ଉପ ଜିଲ୍ଲାପାଳଙ୍କ ନାମରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ

ବଲାଙ୍ଗୀର : ପ୍ରଶାସନିକ ଅଧିକାରୀ ବଲାଙ୍ଗୀର ଉପ ଜିଲ୍ଲାପାଳଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ବିଧବା ମହିଳା କର୍ମଚାରୀ । ମହିଳା ଜଣକ ମାସେ ତଳେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ। ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର, ଅଭିଯୋଗକାରୀ ମହିଳା କର୍ମଚାରୀଙ୍କୁ ତାଙ୍କ ଚାମ୍ବରକୁ କୌଣସି କାମ ବାହାନା କରି ଡାକିଥିଲେ। ମହିଳା ଜଣକ ଚାମ୍ବରକୁ ଗଲା ପରେ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ତାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣଙ୍କ ଜିଲ୍ଲାପାଳଙ୍କ ନିକଟରେ ଗତ ୨୬ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରାଥମିକ ତଦନ୍ତ ପରେ ଅଭିଯୋଗକାରୀ ମହିଳା କର୍ମଚାରୀଙ୍କୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟକୁ ବଦଳି କରିଥିଲେ ।
ଅଭିଯୋଗକାରୀ ମହିଳା ଅଧସ୍ତନ କର୍ମଚାରୀ ପୁଣି ବିଧବା ସେ ତାଙ୍କ ସ୍ୱାମୀଙ୍କ ଚାକିରୀରେ ଥଇଥାନ ହୋଇଥିଲେ ତାଙ୍କର ଦୁଇ ଜଣ ଝିଅ ମଧ୍ୟ ଅଛନ୍ତି। ଗତ ଜୁଲାଇ ୩୧ ତାରିଖରେ ଅଭିଯୋଗକାରୀ ମହିଳା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦେଇଥିଲେ । ତା ପରଠାରୁ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ମହିଳା କର୍ମଚାରୀଙ୍କ ପ୍ରତି ଖରାପ ନଜର ରଖିଥିଲେ ବୋଲି ସେ ଜିଲ୍ଲାପାଳକୁ ଜଣାଇଛଥିଲେ । ଗତ ଅଗଷ୍ଟ ଶେଷ ସପ୍ତାହରେ ସୁଯୋଗ ଦେଖି  ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର ମହିଳାଙ୍କୁ ତାଙ୍କ ଚାମ୍ବରକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ମହିଳା ଜଣକ ଭୟଭୀତ ଅଛନ୍ତି ତାଙ୍କୁ ନ୍ୟାୟ ନ ମିଳିଲେ ସେ ଓ ତାଙ୍କ ଦୁଇ ଝିଅଙ୍କ ସହ ଆତ୍ମହତ୍ୟା କରିବେ ବୋଲି ଲିଖିତ ଭାବେ ଜିଲ୍ଲାପାଳକୁ ଜଣାଇଛନ୍ତି ।
ଅଭିଯୋଗ ପରେ ବଲାଙ୍ଗୀର ଜିଲ୍ଲାପାଳ,  ଡେପୁଟି କଲେକ୍ଟର ସୁଚିତା ପୁଷ୍ପାଙ୍କ ନେତୃତ୍ୱରେ ଏକ ୬ଜଣିଆ ତଦନ୍ତକାରୀ ଦଳ ଗଠନ କରିଛନ୍ତି। ତଦନ୍ତକାରୀ ଦଳ ଅଭିଯୋଗକାରୀ ମହିଳା କର୍ମଚାରୀଙ୍କ ବୟାନ ରେକର୍ଡ କରିଥିବା ବେଳେ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରକୁ ତଦନ୍ତର ସମ୍ମୁଖୀନ ହେବା ପାଇଁ ନୋଟିସ ମଧ୍ୟ କରିଛି । ୭ଦିନ ଭିତରେ ନିଜ ପକ୍ଷ ରଖିବା ପାଇଁ ନୋଟିସରେ କୁହାଯାଇଛି ବୋଲି ତଦନ୍ତକାରୀ ଦଳର ମୁଖ୍ୟ ଡେପୁଟି କଲେକ୍ଟର ସୁଚିତା ପୁଷ୍ପା ସୂଚନା ଦେଇଛନ୍ତି । ତେବେ ଅଭିଯୋଗକାରୀ ମହିଳା କର୍ମଚାରୀ ଭୟଭୀତ ଅବସ୍ଥାରେ ଅଛନ୍ତି । ବଲାଙ୍ଗୀର ସହରର ତାଳପାଲିପଡ଼ାରେ ତାଙ୍କ ଶ୍ୱଶୁର ଘର । କିନ୍ତୁ ସେଠାରେ ସେ ନାହାନ୍ତି ସେ ତାଙ୍କ ବାପ ଘରକୁ ଯାଇଥିବା ଶ୍ୱଶୁର ଘର ଲୋକେ କହିଥିଲେ । ଅଭିଯୋଗକାରୀ ମହିଳା କର୍ମଚାରୀ ମୁହଁ ଖୋଲିଲା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନାଁରେ ଅସଦାଚରଣ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମଧ୍ୟ ମୁହଁ ଖୋଲି ନାହାନ୍ତି । ତେବେ ତଦନ୍ତକାରୀ ଦଳର ମୁଖ୍ୟ ଡେପୁଟି କଲେକ୍ଟର ସୁଚିତା ପୁଷ୍ପା ଜଣେ କନିଷ୍ଠ ଅଧିକାରୀ ହୋଇଥିବା ବେଳେ ସେ କିପରି ବରିଷ୍ଠ ପ୍ରଶାସନିକ ଅଧିକାରୀ ସଞ୍ଜୟ ମିଶ୍ରଙ୍କ ଘଟଣା ନେଇ ତଦନ୍ତ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

9 + twelve =