ଭୁବନେଶ୍ୱର: ଚଳିତ ବର୍ଷ କେବଳ ପୁରୀରେ ରଥଯାତ୍ରା ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ । ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ।
କେନ୍ଦ୍ରାପଡା ଓ ଭଟଲୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାୟର ହୋଇଥିବା ପିଟିସନ୍ଗୁଡିକୁ ଏକତ୍ର ଶୁଣାଣି କରି ହାଇକୋର୍ଟ ଆଜି ରାଜ୍ୟ ସରକାର ନିଷ୍ପତିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ମନା କରିଦେବା ସହ ପିଟିସନ୍ଗୁଡିକୁ ଖାରଜ କରିଦେଇଛନ୍ତିି । ଏ ସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି । କେନ୍ଦ୍ରାପଡା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମାଲା ହୋଇଥିଲା । କେନ୍ଦ୍ରାପଡା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ହସ୍ତକ୍ଷେପ ପାଇଁ ମନା ସହ ୫ଟି ମାମଲାର ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଫଳରେ କେବଳ ଶ୍ରୀକ୍ଷେତ୍ର ହିଁ ରଥଯାତ୍ରା ହେବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ କେବଳ ପୁରୀରେ ରଥଯାତ୍ରା ପାଳନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ଅନ୍ୟପକ୍ଷରେ ହାଇକୋର୍ଟଙ୍କୁ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ବଳଦେବଜୀଉ ରଥଯାତ୍ରା ମାମଲା ଦାୟର କରିଥିବା ଆଇନ୍ ଜୀବୀ ଅକ୍ଷୟ ପାଣ୍ଡେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଧର୍ମାନୁଷ୍ଠାନରେ ବିବେଦ ସୃଷ୍ଟି ଆଇନ୍ ସମ୍ମତ ନୁହେଁ ଏହା ସମ୍ବିଧାନକୁ ବିରୋଧ କରୁଛି । ତେଣୁ ହାଇକୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ କରି ଖୁବ୍ ଶୀଘ୍ର ସେ ସୁପ୍ରିମକୋର୍ଟରେ ଅପିଲ୍ କରିବେ ବୋଲି କହିଛନ୍ତି ।