ସମ୍ବଲପୁର,୨୪/୦୬ (ନି.ପ୍ର): ପାରମ୍ପରିକ ପୂଜାର୍ଚ୍ଚନା ପରେ ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ଆଜି ପୂର୍ବାହ୍ନ ୧୦ଟାରେ ପାରମ୍ପରିକ ପୂଜାଚ୍ଚର୍ନା ପରେ ୧୦ଟି ସୁଇସ୍ ଗେଟ୍ ଖୋଲି ଦିଆଯାଇଛି । ପ୍ରଥମେ ୭ନଂ ସୁଇସ୍ ଗେଟ୍ ଖୋଲାଯିବା ପରେ ୯ନମ୍ବର ଗେଟ୍ ଖୋଲା ଯାଇଥିଲା । ପର୍ଯ୍ୟାୟ କ୍ରମେ ଅନ୍ୟ ୮ଟି ଗେଟ୍ ଖୋଲା ଯାଇଥିଲା ବୋଲି ଜଳ ଭଣ୍ଡାର କର୍ତୃପକ୍ଷ କହିଛନ୍ତି । ସୂଚନା ଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ଜଳ ଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ଏବେ ୬୧୬ଫୁଟ ଜଳ ରହିଛି । ଗତ ୧୫ତାରିଖରୁ ସୁନ୍ଦରଗଡ, କୁଚିଣ୍ଡା ଅଞ୍ଚଳରେ ବର୍ଷା ଯୋଗୁ ଭେଡେନ୍ ନଦୀରେ ପାଣିପ୍ରବାହ ଏବଂ ଛତିଶଗଡ ବ୍ୟାରେଜ୍ ଖୋଲା ବୋ ଯୋଗୁ. ଜଳଭଣ୍ଡାରରେ ଜଳପତନ ବୃଦ୍ଧି ପାଇଥିଲା । ପୂର୍ବରୁ ବି ଜଳ ଭଣ୍ଡାରରେ ଅଧିକ ପାଣି ଥିବାରୁ ଜୁନ ମାସରୁ ଗେଟ୍ ଖୋଲିବା ପାଇଁ ନଦୀବନ୍ଧ କର୍ତୃପକ୍ଷ ନିଷ୍ପତି ନେଇଥିଲେ । ବୁର୍ଲା ଓ ଚିପିଲାମା ଜଳ ବିଦ୍ୟୁତ ଉପତ୍ପାଦନ କେନ୍ଦ୍ର ମଧ୍ୟ କ୍ଷମତା ଅନୁସାରେ ପାଣି ନେଉଥିବାରୁ ଏତେ ଶିଘ୍ର ଗେଟ୍ ଖୋଲିବାକୁ ନଦୀବନ୍ଧ କର୍ତୃପକ୍ଷ ଏକରକମ ବାଧ୍ୟ ହୋଇଥିବା କିଛି ବିଶେଷଜ୍ଞ କହିଛନ୍ତି ।