ଭୁବନେଶ୍ୱର : ଓଡିଶାର ୧୮୩ଟି ଘରୋଇ ହସ୍ପିଟାଲରେ କୋଭିଡ୍ -୧୯ ଟୀକାକରଣ ହେବ । ଏଥିପାଇଁ ରାଜ୍ୟକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏହି ଅନୁମତି ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଥିଲେ । ଅନୁମତି ମିଳିବା ପରେ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗ୍ୟ ନାଗରିକମାନଙ୍କ ନିମନ୍ତେ ଘରୋଇ କୋଭିଡ୍ ଟୀକରଣ କେନ୍ଦ୍ର ଭାବେ ଉପଯୋଗ ହେବ । ଏହାସହିତ ବିଭାଗ ମଧ୍ୟ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ଓ ନୋଡାଲ ଅଫିସରମାନଙ୍କର ତାଲିକା ଜାରି କରିଛି ।
ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କିଭଳି ହେବ ସେ ନେଇ ମଧ୍ୟ କୋୱିନ ଗାଇଡଲାଇନ୍ ଜାରି ହୋଇଛି । ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନରୁ କୋୱିନ୍ ପୋର୍ଟାଲକୁ ଯାଇ ନିଜକୁ ପଞ୍ଜିକୃତ କରାଇବେ । ମୋବାଇଲ ଫୋନକୁ ଓଟିପି ନମ୍ବର ଆସିବାପରେ ସେ ନିଜର ସବିଶେଷ ତଥ୍ୟ ଦାଖଲ କରିବେ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ଜଣଙ୍କ ନାଁ ପଞ୍ଜିକୃତ ହୋଇପାରିବ ।
ଯେଉଁସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଟୀକାକରଣ କେନ୍ଦ୍ର ହେବ ସେଠାରେ କୋଭିଡ୍ ଟୀକା ରଖିବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ଉପକରଣ ଓ କ୍ଷମତା ଥିବା ଜରୁରୀ । ଟୀକାକରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ସ୍ଥାନ ଯଥା-ୱେଟିଂ ରୁମ୍ , ଟୀକାକରଣ ଗୃହ ଓ ଟୀକାକରଣ ପରେ ସ୍ଥିତି ପରଖିବା ପାଇଁ ଗୃହର ସୁବିଧା ରହିଥିବା ଜରୁରୀ । ଟୀକାକରଣ ନିମନ୍ତେ ଯଥେଷ୍ଟ ସଂଖ୍ୟକ ପ୍ରଶିକ୍ଷକ ଟୀକା ପ୍ରଦାନକାରୀ ଓ ଯାଂଚକାରୀ ରହିବା ଉଚିତ୍ ।
ଓଡିଶାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ପ୍ରାଇଭେଟ୍ ହସ୍ପିଟାଲ ଗୁଡିକୁ କୋଭିଡ୍ ଟୀକାକରଣ ପାଇଁ ଅନୁମତି ଦେବାକୁ କେନ୍ଦ୍ରକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଥିଲେ । ଏହାସହ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିବା ଚିଠିରେ ଜଣାଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ଏହା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଥିବା ଘରୋଇ ହସ୍ପିଟାଲ ଗୁଡିକୁ ଟୀକାକରଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ।