ସିନେ ଶ୍ରମିକଙ୍କୁ ଅଭିନେତାଙ୍କ ରାସନ ବଂଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କର ଫାଉଣ୍ଡେସନ୍’ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକ ଯଥା – ଟେକ୍ନିସିଆନ୍, ସ୍ପଟ୍ବୟ, ମେକପ୍ମ୍ୟାନ୍, ଫାଇଟର୍ ବଏ୍, ଲାଇଟ୍ବଏ୍ ପ୍ରଭୃତିଙ୍କୁ ରାସନ୍ ପ୍ରଦାନ କରାଯାଉଛି । ସରକାରଙ୍କ ଦ୍ୱାରା ଜନଗହଳି କରିବାକୁ ମନା ଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ କିଛି ସିନେ ଶ୍ରମିକଙ୍କୁ ଏକତି୍ରତ କରି ଅତ୍ୟାବଶ୍ୟକୀୟ ରାସନ୍ ବଂଟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା – ଅଟା, ଡାଲି, ଚାଉଳ, ତେଲ, ଲୁଣ, ମସଲା, ସାବୁନ ପ୍ରଭୃତି ବଂଟନ କରିଥିଲେ । ସିନେ ଶ୍ରମିକମାନେ ନିର୍ମାଣ ଶ୍ରମିକ ଭାବେ ପିକୃତ ହୋଇ ନଥିବାରୁ ବିଭିନ୍ନ ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି ଓ ଲକ୍ଡାଉନ୍ ପରଠାରୁ ସିନେମା ସୁଟିଂ ବନ୍ଦ ଥିବାରୁ ଏହି ଶ୍ରମିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଶ୍ରୀଯୁକ୍ତ କରଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଶ୍ରମିକମାନେ କୃତଜ୍ଞତା ଜ୍ଞାପନ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ କର ତାଙ୍କର ସମାଜସେବା ପାଇଁ ବହୁ ପୂର୍ବରୁ ଜନମାନସରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ନନ୍ଦନକାନନରେ କିଛି ପଶୁଙ୍କୁ ପୋଷ୍ୟରୂପେ ଗ୍ରହଣ କରିବା, ବସ୍ତି ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଯତ୍ନ ନେବା ଓ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର, ଯୁବ ସମାଜସେବୀ ମିର ଅହମ୍ମଦ ଅଲ୍ଲୀ, ଶାନ୍ତି ସ୍ୱରୂପ, ଶେଖର ମହାନ୍ତି, ନଳିନୀକାନ୍ତ ନାୟକ, ପ୍ରଦୀପ କୁମାର, ନୀରଜ, ଲୋକରନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

17 + seven =