ବାଲେଶ୍ବର : ପଇସା ଆଗରେ ତୁଚ୍ଛ ହେଲା ବାପ ଝିଅର ସମ୍ପର୍କ। ସାମାନ୍ୟ କେଇଟା ଟଙ୍କା ପାଇଁ ନିଜ ନାବାଳିକା ଝିଅକୁ ବିକ୍ରି କରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ସିଂଲା ଥାନା ଅଞ୍ଚଳରେ।
ବସ୍ତା ବ୍ଲକ, ଇଡ଼ଦା ପଞ୍ଚାୟତ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅ(୧୫)କୁ ୬୫ ହଜାର ଟଙ୍କାରେ ଏହି ଥାନା ଅଞ୍ଚଳର ଜଣେ ବିବାହିତ ଯୁବକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ସାମାଜିକ କର୍ମୀ ଆନନ୍ଦ ବେହେରା ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ନାବାଳିକା ଝିଅ ଘର ଛାଡ଼ି ଅନ୍ୟ ଜଣେ ଯୁବକଙ୍କ ସହିତ ପଳାଇଥିଲା। ସେତେବେଳେ ଏହି ସମାଜସେବୀ ଆନନ୍ଦ ବେହେରା ସିଂଲା ଥାନାଧିକାରୀଙ୍କ ସହାୟତାରେ ନାବାଳିକାକୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ଏହି ଘଟଣା ପରେ ରାକ୍ଷସ ବାପା ଅର୍ଥ ଲୋଭରେ ସଂପ୍ରତି ତାଙ୍କ ଝିଅକୁ ଜଣେ ବିବାହିତ ଯୁବକଙ୍କ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପ୍ରଘଟ ହେବା ପରେ ସାମାଜିକ କର୍ମୀ ଜଣକ ନାବାଳିକାର ବାପାଙ୍କୁ ପଚାରିବାରୁ ସେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମିଛ ମୋକଦ୍ଦମାରେ ଫସାଇ ଦେବାକୁ ଧମକ ଦେଇଥିବା ସମ୍ପର୍କରେ ଆନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ବାବଦରେ ସିଂଲା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଜେନାଙ୍କୁ ପଚାରିବାରୁ ଏଭଳି ଏକ ଅଭିଯୋଗ ହୋଇଥିବା ସମ୍ପର୍କରେ ସେ ସ୍ବୀକାର କରିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।