୨୦୨୨ ସୁଦ୍ଧା ମିଳିବ ୧୫୦୦ ମେଗାୱାଟ୍ ସୌର ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ଚାହିଦା ପୂରଣ ପାଇଁ ସବୁଜ ଶକ୍ତି ଉତ୍ପାଦନ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାୟୁମଣ୍ଡଳରେ ଅଙ୍ଗାରକମ୍ଳ ପରିମାଣ ହ୍ରାସ ପାଇଁ ଏଣିକି ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି କରାଯିବ । ଆସନ୍ତା ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗା ୱାଟ୍ ସୌର ଶକ୍ତି ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସବୁଜ ଶକ୍ତି ଉତ୍ପାଦନ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଲେ, ରାଜ୍ୟରେ ଅଧିକରୁ ଅଧିକ ସୌର ଶକ୍ତି ବିଦ୍ୟୁତ ଉତ୍ପାଦନ କରିବାକୁ ପଡ଼ିବ । ଏ ଦିଗରେ ଓରେଡା ଏବଂ ଜେଡ୍କଲ୍ କାମ କରିବାକୁ ଦରକାର । ରାଜ୍ୟରେ ସୌର ଶକ୍ତି ବିଦ୍ୟୁତ ପର୍ଯ୍ୟପ୍ତ ସମ୍ଭାବନା ଥିବାରୁ ବାଣିଜ୍ୟ ର ଭିତିରେ ଅଧିକ ଉତ୍ପାଦନ କରିବାକୁ ହେବ । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ଶାସନ ସଚିବ ତଥା ଜେଡ୍କଲ୍ ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ କହିଲେ, ସୌର ଶକ୍ତି ବିଦ୍ୟୁତ ଉତ୍ପାଦନ ବୃଦ୍ଧି ଦିଗରେ କାର୍ଯ୍ୟ କରାଯାଉଛି । ରାଜ୍ୟ ବର୍ତମାନ ପ୍ରତିଯୋଗିତାମୂଳକ ଦରରେ ସୌର ଶକ୍ତି ବିଦ୍ୟୁତ ଉତ୍ପାଦନ କରିପାରୁଛି । ୟୁନିଟ୍ ପିଛା ୨ ଟଙ୍କା ୭୧ ପଇସା ଦରରେ ଏହା ସମ୍ଭବ ହେଉଛି । ବର୍ତମାନ ଜେଡ୍କଲ୍ ଏବଂ ଓରେଡା ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୭୪ ମେଗାୱାଟ୍ ସୌର ବିଦ୍ୟୁତ ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି । ଓରେଡା ଆଉ ୪୬୦ ମେଗାୱାଟ୍ ପ୍ଲାଂଟ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରିଛି । ବୈଠକରେ ନିଷ୍ପତି ହେଲା, ଜେଡ୍କଲ୍ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର ୪ଟି ସ୍ଥାନରେ ୨୭୫ ମେଗାୱାଟ୍ କ୍ଷମତା ପ୍ଲାଂଟ ପ୍ରତିଷ୍ଠାକରିବ । ବୃହତ୍ ଜଳାଶୟଗୁଡ଼ିକ ଉପରେ ୫ ଶହ ମେଗାୱାଟ୍ ଭାସମାନ ପ୍ଲାଂଟ ପ୍ରତିଷ୍ଠା କରିବ । ଏହା ବାଦ୍ ୧୯ ମେଗାୱଟ୍ର ଛାତ ଉପର ପ୍ଲାଂଟ ଓ ୮ ମେଗାୱାଟ୍ ଭୂମି ଉପରେ ପ୍ଲାଂଟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ କୁଞ୍ଜବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + fifteen =