କଟକ: କଟକ ସହରର ମାଛୁଆ ବଜାରରେ ଘର ଭିତରେ ଖୋଲିଥିଲା ମଦ ବାର୍। ଗାନ୍ଧୀ ଜୟନ୍ତୀରେ ମଦ କାରବାର କରିବାକୁ ଘରେ ବିପୁଳ ପରିମାଣରେ ମଦ ଗଚ୍ଛିତ କରି ରଖାଯାଇଥିଲା। ମଙ୍ଗଳାବାଗ ଥାନା ପୁଲିସ ଖବର ପାଇ ଏହି ବେଆଇନ ମଦ ବାର୍ ଉପରେ ଚଢ଼ାଉ କରିଛି। ପୁଲିସ ଉଭୟ ମଦ ଦୋକାନୀ ଓ ମ୍ୟାନେଜରକୁ ଗିରଫ କରିଛି। ମାଛୁଆବଜାରର ମଦଦୋକାନୀ ଅଭିଯୁକ୍ତ କୁଶା ସାହୁ(୫୦) ଏବଂ ମ୍ୟାନେଜର ଦୀପକ ଦଳାଇ ଓରଫ ମିଥୁନ(୨୭)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟଙ୍କ ନିକଟରୁ ପୁଲିସ ୪୧.୨୫୦ ଲିଟର୍ ମଦ ଏବଂ ୩୮ ହଜାର ୭୦୦ ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ, ଗଲା ୨ ତାରିଖ ସନ୍ଧ୍ୟାରେ ମାଛୁଆବଜାର ଅଞ୍ଚଳର ମିଥୁନ ଓରଫ ଦୀପକ ଦଳାଇ ନିକଟରେ ବିପୁଳ ପରିମାଣରେ ବେଆଇନ ମଦ ଗଚ୍ଛିତ ଥିବା ମଙ୍ଗଳାବାଗ ଥାନା ପୁଲିସ ଖବର ପାଇଥିଲା। ପୁଲିସ ମଦ ଗଚ୍ଛିତ ଥିବା ମିଥୁନର ଘରେ ଅତର୍କିତ ଚଢ଼ାଉ କରି ୪୧.୨୫୦ ଲିଟର ମଦ ଜବତ କରିଥିଲା। ଘଟଣାସ୍ଥଳରୁ ସିଲ୍ ଖୋଲାଯାଇଥିବା ମଦ ବୋତଲ, ଗ୍ଲାସ ବି ଜବତ ହୋଇଥିଲା।