ମୁମ୍ବାଇ: ୧୦୦ କୋଟି ଟଙ୍କା ଲାଞ୍ଚ ଭଳି ଆର୍ôଥକ ଦୁର୍ନୀତି ସହ ସମ୍ପୃକ୍ତ ରାଜନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କର ଦୁଇଜଣ ସହଯୋଗୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଛି । ‘ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍ ଆକ୍ଟ୍’ ଅନୁଯାୟୀ ପ୍ରାୟ ୯ ଘଣ୍ଟା ଜେରା କରିବା ପରେ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡେ ଏବଂ ବ୍ୟକ୍ତିଗତ ସହଯୋଗୀ କୁନ୍ଦନ ସିନ୍ଧେଙ୍କୁ ଗିରଫ କରାଯାଇଛି ।
କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ମୁମ୍ବାଇସ୍ଥିତ ବାଲାର୍ଡ ଇଷ୍ଟେଟ୍ରେ ଥିବା କାର୍ଯ୍ୟାଳୟରେ ଜେରା ବେଳେ ଦୁହେଁ ସହଯୋଗ କରି ନ ଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଆଜି ସେମାନଙ୍କୁ ‘ପିଏମ୍ଏଲ୍ଏ’ର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା । ସେମାନଙ୍କର ଜାମିନ ଆବେଦନ ଅଗ୍ରାହ୍ୟ ହେବାରୁ ଉଭୟଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି ।
ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ଅନୀଲ ଦେଶମୁଖଙ୍କୁ ଆଜି ସମନ କରିଥିଲେ ମଧ୍ୟ ସେ ହାଜର ହୋଇନାହାଁନ୍ତି । ପ୍ରକାଶ ଥାଉକି ଗତକାଲି ପ୍ରବର୍ତ୍ତନ ନିର୍ଦେଶାଳୟ ଦେଶମୁଖଙ୍କ ଘରେ ଚଢ଼ାଉ କରିଥିଲା । ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ପ୍ରକାଶ ଯେ, ପ୍ରାୟ ୧୨ଜଣ ବାର ମାଲିକଙ୍କ ଠାରୁ ଅଳ୍ପ କିଛି ମାସ ତଳେ ପୂର୍ବତନ ସହକାରୀ ଇନ୍ସ୍ପେର୍କ୍ଟ ସଚିନ ୱାଜେଙ୍କଦ୍ୱାରା ୪ କୋଟି ଆଦାୟ ହୋଇଥିବା କଥା ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ପ୍ରମାଣ ପାଇଛନ୍ତି ।