ଗଡ଼ମଧୁପୁର : ରାଜ୍ୟ ହୁଅନ୍ତୁ ଅବା କେନ୍ଦ୍ର ସରକାର। ଉଭୟ ସରକାର ଏବେ ଏକରୁ ଅନେକ ଯୋଜନା ସାଧାରଣ ଜନତା ଓ ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବେଳେ ଅନେକ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ନପାରି ବାଟ ବଣା ହୋଇଛି। ରାସନ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ସ୍ୱଚ୍ଛତା ରହୁନଥିବା ବେଳେ ଦିବ୍ୟଙ୍ଗ ମାନଙ୍କ ପାଇଁ ଥିବା ସରକାରୀ ସୁବିଧା ବି ବାଟ ହୁଡିଛି। ଏହି ପରି ଉଭୟ ଯୋଜାନରୁ ସୁବିଧା ପାଇ ନପାରି ଧର୍ମଶାଳା ବ୍ଲକ ପୁରୁଣା ବଉଳମାଳ ପଞ୍ଚାୟତର ଇଛାପୁର ଗ୍ରାମରେ ଆଜକୁ ୧୫ବର୍ଷରୁ ଉର୍ଦ୍ଧ୍ବ ସମୟ ଧିରି ରହିଆସୁଥିବା ୧୩ ବର୍ଷ ବୟସର ଝିଅ ରେଖାକୁମାରୀ ସିଂ ଓ ବାପା ଦିଗାଲ ସିଂ ନାହିଁ ନଥିବା ସମସ୍ୟାର ସମୁଖିନ ହେଉଥିଲେ ହେଁ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଇ ନାହିଁନ୍ତି। ତଗ ୭।୩ରେ ଖବର ପ୍ରକାଶ ପରେ ମଧ୍ୟ ତତପରତା ଦେଖାଇବା ପିରବର୍ତ୍ତେ ମୌନ ଧାରଣ କରି ବସିଛନ୍ତି ପ୍ରଶାସନ। ଝିଅଟି ପଞ୍ଚମ ଶ୍ରେଣୀରେ ପାଠ ପଢୁଛି। ଜନ୍ମରୁ ଭିନ୍ନକ୍ଷମ। ବାମ ଗୋଡଠାରୁ ଡାହାଣ ଗୋଡଟି ଛୋଟ ଓ ହାତ ଦୁଇଟି ଖହିଣି ପାଖରୁ ନାହିଁ ତଥାପି ଜୀବନ ଯୁଦ୍ଧରେ ହାରିଯାଇ ନାହିଁ ଝିଅଟି। ବଞ୍ଚି ରହିବା ପାଇଁ ସଗ୍ରାମ କରୁଛି। କିଛି କରିପାରିବାର ଚେଷ୍ଟାରେ ରହିଛି ସବୁ ସମୟରେ। ହେଲେ ଭାଗ୍ୟ କି ସରକାର କେହି ତାକୁ ସାହାର ହୋଇନାହାନ୍ତି। ସେହି ଛୋଟା ଗୋଡ ଓ ଅଧା ହାତରେ ପଢିବା ଲେଖିବା ସହିତ ସୁନ୍ଦର ଚିତ୍ର ମଧ୍ୟ କରିପାରୁଛି। ପ୍ରତ୍ୟେକ ଶ୍ରେଣୀରେ ଭଲ ନମ୍ବର ରଖି ପ୍ରଥମ କିମ୍ବା ଦ୍ୱୀତିୟ ହେଉଛି। ସୁମଧୁର କଣ୍ଠରେ ଗୀତ ଗାଇ ପାରୁଛି। ମାଁକୁ ସାହାର୍ଯ୍ୟ କରିବାକୁ ଯାଇ ଘରର ପ୍ରାୟ ସବୁ କାମରେ ସହେଯାଗ କରି ପାରୁଛି। ଏହି ଭିନ୍ନକ୍ଷମ ଗରିବ ଘରର ଝିଅଟିର ପାଢ ପଢିବାକୁ ଅନେକ ଅଗ୍ରହ ଥିଲେ ହେଁ ପରିବାରର ଆର୍ଥିକ ଅବସ୍ଥା ତାକୁ ଆଉ ଆଗକୁ ବଢିବାକୁ ସୁଯୋଗ ଦେଉନାହିଁ। ଏପରିସ୍ଥିତିରେ ଝିଅଟି କିନ୍ତୁ ହାର ନମାନି ତାର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଛି। ସକ୍ଷମଙ୍କ ପରି ସବୁକିଛି କରିପାରୁଥିବା ଝିଅଟି ପାଠପଢି ସରକାରୀ ଚାକିରିଟିଏ କରି ବାପାମାଆର ଦୁଖ ଦୁରକରିବାକୁ ସାହସ ବାନ୍ଧିଛି। ସବୁଥିରେ ବାଧକ ସାଜିଛି ଅର୍ଥ। ଗରିବ ଓ ଅସହାୟ, ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ଅଧିନିୟମ ୨୦୧୬ ଆଇନ ଅନୁଯାଇ ଏହି ଝିଅଟି ଯେଉଁ ସୁବିଧା ସୁଯୋଗ ପାଇବା କଥା ସେ ସବୁଥିରୁ ବଞ୍ଚିତ ରହିଛି। ବାପା ଦିଗଲ ସିଂ ଛତିଶଗଡ଼ର ଧାନବାଦରୁ ଜୀବନ ଜୀବିକା ପାଇଁ ଚାଲିଆସି ଦୀର୍ଘଦିନ ଧରି ଏହି ଚଢେଇଧରା ନିକଟବର୍ତ୍ତୀ ଇଛାପୁର ଗ୍ରାମରେ ମାସିକ ୮୦୦ଟଙ୍କା ଭଡା ସୁତ୍ରରେ ଘରଟିଏ ନେଇ ସପରିବାର ରହି ମୂଲ ମଜୁରୀରେ ଦିନ ବିତାଉଛନ୍ତି। ଦୁଇଦୁଇଟି ପିଲା ଏହି ଗାଁରେ ଜନ୍ମ ଗ୍ରହଣ କରି ବଡ ହୋଇଥିବାରୁ ଆଉ ଧାନବାଦ ଫେରିବାକୁ ଇଛା କରୁନାହାଁନ୍ତି ଦଗଲ ସିଂ। କହନ୍ତି ପିଲାମାନେ ଏହିଠାରେ ଜନ୍ମ ହୋଇ ବଡ଼ ହୋଇଛନ୍ତି ତେଣୁ ଆଉ ଏ ଯାଗା ଛାଡି ଜିବାକୁ ଆମର ଇଚ୍ଛା ନାହିଁ। ଗାଁରେ ଆମେ ସବୁ କିଛି ଛାଡି ଚାଲି ଆସିଛୁ। ଝିଅର ଭବିଷ୍ୟତକୁ ନେଇ ମା ଉର୍ମୀଳା ସିଂ ଏବେ ଚିନ୍ତିତ। ଝିଆଟି ପାଠ ପଢିଲେ ଭବିଷ୍ୟତ ଭଲ ହୋଇପାରିବ। କିନ୍ତୁ ଅର୍ଥ ବାଧକ ସାଜିଛି। ଛତିଶଗଡ଼କୁ ସବୁଦିନ ପାଇଁ ଛାଡିଆସିଥିବା ଦିଗଲ ଓଡିଶାରେ ରହିଥିଲେ ମଧ୍ୟ ଓଡ଼ିଶାରେ ନିଜର ସ୍ଥାୟୀ ବାସିନ୍ଦା ହୋଇପାରି ନାହାଁନ୍ତି। ଆଇନ କାନୁନ ଉପରେ ଦଖଲ ରଖିନଥିବା ଦିଗଲ ପେଟପାଇଁ ଏଠାରେ ପଡ଼ି ରହି ସରକାରଙ୍କର ସମସ୍ତ ଗରିବ କଲ୍ୟାଣ ଯୋଜନାରୁ ଯୋଜନ ଯୋଜନ ଦୁରରେ ରହିଯାଇଛନ୍ତି। ଚାରି ପରିବାରକୁ ମୂଲ ମଜୁରୀରେ ପ୍ରତିପୋଷଣ ସହିତ ଭିନ୍ନକ୍ଷମ ଝିଅ ଓ ଛୋଟ ପୁଅର ପାଠପଢା ପାଇଁ ଅର୍ଥ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଛି। ଝିଅଟି ସମ୍ପୁର୍ଣ୍ଣ ଭିନ୍ନକ୍ଷମ ହୋଇଥିଲେ ହେଁ ଜନ୍ମରୁ ଆଜିଯାଏ ଭିନ୍ନକ୍ଷମ ଭତ୍ତାପାଇବାରୁ ବଞ୍ଚିତ ରହିଛନ୍ତି। ୭୦୦ଟଙ୍କା ଭିନ୍ନକ୍ଷମ ଭତ୍ତା ଝିଅଟିର ପାଠପଢାକୁ ସୁନିଶ୍ଚିତ କରିପାରନ୍ତା। ପରିବାରର ସମସ୍ତଙ୍କର ଆଧାର କାର୍ଡ ଛତିଶଗଡ଼ର ରହିଛି। ନା ସେମାନେ ଛତିଶଗଡ଼ରୁ ରାସନ ସାମଗ୍ରୀ ପାଉଛନ୍ତି ନା ଓଡ଼ିଶାରୁ। ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାଇ ଗୋଟିଏ ଦେଶ ଗୋଟିଏ ରାସନ ଯୋଜନାରେ ରାସନ ପାଇବାକୁ ଯୋଗ୍ୟ ହୋଇ ମଧ୍ୟ ପାଉନଥିବାରୁ ଦିନେ ଖାଇଲେ ଓଳିଏ ଉପବାସରେ ଦିନ କାଟୁଛନ୍ତି। ଏହି ଦମ୍ପତ୍ତି ୧୫ବର୍ଷ ମଧ୍ୟରେ କୌଣସି ନିର୍ବାଚନରେ ତାଙ୍କର ମତଦାନ ଅଧିକାରକୁ ସାବ୍ୟସ୍ତ କରିପାରି ନାହାଁନ୍ତି। ଫଳରେ ସମସ୍ତେ ଉଣା ଅଧିକେ ଚାଉଳ ପାଇ ଚଳିଯାଉଥିବା ବେଳେ କରୋନା ମାଡରେ ଅତିଷ୍ଟ ହୋଇ ମଧ୍ୟ ସରକାରୀ ଚାଉଳ ମୁଠିଏ ପାଇବାରୁ ବଞ୍ଚିତ ହୋଇଛନ୍ତି। ଛତିଶଗଡରେ ତାଙ୍କର ଭୋଟର ପରିଚୟ ପତ୍ର ନଥିବା ବେଳେ ୧୫ବର୍ଷ ଧରି ଏଠାରେ ରହିବା ପରେବି ଭୋଟର ହୋଇ ପାରି ନାହାଁନ୍ତି। ଫଳରେ ଏହି ଗରିବ ପରିବାର ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେବା ସହିତ ପିଲା ମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛନ୍ତି। ଦୁର୍ଦ୍ଦୀନରେ ରହିଥିବା ବେଳେ ଏହି ପରିବାର ଓ ଭିନ୍ନକ୍ଷମ ଝିଅଟି ପାଇଁ ପ୍ରଶାସନ ନା କୌଣସି ଅନୁଷ୍ଠାନ କେହି ହେଲେ ସହାୟତାର ହାତ ବଢ଼ାଇ ନାହାଁନ୍ତି। ସରକାରୀ ଯୋଜନା ଏହି ପରିବାର ଓ ଭିନ୍ନକ୍ଷମ ଝିଅଟି ପାଇଁ ଯୋଜନ ଯୋଜନ ଦୁରରେ ରହିଥିବାରୁ ଏଥିପ୍ରତି ପ୍ରସାଶନ ତତ୍ପରତା ଦେଖାଇବାକୁ ସାଧାରଣରେ ଦାବି ହୋଇଛି।