜର ପିଇବାକୁ ବିଧାୟକଙ୍କ ଉଦ୍ୟମ !

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ମଣ୍ଡିଗୁଡିକରେ ଧାନକିଣାକୁ ନେଇ ଆଜି ଦିନ ତମାମ୍ ଗୃହ ଅଚଳ ହୋଇ ପଡିଥିଲା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରି ନାହିଁ । ଅନ୍ୟପକ୍ଷରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ପ୍ରତିବାଦରେ ଆଜି ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜ୍ର ପିଇବାକୁ ଉଦ୍ୟମ କରିଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ସାନିଟାଇଜ୍ର ପିଇବାକୁ ଉଦ୍ୟମ କରିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଧାୟିକା ପ୍ରମିଳା ମଲ୍ଳିକଙ୍କ ସମେତ ଅନ୍ୟ ସଦସ୍ୟମାନେ ତାଙ୍କଠାରୁ ସାନିଟାଇଜ୍ର ବୋତଲ ଛଡାଇ ନେଇଥିଲେ । ପୂର୍ବରୁ ସରକାର ଚାଷୀଙ୍କ ଠାରୁ ଧାନ ନ କିଣିଲେ ଆତ୍ମାହୃତି ଦେବା ପାଇଁ ସେ ଧମକ ଦେଇଥିଲେ । ବାଚସ୍ପତିଙ୍କ ନିଦେ୍ର୍ଧଶ ଅନୁଯାୟୀ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରସାଦ ସ୍ୱାଇ ଆଜି ଗୃହରେ ବିବୃତି ରଖିଥିଲେ । ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ଏକ ବୋତଲରେ ଥିବା ସାନିଟାଇଜର ପିଇବାକୁ ଉଦ୍ୟମ କରୁଥିବା ବେଳେ ଗୃହରେ ଅସ୍ୱାଭାବିକ ପରିସ୍ଥିତି ଲକ୍ଷ୍ୟ କରାଯାଇଥିଲା ।
ଆଜି ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଧାନକିଣା ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ, ଗତ ଥର ବିଧାନସଭା ଧାନମଣ୍ଡି ସମସ୍ୟାକୁ ନେଇ ଅଚଳ ହୋଇଥିଲା । ପରେ ସର୍ବଦଳୀୟ ବୈଠକ ଡାକିଥିଲା ବାଚସ୍ପତି । ମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ ଯେ, ପ୍ରକୃତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣାଯିବ । ଦଲାଲ୍ମାନଙ୍କ ବିରୋଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ ଗିରଫ କରାଯିବ । ମାତ୍ର ଦୁର୍ଭାଗ୍ୟଜନକ କଥା ମନ୍ତ୍ରୀ ଗୃହରେ ବିବୃତି ରଖିବା ପରେ ମଣ୍ଡିରୁ ଧାନ ଉଠିଲା ନାହିଁ । ଚାଷୀ ଯିବେ ଏବେ କୁଆଡେ । ଚାଷୀମାନେ ଆତ୍ମହତ୍ୟା କରିବା ଭଳି ପ୍ରକ୍ରିୟା ଆରମ୍ଭ ହେଲାଣି । ରାଜ୍ୟ ସରକାର ଗୃହ ପ୍ରତି ଅବମାନନା କରିଛନ୍ତି ଓ ବିଶ୍ୱାସଘାତକତା କରିଛନ୍ତି । ଏହାଫଳରେ ରାଜ୍ୟବାସୀଙ୍କ ବିଧାନସଭା ପ୍ରତି ବିଶ୍ୱାସ ହଟିଯିବ । ବାଚସ୍ପତି ମହୋଦୟ ଆପଣଙ୍କର ବି ଦାୟିିିିତ୍ୱ ଅଛି, ଆପଣ କିଛି କରନ୍ତୁ । ଯଦି ରାଜ୍ୟ ସରକାର ତାଙ୍କ କଥା ନ ରଖିବେ ତେବେ ଗୃହ ଚାଲିବ କାହିଁ୍କି । ଟୋକନ ରିଇସ୍ୟୁ କରାଯାଉ । ସରକାର ସମସ୍ତ ଧାନ ନ କିଣିବା ଯାଏ ଗୃହ ଚାଲିବା ଉଚିତ୍ ନୁହେଁ । ଏହା ଗଣତନ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ । ମାତ୍ର ବାଚସ୍ପତି ପ୍ରଶ୍ନୋତର କାର୍ଯ୍ୟକ୍ରମ ଚାଲୁ କରିବାକୁ ଉଦ୍ୟମ କରିବା ଯୋଗୁଁ ଉଭୟ କଂଗ୍ରେସ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ପଶିଆସି ବିଭିନ୍ନ ଧ୍ୱନୀମାନ ଦେଇଥିଲେ । ଫଳରେ ଗୃହର ବାତାବରଣ ଅଣାୟତ ହୋଇପଡିବାକୁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପୁନ୍ନର୍ବାର ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରିସ୍ଥିତି ଅପରିବର୍ତିତ ରହିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତେବେ ଗୃହରେ ଆଜି ବିବୃତି ଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କୁ ବାଚସ୍ପତି ନିଦେ୍ର୍ଧଶ ଦେଇଥିଲେ ।
ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରକହିଛନ୍ତି, ଆମେ ଆଲୋଚନା କରିବା ପରେ ଯଦି କାର୍ଯ୍ୟ କରି ନ ହେଉଛି ତେବେ ଗୃହ ଚାଲିବ କାହିଁକି । ସରକାର ଗୃହରେ ଗାରିମା ଭାଙ୍ଗିଛନ୍ତି । ବାଚସ୍ପତି ମହୋଦୟ ଆପଣ ଯେଉଁ ନିଦେ୍ର୍ଧଶ ଦେଇଛନ୍ତି, ଗୃହ ଯେଉଁ ନିଷ୍ପତି ନେଇଛି ତାହା ଯଦି କାର୍ଯ୍ୟକାରୀ ହୋଇପାରୁନି, ତେବେ ଲୋକଙ୍କ ବିଶ୍ୱାସ ରହିବ । ଆଜି ବି ଅନେକ ମଣ୍ଡିରେ ଧାନ ପଡିଛି ଗାଈଗୋରୁ ଖାଉଛନ୍ତି, ଆମକୁ ଲୋକେ ପଚାରୁଛନ୍ତି । ତେଣୁ ଆମେ ଦାବି କରୁଛୁ, ସରକାର ତୁରନ୍ତ ଧାନ ଉଠାନ୍ତୁ । ଠିକ୍ ସେହିପରି ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ପର୍ଯ୍ୟନ୍ତ ଧାନ ଉଠୁନି, ସେ ପର୍ଯ୍ୟନ୍ତ ବିଧାନସଭା ଚାହଲିବାକୁ ଆମେ ଦେବୁନି । ବିଜେଡି ନେତା କହି କହିପାରୁନାହାନ୍ତି ଆମ ଦ୍ୱାରା କୁହାଉଛନ୍ତି । ସମସ୍ତଙ୍କ ଆତ୍ମା କାନ୍ଦୁଛି । ଶାସକ ଦଳର ନେତାମାନେ ଲବିରେ କହିଲେ, ଭଲ କରିଛ ଧାନ ପ୍ରସଙ୍ଗ ଉଠାଇଛ । ନବୀନ ପଟ୍ଟନାୟକ କୌଣସି ନେତାଙ୍କୁ ଅଧିକାର ଦେଇନାହାନ୍ତି ଗୃହରେ ନିଜ ସମସ୍ୟା କହିବା ଲାଗି । ହାତ ଯୋଡି କହୁଛି, ସବୁ ଧାନ ଉଠାଇବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ।

Leave A Reply

Your email address will not be published.

3 × one =