ଭୁବନେଶ୍ବର : ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବିଶେଷ ଜଣାପଡ଼ିନାହିଁ । ତେବେ ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ପ୍ରାୟ ଦିନ ଗୋଟାଏ ବେଳେ ଉକ୍ତ ପେଟ୍ରୋଲ୍ ଟାଙ୍କିରେ ଏକ ଟ୍ରକରୁ ଏଲପିଜି ସିଲିଣ୍ଡର ଓହ୍ଲା ଯାଉଥିଲା। ଏହି ସମୟରେ ଏକ ବିରାଟ ଶବ୍ଦ ହୋଇ ବିସ୍ଫୋରଣ ଘଟିଥିଲା। ତା’ପରେ ନିଆଁ ଭୟଙ୍କର ଭାବେ ବହୁ ଉଚ୍ଚକୁ ଉଠି ଜଳୁଥିବା ଦେଖାଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଟାଙ୍କିରେ କାମ କରୁଥିବା ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ନିଟକରେ ଥିବା କେତେକ ଘରର କାଚ ଝରକା ଭାଙ୍ଗି ଯାଇଥିବା ଜଣାପଡ଼ିଛି।