ଭୁବନେଶ୍ୱରକୁ ୨ଟି ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ୱର: ମନ୍ଦିରମାଳିନୀ ସହର ତଥା ଦେଶର ପ୍ରମୁଖ ସ୍ମାର୍ଟ ସିଟି ଭୁବନେଶ୍ୱର ଏଥର ମଧ୍ୟ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡସ କଣ୍ଟେଷ୍ଟ (ଆଇଏଏସ୍‌ସି)ରେ ଦୁଇଟି ପୁରସ୍କାର ହାସଲ କରିଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ଦୁଇଟି ପ୍ରମୁଖ ପ୍ରକଳ୍ପ ଯଥା, ସାମାଜିକ ପ୍ରସଙ୍ଗ ବିଭାଗରେ ‘ସୋସିଆଲ୍ ସ୍ମାର୍ଟ ଭୁବନେଶ୍ୱର’ ଓ ସ୍ୱତନ୍ତ୍ର ପ୍ରକଳ୍ପ ବିଭାଗରେ ‘ଭୁବନେଶ୍ୱର.ମି’ ପୋର୍ଟାଲ ପାଇଁ ଭୁବନେଶ୍ୱରକୁ ଏହି ପୁରସ୍କାର ମିଳିଛି । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ସ୍ମାର୍ଟ ସିଟି ମିସନ୍‌’ର ଷଷ୍ଠ ବାର୍ଷିକୋତ୍ସବ ପାଳନ ଅବସରରେ ଦେଶର ସମସ୍ତ ସ୍ମାର୍ଟ ସିଟି ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜି ଅପରାହ୍ନରେ ଦିଲ୍ଲୀରେ ମନ୍ତ୍ରାଳୟ ପକ୍ଷରୁ ଆଇଏଏସ୍‌ସି-୨୦୨୦ ପୁରସ୍କାର ଘୋଷଣା କରାଯାଇଛି । ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ୧୦୦ଟି ସ୍ମାର୍ଟ ସିଟି ଅଂଶଗ୍ରହଣ କରିଥିଲେ ।
ସାମାଜିକ ପ୍ରସଙ୍ଗ ବିଭାଗରେ ‘ସୋସିଆଲ୍ ସ୍ମାର୍ଟ ଭୁବନେଶ୍ୱର’ ପ୍ରକଳ୍ପ ପାଇଁ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶର ସ୍ମାର୍ଟସିଟି ତିରୁପତି । ସେହିପରି ତୃତୀୟ ସ୍ଥାନରେ କର୍ଣ୍ଣାଟକର ତୁମାକୁରୁ ସହର ରହିଛି । ଅନ୍ୟପକ୍ଷରେ ସ୍ୱତନ୍ତ୍ର ପ୍ରକଳ୍ପ ବିଭାଗରେ ଗୁଜୁରାଟର ଭୋଦଦରା ସହର ପ୍ରଥମ ଓ ମହାରାଷ୍ଟ୍ରର ଥାନେ ସହର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ‘ଭୁବନେଶ୍ୱର.ମି’ ପୋର୍ଟାଲ ପାଇଁ ଭୁବନେଶ୍ୱର ତୃତୀୟ ସ୍ଥାନ ଅଧିକାର କରିଛି । ଏହି ପୁରସ୍କାର ମିଳିବା ପରେ ସ୍ମାର୍ଟସିଟିର ସିଇଓ ସଞ୍ଜୟ କୁମାର ସିଂହ ଖୁସି ବ୍ୟକ୍ତ କରି କହିଛନ୍ତି, ଆମେ ଆମ ନୂତନ ପରିକଳ୍ପନା ଓ ଯୋଜନା ଦ୍ୱାରା ଏହି ପୁରସ୍କାର ପାଇବା ସମ୍ଭବ ହୋଇଛି । ଭବିଷ୍ୟତରେ ଏହି ଭଳି ଆହୁରି ଅନେକ ନାଗରିକଭିତ୍ତିକ ପ୍ରକଳ୍ପ ଆସିବ ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଓ ୟୁଏନ୍‌ଏଫ୍‌ପିଏର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଲୋକଭିତ୍ତିକ କାର୍ଯ୍ୟକ୍ରମ ହେଉଛି ‘ସୋସିଆଲ୍ ସ୍ମାର୍ଟ ଭୁବନେଶ୍ୱର’ । ଏହା ସହରର ଯୁବପିଢ଼ିଙ୍କ ସମୃଦ୍ଧି, ସୁରକ୍ଷା ଓ ସମାନତା ଦିଗରେ କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ‘ହମାରା ବଚପନ୍‌’ କାର୍ଯ୍ୟାନ୍ୱୟନ ଅଂଶୀଦାର ଭାବେ କାର୍ଯ୍ୟ କରୁଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଭୁବନେଶ୍ୱରକୁ ଭିତ୍ତିଭୂମି, ଅର୍ଥନେତିକ, ବେଷୟିକ ଜ୍ଞାନକେଶଳ ଆଦି ଦିଗରେ ଏକ ଆନ୍ଦୋଳନ ସୃଷ୍ଟି କରିବା ସହ ଲୋକଙ୍କ ଜୀବନଧାରଣର ମାନ ବଢ଼ାଇବାର ଅଭିପ୍ରାୟ ରହିଛି । ଏହା ଫଳରେ ଉନ୍ନତମାନର ସହର ଓ ସମ୍ପ୍ରଦାୟ ଗଠନ ଦିଗରେ ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ । ୨୦୧୭ ମସିହା ଜାନୁଆରି ପହିଲାରୁ ଭୁବନେଶ୍ୱରର ୮ଟି ବସ୍ତି ଅଞ୍ଚଳରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହା ୧୦୦ଟି ବସ୍ତି ଓ ୮୦ଟି ଶିକ୍ଷାନୁଷ୍ଠାନକୁ ସଂପ୍ରସାରିତ ହୋଇସାରିଛି । ଉଭୟ ସାଂପ୍ରଦାୟିକ ଓ ଆନୁଷ୍ଠାନିକ ସ୍ତରରେ ଯୁବପିଢ଼ି ହିଁ ଏହାର ପ୍ରମୁଖ ହିତାଧିକାରୀ ଅଟନ୍ତି । ଏକ ଯୁବକେନ୍ଦ୍ରୀୟ ତଥା ଯୁବନେତୃତ୍ୱାଧୀନ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହା ଫଳରେ ସହରର ନାଗରିକମାନେ ଯେକୌଣସି ପ୍ରକଳ୍ପ ସହ ଯୋଡ଼ି ହୋଇପାରିବେ । ଏଥି ସହ ବସ୍ତି ଅଞ୍ଚଳର ମହିଳାମାନଙ୍କର ସାମାଜିକ, ସ୍ୱାସ୍ଥ୍ୟଗତ ଓ ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟରତ । ଏହି ପ୍ରକଳ୍ପ ଅଧୀନରେ ପ୍ରଗତି ସାଥୀ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯାଉଛି । ଏମାନେ ମହିଳାମାନଙ୍କ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସାମାଜିକ ପ୍ରସଙ୍ଗ ଉପରେ କାର୍ଯ୍ୟ କରିବା ସହ ମହିଳାଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ସେହିପରି ଭୁବନେଶ୍ୱର ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ଭୁବନେଶ୍ୱର.ମି (ଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ.ଜ୍ଞର) ପୋର୍ଟାଲର ଆରମ୍ଭ କରାଯାଇଛି । ଏହା ଦ୍ୱାରା ସହରର ନାଗରିକମାନେ ଦରଖାସ୍ତ ଦେଇ ସାଧାରଣ ସେବାର ଆବଶ୍ୟକତାକୁ ପୂରଣ କରିପାରିବେ । ଏହି ପୋର୍ଟାଲ ବର୍ତ୍ତମାନ ସୁଦ୍ଧା ୧୬ଟି ସରକାରୀ ଅନୁଷ୍ଠାନର ୧୦୦ରୁ ଅଧିକ ନାଗରିକ ସେବା ଯୋଗାଇ ଦେଉଛି । ଲୋକଙ୍କ ସୁବିଧାକୁ ନଜରରେ ରଖି ଏହି ନାଗରିକ ସେବାକୁ ୯ଟି ବିଭାଗରେ ବ୍ୟବସ୍ଥିତ କରାଯାଇଛି । ଯେପରିକି ସୁରକ୍ଷିତ ଜନ ପରିବହନ, ହାଇସ୍ପିଡ୍‌? ୱାଇଫାଇ ସେବା, ନାଗରିକ ସେବା, ସିଟି ଇଭେଣ୍ଟ୍‌ସ୍ ଓ ସିଟି ମ୍ୟାପ୍ । ଏବେ ସୁଦ୍ଧା ଏହି ପୋର୍ଟାଲର ୪ ଲକ୍ଷରୁ ଅଧିକ ବ୍ୟବହାରକାରୀ ରହିଥିବା ବେଳେ ଏହି ପୋର୍ଟାଲ ଜରିଆରେ ପ୍ରାୟ ୨ ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ ହୋଇପାରିଛି ।

Leave A Reply

Your email address will not be published.

1 × one =