ଭୁବନେଶ୍ୱର: ପୂବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇଛି । ଫଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏନ୍ଡି)ର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆସନ୍ତାକାଲି ଲଘୁଚାପ ଅବପାତରେ ପରିଣତ ହେବ । ଏହା କ୍ରମଶଃ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ ।
ଡଃ ମହାପାତ୍ର କହିଛନ୍ତି ଯେ, ବାତ୍ୟା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ । ଏହା ଉତର-ଉତର ପଶ୍ଚିମ ଦିଗକୁ ଗତ୍ି କରି ଉପକୂଳ ମୁହାଁ ହେବ । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ । ଉତର ଓଡିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ । ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେ ଏହା ନିର୍ଦ୍ଧିଷ୍ଟ ଭାବେ କେଉଁଠି ସ୍ଥଳ ଭାଗ ଛୁଇଁବ, ତାହା ଆକଳନ କରିନାହୁଁ । ତେବେ ଆସନ୍ତାକାଲି ଏହା ଅବପାତର ରୂପ ନେବା ପରେ କେଉଁଠି ଲ୍ୟାଣ୍ଡଫଲ କରିବ, ତା’ର ଆକଳନ କରାଯାଇପାରିବ । ୨୪ ତାରିଖରେ ସନ୍ଧ୍ୟାରୁ ଓଡିଶା ଉପକୂଳରେ ଘଂଟା ପ୍ରତି ୪୦ରୁ ୫୦ କି.ମି ବେଗରେ ପବନ ପ୍ରବାହିତ ହେବ । ଧୀରେ ଧୀରେ ପବନର ବେଗ ବଢିବ । ୨୫ ତାରିଖରେ ଘଂଟା ପ୍ରତି ୫୦ରୁ ୬୦ କିମି ହୋଇପାରେ ଏବଂ ଉପକୂଳ ଅଞ୍ଚଳରେ ବର୍ଷା ଲାଗି ରହିବ । ୨୬ ତାରିଖ ସକାଳେ ଘଂଟା ପ୍ରତି ୭୦ରୁ ୮୦ କିମି ବେଗରେ ଝଡ ପବନ ପ୍ରବାହିତ ହୋଇଥିବା ବେଳେ ସନ୍ଧ୍ୟାରୁ ୧୦୦ରୁ ୧୨୦ କି.ମି ବେଗରେ ପବନ ପ୍ରବାହିତ ହେବ । ତେବେ ଏହା ଏକ ଅତି ଭୀଷଣ ବାତ୍ୟା ହୋଇଥିବାରୁ ସ୍ଥଳଭାଗ ଛୁଇଁବା ବେଳେ ଘଂଟାପ୍ରତି ସର୍ବାଧିକ ୧୬୫ କି.ମି ବେଗରେ ପବନ ହେବ । ଘଂଟାପ୍ରତି ସର୍ବନିମ୍ନ ୧୨୦ କି.ମି ବେଗରୁ ପବନ ବୋହିବ । ସ୍ଥଳ ବିଶେଷରେ ପବନର ବେଗ ଘଂଟା ପ୍ରତି ୧୮୫ କି.ମି ହେବ ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏହି ଲଘୁଚାପ ପ୍ରଭାବରେ ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଶାନ୍ତ ରହିଛି । ୨୪ ତାରିଖ ପର୍ଯ୍ୟନ୍ତ ଏସବୁ ଅଞ୍ଚଳ ଅଶାନ୍ତ ରହିବ । ତା’ ପରେ ଉତର ବଙ୍ଗୋପସାଗର ଏବଂ ନିକଟସ୍ଥ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ ତାରିଖରୁ ୨୭ ତାରିଖ ଯାଏ ଅଶାନ୍ତ ରହିବ । ୨ମିଟର ଉଚତାରେ ଜୁଆର ଆସିବ ତେଣୁ ମତ୍ସ୍ୟଜୀବୀମାନେ ବର୍ତମାନ ସମୁଦ୍ର ଭିତରକୁ ନଯିବା ଲାଗି ସେ ପରାମର୍ଶ ଦେଇଛନ୍ତି ।