୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ସବୁ ଠିକଠାକ୍ ଚାଲିଲେ ଏହି ସମୟ ସୁଦ୍ଧା ପୁରୀକୁ ବିମାନ ଉଡାଣ ସମ୍ଭବ ହେବ । ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ପ୍ରତିଷ୍ଠାଲାଗି ଏବେ ଜମିଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ କେନ୍ଦ୍ରୀୟ ଟିମ୍ ମଧ୍ୟ ପ୍ରସ୍ତାବିତ ବିମାନ ବନ୍ଦର ଅଞ୍ଚଳ ଅନୁଧ୍ୟାନ କରି ଫେରିଛନ୍ତି । ବର୍ତ୍ତମାନ କରୋନା ପାଇଁ ବିମାନ ବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି ।
ସେ ଅହୁରି କହିଛନ୍ତି ଯେ, ରାଉରକେଲା, ଉତକେଲା, ଜୟପୁର, ରଙ୍ଗେଇଲୁଣ୍ଡାରୁ ଉଡ଼ାଣ ପାଇଁ ସହଯୋଗ କରୁଛୁ । ଏହାସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି ।
ଆହୁରି ମଧ୍ୟ ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ହୋଇଯାଇଥିବା କହିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାମାରୀ କରୋନା ଯୋଗୁଁ ରାଜ୍ୟରେ ପରିବହନ ବିଭାଗ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ ଏବେ କେତେକ ଜିଲ୍ଲାରେ ବସ ଚଳାଚଳ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

eighteen − 14 =