୨୬ରେ ଭଦ୍ରକ ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ । ଏହି ଅବସରରେ ସେ ବିଜେପିର ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା ବି କରିବେ । ଏହାଛଡ଼ା କେନ୍ଦ୍ର ଗୃହମନ୍ତ୍ରୀ ଭଦ୍ରକର କେତେକ ଐତିହାସିକ ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛ । ଅମିତ ଶାହଙ୍କର ଢେଙ୍କାନାଳ ଓ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରବାସ କାର୍ଯ୍ୟକ୍ରମ ରହିଛି । ତେବେ ସେ ଆଗେ ଭଦ୍ରକ ଆସିବେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳୁଥିବା ବେଳେ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି । ଆଉ ଏସବୁ ଭିତରେ ବିଜେପିର ଚାଣକ୍ୟ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି । ଯେହେତୁ ପଶ୍ଚିମ ଓଡ଼ିଶାରେ ବିଜେପିର ସଙ୍ଗଠନ ସୁଦୃଢ଼ ଅଛି, ତେଣୁ ଚଳିତ ଗସ୍ତରେ ଉପକୂଳ ଓଡ଼ିଶା ଉପରେ ଫୋକସ କରିଛନ୍ତି ଶାହା । ଯେଉଁଥିପାଇଁ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ପାଇଁ ଭଦ୍ରକ ନିର୍ବାଚନମଣ୍ଡଳୀକୁ ବାଛିଥିବା କୁହାଯାଉଛି । ସୂଚନାଯୋଗ୍ୟ, ପୂର୍ବରୁ ଗତବର୍ଷ ଅଗଷ୍ଟ ୮ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶେଷ ଥର ଲାଗି ଓଡ଼ିଶା ଆସିଥିଲେ । ସେ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ର ୭୫ ବର୍ଷ ପୂର୍ତ୍ତି ଅବସରରେ କଟକର ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସମାରୋହରେ ଯୋଗଦେଇଥିଲେ ।

Leave A Reply

Your email address will not be published.

16 − fifteen =