ଭୁବନେଶ୍ବର: ଦୁର୍ଗାପୂଜା ଛୁଟି ପରେ କଲେଜ ଖୋଲିପାରେ। କଲେଜ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ସ୍କୁଲ ଓ କଲେଜ ବନ୍ଦ ରହିଛି । ଅନଲାଇନ ଜରିଆରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ଅନୁଧ୍ୟାନ କରିବାକୁ ଦଶଦିନ ତଳେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗ ସାମିଲ ହୋଇଛନ୍ତି । ଅନୁଧ୍ୟାନ ପାଇଁ ଛଅଟି ସବ୍ କମିଟି ଗଠନ କରାଯାଇଛି । ସେମାନେ ରିପୋର୍ଟ ଦେବା ପରେ ଏହାର ପ୍ରଚଳନ ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଥିବା ବେଳେ କଲେଜ ଖୋଲିପାରେ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ସଚିବ କହିଛନ୍ତି। ତେବେ କଲେଜ ଖୋଲିବା ନେଇ ସମସ୍ତ ନିଷ୍ପତ୍ତି ସରକାର ନେବେ ବୋଲି ଶାଶ୍ୱତ ମିଶ୍ର ସ୍ପଷ୍ଟ କରିଛନ୍ତି ।