ଆମେ ଗୋଷ୍ଠୀ ସଂକ୍ରମଣ ମୁହାଁ !

ରାଜ୍ୟରେ କରୋନାର ସ୍ଥିତି ଗତ ମାର୍ଚ୍ଚ ମାସରୁ ଜୁନ୍ ପର୍ଯ୍ୟନ୍ତ ଯେଉଁଭଳି ସ୍ଥିତିରେ ରହିଥିଲା ତାହାର ବ୍ୟାପକ ପରିବର୍ତନ ଜୁଲାଇରେ ଘଟିଥିବା ଅନୁଭୂତ ହୁଏ । ଏପରିକି ଗତ ୨ସପ୍ତାହ ପାଖାପାଖି ପ୍ରାୟ ପ୍ରତ୍ୟେକ ଦିନ କରୋନା ପଜେଟିଭ୍ ସଂଖ୍ୟା ଶହେ ଶହେରେ ବଢୁଛି କହିଲେ ଠିକ୍ ନହୋଇ ପାରେ, କିନ୍ତୁ ଆଦୈା ଭୁଲ ହେବ ନାହିଁ । ପରିସଂଖ୍ୟାନ କହୁଛି ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଜୁଲାଇ ୨ସୁଦ୍ଧା ଏହି ସଂଖ୍ୟା ୮ହଜାର ୧ଶହ ୬ ରହିଥିଲା ବେଳେ ଦିନକ ପରେ ଏହା ବଢି ୮ହଜାର ୬୦୧ରେ ଥିଲା । ଜୁଲାଇ ୪ରେ ଏହା ୯ହଜାର ୭୦, ଜୁଲାଇ ୫ରେ ୯ହଜାର ୫୨୬, ଜୁଲାଇ ୬ରେ ୧୦ହଜାରେ ୯୭, ଜୁଲାଇ ୭ରେ ୧୦ହଜାର ୬୨୪, ଜୁଲାଇ ୮ରେ ୧୧ହଜାର ୨୦୧, ଜୁଲାଇ ୯ରେ୧୧ହଜାର ୯୫୬, ଜୁଲାଇ ୧୦ରେ ୧୨ହଜାର ୫୨୬ ଓ ଜୁଲାଇ ୧୧ରେ ଏହି ସଂଖ୍ୟା ୧୩ହଜାର ୧୨୧କୁ ଛୁଇଁଛି । ରାଜ୍ୟରେ ମୋଟ କରୋନା ମୃତୁ୍ୟ ସଂଖ୍ୟା ଜୁଲାଇ ୧୩ ସୁଦ୍ଧା ୬୮ରେ ପହଁଚିଛି । ମଙ୍ଗଳବାର ଆଉ ୫୪୩ଜଣ କରୋନା ପଜେଟିଭ୍ ଥିବା ନମୂନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଯେଉଁ ଜିଲ୍ଲା ଗୁଡିକ ଏଥିରେ ସବୁଠାରୁ ଆଗରେ ଅଛନ୍ତି ତନ୍ନଧ୍ୟରେ ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ସୁନ୍ଦରଗଡ, ପୁରୀ ଓ କଟକ ଆଦିର ପରିମାଣ ଏବେ ସଂଖ୍ୟା ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଏବେ କିନ୍ତୁ ଏଥିରେ ଏକ ଅଭୁତପୂର୍ବ ପରିବର୍ତନ ଲକ୍ଷ୍ୟ କରାଯାଉଛି । ଏହା ଗଜପତିିରୁ ମାଲକାନଗିରି, ବାଲେଶ୍ୱରରୁ ସୁନ୍ଦରଗଡ, ମୟୁରଭଞ୍ଜ ରୁ ନୟାଗଡ,ଜଗସିଂହପୁରରୁ ବରଗଡ, କେନ୍ଦୁଝରରୁ ରାୟଗଡା ଓ ସମ୍ବଲପୁରରୁ କେନ୍ଦ୍ରାପଡା ପର୍ଯ୍ୟନ୍ତ ସବୁଠାରେ କାୟା ବିସ୍ତାର କରୁଛି । ପ୍ରତିଦିନ ପ୍ରାୟ ୨୧ରୁ ୨୪ଜିଲ୍ଲା ଆକ୍ରାନ୍ତ ତାଲିକାରେ ରହୁଥିଲା ବେଳେ ରାଜଧାନୀ ଭୁବନେଶ୍ୱର, ପୁୁରୁଣା ରାଜଧାନୀ କଟକ, ରାଉରକେଲା ସହର, ବ୍ରହ୍ମପୁର ଓ ଯାଜପୁର ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା ବେଳେ ସେଥିରୁ ଲୋକାଲ ଟ୍ରେସିଂ ଅଧିକ ରହୁଥିବା ପ୍ରକାଶ । ଏପରି ଏକ ସ୍ଥିତିରେ କରୋନା ପଜେଟିଭ୍ ବଢିବା ପରୋକ୍ଷରେ ସୁଚାଇ ଦିଏ ଯେ, ବୋଧହୁଏ ସାରା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି କିମ୍ବା ଏହା ଆରମ୍ଭ ହେବା ଉପରେ । ଏପରିକି ଭୁବନେଶ୍ୱର, କଟକ, ରାଉରକେଲା ଆଦି ସହରର ମାନଙ୍କରେ ବିଭିନ୍ନ ଡାକ୍ତରଖାନା, କୋର୍ଟ, ଥାନା ଆଦିର କର୍ମଚାରୀ ମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ସ୍ଥିତି ଯଦି ଏପରି ରହେ, ତେବେ ଜୁଲାଇ ଶେଷ ଆଡକୁ ଦୈନିକ ରାଜ୍ୟରୁ ଏକ ହଜାର ପଜେଟିଭ ଚିହ୍ନଟ ହେଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସାମାଜିକ ଦୁରତ୍ୱ ରକ୍ଷା , ସଙ୍ଗରୋଧ, ମାକ୍ସ ବାନ୍ଧିବା ଏବଂ ଗହଳିକୁ ନଯିବା ସହିତ ଲକ୍ଡାଉନ୍, ସଟ୍ଡାଉନ୍, କଂଟେନ୍ମେଂଟ ଜୋନ୍ ଆଦିର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିଲେ ହେଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକ ଏହି ସଂଖ୍ୟା ବୃଦ୍ଧିର କାରଣ ବୋଲି କେତେକ ସମାଲୋଚନା କରି କହୁଛନ୍ତି ଯେ, ସେମାନଙ୍କୁ ଆଉ ଅଣାନଯାଉ, ଯାହା ମାନବିକତାକୁ ଦୁରେଇ ରଖିବାର ଏକ ଭିନ୍ନ ପ୍ରୟାସ ବୋଲି କୁହାଯାଇପାରେ । ଯଦି ବାହାର ରାଜ୍ୟରେ ବା ବିଦେଶରେ ରହୁଥିବା ଲୋକଟି ବର୍ଷ ବର୍ଷ ଧରି ରୋଜଗାର କରୁଥିବା ଅର୍ଥ ନିଜ ଜନ୍ମ ମାଟିରେ ଥିବା ପରିବାରଙ୍କ ନିକଟକୁ ପଠାଇ ପାରୁଛି, ତେବେ କରୋନା ଯୋଗୁଁ ଅଚଳାବସ୍ଥା ସୃଷ୍ଟି ହେବା ସହିତ ମାସ ମାସ ଧରି ପ୍ରବାସରେ ବା ରାଜ୍ୟ ବାହାରେ ହାତବାନ୍ଧି ଭୋକଉପାସରେ ବସିଥିବା ଲୋକମାନେ କ’ଣ ନିଜ ଜନ୍ମମାଟିକୁ ଫେରିବା ଏତେ ବଡ ଅପରାଧ ?
ସରକାର ଏଥିପ୍ରତି ଧ୍ୟାନ ଦେବା ସହିତ ଯେଉଁ ଲୋକମାନେ ବାହାରୁ ଅର୍ଥାତ ବିଭିନ୍ନ ରାଜ୍ୟ ବା ବିଦେଶରୁ ଆସୁଛନ୍ତି, ସେମାନଙ୍କୁ ଅତିକମ୍ରେ ୨୮ଦିନ୍ କ୍ୱାରେଂଟାଇନ୍ରେ ରଖିବା ଆବଶ୍ୟକ । ତାହା ହେଲେ ରୋଗୀ ସଂଖ୍ୟା ବଢିବା ପରିବର୍ତେ ଏହା କମିବା ଆଦୈା ଅସମ୍ଭବ ନୁହେଁ । ତାହା ସହିତ ଲକ୍ଡାଉନ୍କୁ ମଧ୍ୟ ସ୍ଥାନ କାଳ ପାତ୍ର ବିଚାରରେ କାର୍ଯ୍ୟକାରୀ କରାଯିବା ବା‚ନୀୟ ।
ବିଶେଷତଃ ଗୋଟିଏ ଦିଗପ୍ରତି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଧ୍ୟାନଦେବା ନିତ୍ୟାନ୍ତ ଜରୁରୀ । ବଡ ବଡ ସହରର ବସ୍ତି ଏବଂ ଲୋକ ଗହଳି ପୂର୍ଣ୍ଣ ଛକ, ବଜାର ଏବଂ ଗ୍ରାମାଞ୍ଚଳର ପାଠାଗାର, ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମପୀଠ ଆଦି କୁ ବିଶୋଧିକରଣ କରାଯିବା ଉଚିତ୍ ।
ପ୍ରତି ସପ୍ତାହରେ ଏହା କରାଯିବା ସହିତ ବସ୍ତି ପ୍ରତି ଏବଂ ହାଟ ବଜାରଗୁଡିକ ଉପରେ ଅଧିକ ଧ୍ୟାନ ଦିଆଯାଇ ପାରିଲେ କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଭୟ କମିବା ସ୍ୱଭାବିକ ।

Leave A Reply

Your email address will not be published.

fourteen − 2 =