ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ମୁକାବିଲା ପାଇଁ ରାଜ୍ୟ ସରକାର ୩କୋଟି ୮୦ ଲକ୍ଷ ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରିଛନ୍ତି । ଆସନ୍ତା ୪ ମାସ ମଧ୍ୟରେ ଏହି ଟିକା ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
ଏଠାରେ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୪ମାସ ଭିତରେ ନିଦ୍ଧିଷ୍ଟ କମ୍ପାନୀ ଓଡିଶାକୁ ଏହି ଟିକା ଯୋଗାଇବ । ଏଥିପାଇଁ ଆସନ୍ତା ୧୯ ତାରିଖରେ ପ୍ର୍ରି-ବିଡ୍ କରାଯିବ । ତେବେ ଆସନ୍ତା ୨୮ ତାରିଖ ସୁଦ୍ଧା ଗ୍ଲୋବାଲ୍ ଟେଣ୍ଡରରେ କମ୍ପାନୀ ଗୁଡିକ ଭାଗ ନେଇପାରିବେ । ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବାରେ ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ । ଏହି ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱର ଯେକୌଣସି କୋଣରୁ କୌଣସି କମ୍ପାନୀ ଯୋଗ ଦେଇପାରିବ ବୋଲି ସେ କହିଛନ୍ତି ।
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ମହାମାରୀ କରୋନାର ତୃତୀୟ ଲହର ଆହୁରି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି । ଟିକା ମିଳିଲେ ଖୁବ୍ ଶିଘ୍ର ରାଜ୍ୟରେ ସାର୍ବ ଜନୀନ ଟିକା କରଣ ଆରମ୍ଭ ହେବ । ତେବେ ଟିକା କରଣ ଏବଂ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠନ କରିଛନ୍ତି । କ୍ଷାତାନାମା ଡାକ୍ତର ଶ୍ରୀ ନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି ପରାମର୍ଶ ଦାତା କମିଟି ଗଠନ କରାଯାଇଛି । କମିଟିରେ ବହୁ ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ସଦସ୍ୟ ଅଛନ୍ତି । ଟିକାକରଣ ଓ କରୋନାର ତୃତୀୟ ଲହରୀ ମୁକାବିଲା ପାଇଁ ଏହି କମିଟି ପରାମର୍ଶ ଦେବ । କମିଟିର ପରାମର୍ଶ ଅନୁଯାୟୀ ସରକାର ମହାମାରୀର ମୁକାବିଲା ପାଇଁ ପଦକ୍ଷେପ ନେବେ । ଆଗକୁ କରୋନାର ଯେଉଁ ଲହରୀ ଆସିବ ତାହା ଶିଶୁମାନଙ୍କୁ ସଂକ୍ରମିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଶିଶୁମାନଙ୍କ ଚିକିତ୍ସା ପାଇଁ କ’ଣ ଭିତିଭୂମି ଆବଶ୍ୟକ ସେ ନେଇ କମିଟି ପରାମର୍ଶ ଦେବ । ଏହି କମିଟିରେ ଡାକ୍ତର ଦେବୀ ସେଟ୍ଟୀ, ଡାକ୍ତର ରମାକାନ୍ତ ପଣ୍ଡା ପ୍ରମୁଖ ସଦସ୍ୟ ଅଛନ୍ତି । ବିଶ୍ୱର ବିଭିନ୍ନ ଦେଶରେ କିଭଳି କରୋନାର ମୁକାବିଲା କରାଯାଇଛି ସେହି ଅନୁଯାୟୀ ଭବିଷ୍ୟତ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୫ ତାରିଖରୁ ଆମେ ଏବେ ଲକ୍ଡାଉନ୍ରେ ରହିଛୁ । ଲକ୍ଡାଉନ୍ର ୧୦ ଦିନ ପରେ ରାଜ୍ୟରେ ପଜିଟିଭ୍ ହାର ୧୦ରୁ ୧୨ହଜାର ମଧ୍ୟରେ ରହିଛି । ତେବେ ପଶ୍ଚିମ ଜିଲ୍ଲା ଗୁଡିକରେ ପଜିଟିଭ୍ ହାର ଧିରେ ଧିରେ କମିବାରେ ଲାଗିଛି । ଭଦ୍ରକ, ବଲାଙ୍ଗୀର, ଦେବଗଡ, ନବରଙ୍ଗପୁର, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଆଦି ଜିଲ୍ଲାରେ ସଂକ୍ରମଣ ହାର କମିଛି । ଏହା ସତ୍ୱେ ଲକ୍ଡାଉନ୍ର ୧୦ଦିନ ପରେସଂକ୍ରମଣ ୧୦ହଜାର ଉପରେ ରହିଛି । ସେ ଆହୁରି କହିଛନ୍ତି ଯେ, ଗତ ବର୍ଷ ରାଜ୍ୟରେ ସଂକ୍ରମଣ ହାର ୮ହଜାର ମଧ୍ୟରେ ଥିବା ବେଳେ କୋଭିଡ୍ ହସ୍ପିଟାଲରେ ଦୈନିକ ୮ହଜାର ରୋଗୀ ଚିକିତ୍ସିତ ହୋଇଥିଲେ । ଏବେ କିନ୍ତୁ ଦୈନିକ ୧୫ ହଜାର ରୋଗୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୩ହଜାର ଆଇସିୟୁ, ଭେଂଟିଲେଟରରେ ଅଛନ୍ତି । ପଜିଟିଭ୍ ହାର ଧିରେ ଧିରେ କମିବା ଆମ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ତେଣୁ ଆମେ ଯଦି ଆଉ ୧୦ରୁ ୧୫ ଦିନ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବା ତେବେ ଆମେ ସଂକ୍ରମଣକୁ ରୋକିବାରେ ସମର୍ଥ ହୋଇପାରିବା । ସମସ୍ତେ ପୂର୍ବଭଳି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ପାଳନ କରିବା ସହ କାମ ନଥିଲେ ଘରଭିତରେ ନିଜକୁ ଆବଦ୍ଧ ରଖିଲେ କରୋନାକୁ ହରାଇ ପାରିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।