ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ବ୍ରଜରାଜନଗର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକଙ୍କୁ ଜଣେ ଦୁର୍ବୁତ ଆଜି ସ୍ପଷ୍ଟ ଦିବାଲୋକରେ ଟାଙ୍ଗିଆରେ ହାଣି ହତ୍ୟା କରିଛି । ମୃତ୍ୟୁ ବେଳକୁ ଡଃ ନାଏକଙ୍କୁ ୮୩ ବର୍ଷ ହୋଇଥିଲା । ଦୁର୍ବୃତର ଆକ୍ରମଣରେ ଗୁରୁତର ଭାବେ ଆହତ ଡଃ ନାଏକ ଝାରସୁଗୁଡା ସ୍ଥିତି ସମଲେଶ୍ୱରୀ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆଜି ଦିନ ପ୍ରାୟ ୧୧ ଟା ସମୟରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଡଃ ନାୟକଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି ।
ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା । ସେତେବେଳେ ଘରେ ଭାଇ ନଥିଲେ । କେବଳ ଆମ ବୋହୂ ଓ ଝିଆରୀ ଘରେ ଥିଲେ । ଉକ୍ତ ବ୍ୟକ୍ତି ବେଡ୍ ରୁମ୍‌କୁ ପଶିଯାଇ ଶହେ ଟଙ୍କା ମାଗିଥିଲା । ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ । ଏହା ଭିତରେ ଭାଇ ପହଞ୍ଚିଥିଲେ ଓ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ । ଏହା ପରେ ସେ ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ।
ପୁଲିସ ହତ୍ୟାକାରୀ ଯୁବକଙ୍କୁ ଜଙ୍ଗଲ ଭିତରୁ ଧରିଥିବା କୁହାଯାଉଛି । ଲାଇକେରା ଥାନାରେ ପୋଲିସ୍ ଅଟକ ଯୁବକକୁ ଜେରା ଜାରୀ ରଖିଛି । ସୂଚନା ଯୋଗ୍ୟ ଯେ, ଡ. ନାଏକ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରି ଅବସର ଗ୍ରହଣ କରିଥିଲେ । ୨୦୦୧ରୁ ସେ ପରିବଶେ ଉପରେ ଅନେକ କାର୍ଯ୍ୟ କରି ଆସୁଥିଲେ । ଏହି ଘଟଣା ସମଗ୍ର ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ ଶୋକର ଛାୟା ଖେଳାଇଦେଇଛି । ଦୁର୍ବୃତକୁ କଠୋରରୁ କଠୋର ଦଣ୍ଡ ଦେବା ଲାଗି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ , ଅଧ୍ୟାପକ, ଓ ବୃଦ୍ଧିଜୀବୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.

three × 1 =