ସ୍ନାନଯାତ୍ରା ଆଜି : ଛେରାପହଁରା କରିବେନି ଗଜପତି

ପୁରୀ: କରୋନା କଟକଣା ମଧ୍ୟରେ ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ପୁରିରେ ଆଜି ରାତି ୧୦ଟାରୁ ୧୪୪ଧାରା ଜାରୀ କରାଯାଇଛି । ଅନ୍ୟପକ୍ଷରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସ୍ନାନ ଯାତ୍ରାରେ ମହାପ୍ରଭୁଙ୍କର ଛେରାପହଁରା କରିବେ ନାହିଁ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଜପତି ଛେରାପହଁରା ନୀତି କରିବେ ନାହିଁ ବୋଲି ଗଜପତି ମହାରାଜଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି । ତେଣୁ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଏଥର ସ୍ନାନ ଯାତ୍ରା ବେଳେ ଛେରାପହଁରା ନୀତି କରିବେ । ଗତବର୍ଷ ମଧ୍ୟ ସ୍ନାନଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିନଥିଲେ । ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିଛି ।ଆଦେଶ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସ୍ନାନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ନାନ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍ ଫୋର୍ସ ୫ ଜଣ ଅତିରିକ୍ତ ଏସ୍‌ପି, ୨୩ ଡିଏସ୍‌ପି ଏବଂ ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ସୁରକ୍ଷା ଦୃଷ୍ଟିରୁ ସହରକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଥିବା ବେଳେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ଶ୍ରୀକ୍ଷେତ୍ର ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ପାଇଁ ହାଇକୋର୍ଟରେ ଆବେଦନ ଉପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି କୋର୍ଟ । କୋଭିଡ୍ ସଂକ୍ରମଣ ଯୋଗୁ ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏ ସଂପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ କୋର୍ଟ ମନା କରିଦେଇଛନ୍ତି ।
ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ତେବେ ରଥଯାତ୍ରା ନେଇ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ମନା କରିବା ସହ ସବୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି ।

Leave A Reply

Your email address will not be published.

13 − eight =