ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ପିଆଜ ଦର। ମଙ୍ଗଳବାର ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ଆମଦାନୀରେ କୌଣସି ପ୍ରଭାବ ପ୍ରଭାବ ପଡ଼ିନଥିଲେ ହେଁ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଦର ବୃଦ୍ଧି ଓଡ଼ିଶା ବଜାରକୁ ପ୍ରଭାବିତ କରିଥିବା କୁହାଯାଉଛି। ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ସରକାର ରପ୍ତାନି ଉପରେ କଟକଣା ଲଗାଇଥିବା ସତ୍ତ୍ବେ ପିଆଜ ବଜାର ତାତି ହ୍ରାସ ପାଇବା ନାଁ ଧରୁନାହିଁ। ଅମଳ ଋତୁ ଆରମ୍ଭ ହେବାକୁ ଯାଉଥିଲେ ବି ନିକଟ ଭବିଷ୍ୟତରେ ପିଆଜ ଦର ହ୍ରାସ ପାଇବା ଆଶା କମ୍ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି। ନଭେମ୍ବର ମାସ ବେଳକୁ ପିଆଜ ଦର କମିବା ସମ୍ଭାବନା ରହିଛି, ମାତ୍ର ସେହି ସମୟ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢ଼ିବା କିଛି ଅସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ଆକଳନ କରୁଛନ୍ତି। ତେଣୁ ଏବେ ପରିବା ବଜାରର ଆକାଶଛୁଆଁ ଦର ସାଙ୍ଗକୁ ଆଳୁ ଓ ପିଆଜ ଦର ବୃଦ୍ଧି ସାଧାରଣ ଗରିବ ପରିବାର ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି।