ଆଗକୁ ମରୁଡି!

ଆମ ରାଜ୍ୟର ପାଣିପାଗ ସ୍ଥିତି ଏବେ ବେହାଲ୍’ରେ । ସରକାରୀ ସମୀକ୍ଷା ଏବଂ ଦୈନନ୍ଦିନ ପାଣିପାଗର ଅବସ୍ଥା ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ବାରି ହୋଇପଡେ ଯେ, ବାସ୍ତବରେ ରାଜ୍ୟରେ ବର୍ଷାଋତୁ ସରିଯାଇଥିଲା ବେଳେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ବିଶେଷତଃ, କୃଷି କ୍ଷେତ୍ରରେ ଜଳର ଆବଶ୍ୟକତା ଅଧିକ ରହିଥିଲେ ହେଁ ଏହା ୨୫ଟି ଜିଲ୍ଲାରେ ପରିସ୍ଥିତି ସଙ୍ଗୀନ । ପରିସଂଖ୍ୟାନ ଅନୁଯାୟୀ ୩୦ଟି ଜିଲ୍ଲାର ହାରାହାରି ବର୍ଷା ଏପରି ଯେ, ଏହା ଆଗାମି ଦିନରେ ଉପରୋକ୍ତ ଜିଲ୍ଲା ଗୁଡିକରେ ମରୁଡି ପଡିବା ନେଇ ଏବେ ଚାଷୀମାନେ ବ୍ୟତିବ୍ୟସ୍ତ ହୋଇପଡିଲେଣି । କେତେକ ସ୍ଥାନରେ ଜମି ଫାଟିବା ସହିତ ଏହା ମରୁଡି ଆଶଙ୍କା ସୃଷ୍ଟି କରିଥିଲା ବେଳେ ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଚାଷକାମ କ୍ଷତିଗ୍ରସ୍ତ ହେବା ସହିତ କୁଚିଣ୍ଡା ଭଳି ସ୍ଥାନରେ ଆସନ୍ନ ମରୁଡି ପରିସ୍ଥିତି ଏଡାଇବା ଲାଗି ଚାଷୀ ଇନ୍ଦ୍ରଙ୍କ ପୂଜାରେ ବ୍ୟସ୍ତ । କିପରି ହେଲେ ଜଳ ଦେବତା ଚାଷୀଙ୍କୁ ସହାୟ ହେବା ଲାଗି ସମସ୍ତେ ଏବେ ପ୍ରାର୍ଥନା କରିବା ସହିତ ମରୁଡି ନହେବା ଲାଗି ଭଗବତ୍ କୃପା ଆଶ୍ରିତ । ସାଧାରଣତଃ ଜୁନ, ଜୁଲାଇ ଓ ଅଗଷ୍ଟରେ ଲଘୁଚାପ ସୃଷ୍ଟି ହେବା ସହିତ ମୌସୁମୀ ଜନିତ ବର୍ଷା ଅଧିକ ହୋଇଥାଏ । ହାରାହାରୀ ୧୨ଟି ପାଖାପାଖି ଲଘୁଚାପ ବର୍ଷାଋତୁରେ ହେବା ସହିତ ଚାଷୀ ଖରିଫ ଧାନ ଫସଲ କରି ବର୍ଷତମାମ ଘରର ଖାଇବା ଓ ବଳକା ଖର୍ଚ୍ଚ ଏଥିରୁ ତୁଲାଇ ଥାଏ । ଏଥର କିନ୍ତୁ ସ୍ଥିତି ନିଆରା । ମାତ୍ର ୪ଟି ବା ୫ଟି ଲଘୁଚାପ ହୋଇଥିବାରୁ ବର୍ଷାର ସ୍ଥିତି ଭଲ ନାହିଁ । ଆଗକୁ ଯେ, ଲଘୁଚାପ ହେବନାହିଁ, ତାହା କୁହାଯାଇନପାରେ । କିନ୍ତୁ ଖରିଫ ଋତୁ ପରେ ବର୍ଷା ଚାଷୀର କାମକୁ ଏବଂ ଫସଳ ଉତ୍ପାଦନ କ୍ଷେତ୍ରରେ ଅନାବଶ୍ୟକ । ପରିସଂଖ୍ୟାନରୁ ଜଣାପଡିଛି ଯେ, ପ୍ରତିବର୍ଷ ହାରାହାରି ବର୍ଷାଠାରୁ ଏବେ ଯେଉଁ ସବୁ ଜିଲ୍ଲାରେ ପ୍ରାୟ ୫୦ ପ୍ରତିଶତ କମ୍ ବର୍ଷା ହେଉଛି ସେଗୁଡିକ ହେଲା କେନ୍ଦୁଝର, ବୌଦ୍ଧ, ଅନୁଗୋଳ, ଯାଜପୁର ଓ ଭଦ୍ରକ । ଏ ଗୁଡିକ ରେଡ ଜୋନରେ ଥିଲା ବେଳେ କେବଳ କଟକ, ମଲକାନଗିରି, ନୟାଗଡ, କୋରାପୁଟ ଓ ଗଞ୍ଜାମରେ ବର୍ଷା ସ୍ୱାଭାବିକ ଏବଂ ବାକି ୨୦ଟି ଜିଲ୍ଲାରେ ସ୍ଥିତି ଆଦୌ ଭଲ ନାହିଁ କହିଲେ ଚଳେ । ଗତକାଲି କଟକ, ପୁରୀ ଓ ଖୋର୍ଦ୍ଧା ସମେତ ଆଉ କେତେକ ଜିଲ୍ଳାରେ ବର୍ଷାର ସୂଚନା ମିଳିଥିଲେ ହେଁ ଏହା ଯେ ଖରିଫ ଫସଲକୁ ସହାୟକ ହେବ ତାହା କୁହାଯାଇନପାରେ । କେବଳ ସେତିକି ନୁହେଁ, ଆଗାମୀ ୧୦ ଦିନ ମଧ୍ୟରେ ଯଦି ବିଲ ଗୁଡିକୁ ମେଘଜନିତ ବର୍ଷା କିମ୍ବା ସେଚଜଳ ନମିଳୁ ତେବେ ଗର୍ଭଣା ସଂକ୍ରାନ୍ତିକୁ ଧାନ ପୋଡୁଅ ହୋଇ କ୍ଷୀର ଧରିବା ମୁସ୍କିଲ ହୋଇପଡିବ ବୋଲି ଏକ ନିର୍ଭୟଯୋଗ୍ୟ ସୂତ୍ରରୁ ଜଣାପଡିଛି । ସେଥିଲାଗି ସରକାରୀ ସ୍ତରରେ ଉଚ୍ଚସ୍ଥରିୟ ସମୀକ୍ଷା ଚାଲିଥିଲେ ହେଁ ଯାଜପୁର, ବୌଦ୍ଧ, କେନ୍ଦୁଝର, ଭଦ୍ରକ ଓ ଅନୁଗୋଳ ସ୍ଥିତି ଅଣାୟତ ହେଉଛି । ଏହାର ବ୍ୟତିତ ନୁଆପଡା, ନବରଙ୍ଗପୁର, ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ଗଜପତ, ସୁବନ୍ନପୁର, ବରଗଡ, କଳାହାଣ୍ଡି, କନ୍ଧମାଳ ସୁନ୍ଦରଗଡ, ବଲାଙ୍ଗିର, ଦେବଗଡ, ବାଲେସ୍ୱର, ରାୟଗଡା, କେନ୍ଦ୍ରପଡା, ମୟୂରଭଞ୍ଜ ଓ ଡେଙ୍କାନାଳ ଜିଲ୍ଲାରେ ହାରାହାରି ବର୍ଷାଠାରୁ ପ୍ରାୟ ୩ ଶହ ମିଲିମିଟର ବର୍ଷ କମ୍ ହୋଇଥିଲା ବେଳେ ଏହି ଜିଲ୍ଲା ଗୁଡିକରେ ଆଗାମୀ ସପ୍ତାହକ ମଧ୍ୟରେ ଜମିରେ ଜଳ ନପହଂଚିଲେ ମରୁଡି ଦ୍ୱାରା ରାଜ୍ୟ ଆକ୍ରାନ୍ତ ହେବା ସୁନିଶ୍ଚିତ ବୋଲି କୁହାଯାଇପାରେ । ଏହାକୁ ଏଡାଇବା ଲାଗି ରାଜ୍ୟ ସରକାର ସେଚଜଳକୁ ଚାଷୀ କିପରି ପାଇପାରିବ, ସେଥିଲାଗି ସବୁ ପ୍ରକାର ଉଦ୍ୟମ କରିବା ଆବଶ୍ୟକ । ଏପରିକି କୃତ୍ରିମ ବର୍ଷା କରିପାରିଲେ ସ୍ଥିତି ମଧ୍ୟ ବଦଳି ପାରନ୍ତା । ତେବେ ବଢ଼ି, ମରୁଡି ଓ ବାତ୍ୟା ସମେତ ଅଂଶୁଘାତରେ ଓଡ଼ିଶା ସଦାସର୍ବଦା ପ୍ରାୟତଃ ଆକ୍ରାନ୍ତ ହୋଇଆସୁଥିବାରୁ ଆଗକୁ କ’ଣ ହେବାକୁ ଯାଉଛି, ତାହା ସମୟ ହିଁ କହିବ ।

Leave A Reply

Your email address will not be published.

8 + one =