୩୧ ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର : ୪ ଗିରଫ

ଯାଜପୁର: ବିଭିନ୍ନ ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି ଚୋରି କରୁଥିବା ଗ୍ୟାଙ୍ଗଙ୍କୁ ଯାଜପୁର ପୁଲିସ ଠାବ କରିଛି । ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଜବତ କରିଛି । ଅଭିଯୁକ୍ତମାନେ ହେଲେ ଅରବିନ୍ଦ କୁମାର ସିଂହ (୪୩), ବାବର ଓରଫ ଜାଭେଦ୍ (୪୦), ବିଜୟ ଶୁକ୍ଲା ଓରଫ ପଣ୍ଡିତ (୪୫) ଓ ଶଶୀଧର ନାଏକ (୪୯) । ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଥମ ୩ ଜଣଙ୍କ ଘର ଉତ୍ତର ପ୍ରଦେଶର ହୋଇଥିଲା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ନିବାସୀ ଅଟନ୍ତି । ଅଭିଯୁକ୍ତମାନଙ୍କ ଠାରୁ ବନ୍ଧୁକ ସହ ଗୁଳି ଓ ମୋବାଇଲ ମଧ୍ୟ ଜବତ ହୋଇଛି । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ଅଛି । ପୁଲିସ କହିଛି ଅଭିଯୁକ୍ତମାନେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୂର୍ତ୍ତି ଚୋରି କରିଥିଲେ । ମୂର୍ତ୍ତିଗୁଡ଼ିକ ବାହାରେ ବିକ୍ରି କରିବାକୁ ଯୋଜନା କରିଥିଲେ । ଗତ ଫେବ୍ରୁଆରି ମାସ ୧୯/୨୦ ତାରିଖରେ ଜୋନାପୁର ପୁଲିସ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋର ହୋଇଥିଲା । ଯାଜପୁର ଟାଉନ ଥାନା ଅନ୍ତର୍ଗତ ରଘୁନାଥ ଜିଉ ମନ୍ଦିରରୁ ଚୋରମାନେ ଫେବ୍ରୁଆରି ୨୦ ତାରିଖ ରାତିରେ ୧୯ଟି ମୂର୍ତ୍ତି ଚୋରି କରିଥିଲେ । ସେହିଭଳି ୨୦୨୨ ନଭେମ୍ବର ୧୧/୧୨ ତାରିଖ ରାତିରେ ଧର୍ମଶାଳା ଅଞ୍ଚଳରେ ଥିବା ସିଦ୍ଧ ବଳଦେବ ଜିଉ ମନ୍ଦିରରୁ ଚୋରି ହୋଇଥିଲା । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଧ୍ୟରାତ୍ରିରେ ମୂର୍ତ୍ତି ଚୋରି ହେଉଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ମୂର୍ତ୍ତି ଚୋରଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୧ଟି ମୂର୍ତ୍ତି ଓ ନମ୍ବରବିହୀନ ଏକ ବାଇକ୍ ଜବତ କରିଛି ।

Leave A Reply

Your email address will not be published.

three × five =