ଗୋଟିଏ ସମୟ ଥିଲା ଭାରତୀୟମାନେ ନିଜ ବଂଶ, ବୁନିୟାଦ, ଜାତିକୁ ନେଇ ଅଭିମାନ କରୁଥିଲେ । ଏପରିକି ନିଜ ଗାଁ, ଅଞ୍ଚଳକୁ ନେଇ ସେମାନଙ୍କ ମଧ୍ୟରେ କମ୍ ଗର୍ବ ନଥିଲା । ଆଜି ବି ଭାରତୀୟମାନେ ନିଜ ଗାଁ-ଅଞ୍ଚଳକୁ ନେଇ ଅଭିମାନ କରିଥାନ୍ତି । କିନ୍ତୁ ଜାତି କଥା ବିଚାରକୁ ନେଲେ ଆଶ୍ଚର୍ଯ୍ୟଜନକ ଭାବେ ବହୁ ଉଚ୍ଚବଂଶ ଏବଂ ଉଚ୍ଚବର୍ଣ୍ଣର ଲୋକେ ନିଜକୁ ପଛୁଆ ଜାତି ବୋଲି କହିବାକୁ ପଛାଉ ନାହିଁନ୍ତି । ବରଂ ସ୍ଥିତି ଏପରି ଲକ୍ଷ୍ୟ କରାଯାଉଛି ଯେ- ଉଚ୍ଚବଂଶର ଲୋକେ କୌଣସି ମତେ ପଛୁଆ ବର୍ଗ ମଧ୍ୟରେ ଧସେଇ ପଶିବାକୁ ଚେଷ୍ଟାରେ ରହୁଛନ୍ତି । ଏହାକୁ ନେଇ ଏକ ଅପ୍ରିତିକର ସ୍ଥିତି ଉପଜୁଥିବା ବେଳେ ସାମାଜିକ ବିଜ୍ଞାନୀ ଉଚ୍ଚବଂଶ ଲୋକଙ୍କ ଏଭଳି ମନୋଭାବ ବଦଳକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି । ଉଚ୍ଚବର୍ଣ୍ଣ ଲେକଙ୍କ ଏଭଳି ମନୋଭାବ ବଦଳ ପଛରେ- ପଛୁଆ ବର୍ଗଙ୍କୁ ଆରକ୍ଷଣ ଆଳରେ ମିଳୁଥିବା ସୁବିଧା ସୁଯୋଗ ନିଜେ ହାତେଇବା ମୁଖ୍ୟ କାରଣ ବୋଲି ଜଣାପଡିଛି । ମନୁ ଯୁଗରୁ ସମାଜରେ କର୍ମବ୍ୟବସ୍ଥାକୁ ସୁସଂଗଠିତ ଏବଂ ବ୍ୟବସ୍ଥିତ କରିବାକୁ ସାରା ସମାଜକୁ ୪ ଭାଗରେ ବିଭକ୍ତ କରାଯାଇଥିଲା । ଏହି ବ୍ୟବସ୍ଥାରେ ଯେଉଁ ବର୍ଗ ସେବାପ୍ରଦାନ ପାଇଁ ନିୟୋଜିତ ଥିଲେ-ଯଥା ବାରିକ, କମାର, କୁମ୍ଭାର, ମାଳି, ଧୋବା ଆଦି ନିଜ କର୍ମକୁ ନେଇ ଆଦୌ ହୀନମନ୍ୟତା ପ୍ରକାଶ କରୁ ନଥିଲେ । ବରଂ ବଂଶାନୁକ୍ରମେ ସେହି ଏକ ପ୍ରକାର କାମ କରି ପିଢ଼ା ପରେ ପିଢ଼ୀ ସେହି କୌଳିକ ବୃତିକୁ ଅଧିକ ମାର୍ଜିତ କରିପାରିଥିଲେ । ଦେଶ ସ୍ୱାଧିନତା ଲାଭ କରିବା ପରେ ସାମାଜିକ, ଆର୍ଥିକ ଦୃଷ୍ଟିରୁ ପଛରେ ପଡିଥିବା ଏହି ଲୋକମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଲକ୍ଷ୍ୟରେ ୧୯୫୨ ମସିହାରେ ପ୍ରଥମେ ପଛୁଆବର୍ଗଙ୍କୁ ଚିହ୍ନଟ କରାଗଲା । ୯୦ ଦଶକ ପର୍ଯନ୍ତ ସବୁକଥା ପ୍ରାୟତ ଠିକ୍ ଠାକ୍ ଚାଲିଥିଲା । ୯୦ ଦଶକରେ ମଣ୍ଡଳ କମିଶନଙ୍କ ସୁପାରିଶକୁ ନେଇ ଆରମ୍ଭ ହେଲା ହୋ- ହଲ୍ଲା । ସେପଟେ ଇନ୍ଦ୍ରା ସାଇନି ମାମଲାରେ ସୁପ୍ରିମ୍କୋର୍ଟ ଆଦେଶ ଦେଲେ ଯେ ଆରକ୍ଷଣ ସିମା ୫୦ ପ୍ରତିଶତରୁ ଅଧିକ ହେବନାହିଁ । ଦେଶର ସର୍ବୋଚ୍ଚ ଅଦାଲତର ଏହି ଆଦେଶ ହିଁ ବଡ ପ୍ରତିବନ୍ଧକ ବୋଲି ଆନେକ ବିଚାରିଲେ । ଅନେକଙ୍କ ମତରେ ବିଶେଷ କରି ନିର୍ବାଚନ ସମୟରେ ଭୋଟ ଭିକ୍ଷା ପାଇଁ ଯାଉଥିବା ରାଜନୈତିକ ନେତା ଓ ଦଳ ପାଇଁ ଏହା କଂଟା ସାଜିଲା । ରାଜନୈତିକ ଦଳଗୁଡିକର ଯୁକ୍ତି ହେଲା ଯେ ପଛୁଆବର୍ଗଙ୍କ ସଂଖ୍ୟା ବହୁ ଅଧିକ-ଏବଂ ତାଙ୍କୁ ଆରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ସିମିତ ରଖି ଦେଲେ ଅନେକ ଆରକ୍ଷଣ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପରେ ଏହି ହାର ବଢ଼ାଇବାକୁ ଆରମ୍ଭ ହେଲା ଚାପ । ଗତ ଲୋକସଭା ଅଧିବେଶନ କାଳରେ ଏ ନେଇ ୧୨୭ ତମ ସମ୍ବିଧାନ ସଂଶୋଧନ ବଳରେ ବିଲ୍ ପାଶ୍ ହୋଇଯିବା ପରେ ଆରକ୍ଷଣକୁ ନେଇ ପୁଣି ଚର୍ଚ୍ଚା ଯୋର ଧରିଛି । ଏହି ସଂଶୋଧିତ ବିଲ୍ ବଳରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ୫୦ ପ୍ରତିଶତ ଆରକ୍ଷଣ ସୀମାଙ୍କୁ ଏଡାଇ ହେବ ଏବଂ ଏଣିକି କେନ୍ଦ୍ର ସରକାର ବଦଳରେ ରାଜ୍ୟ ସରକାରମାନେ ପଛୁଆବର୍ଗଙ୍କୁ ଚିହ୍ନଟ କରିବେ । ବାସ୍ ଏହାକୁ ନେଇ ଅନେକ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ କାଦୁଅ ଫୋପଡା ଫିଙ୍ଗା ଆରମ୍ଭ ହୋଇଗଲାଣି । ପଛୁଆ ବର୍ଗ ଚିହ୍ନଟ ପ୍ରସଙ୍ଗ ଏତେ ସ୍ପର୍ଶକାତର ଯେ-ଏଥିରେ ସାମାନ୍ୟ ଏପଟ ସେପଟ ହେଲେ ତାର ସୁଦୂରପ୍ରସାରୀ ପ୍ରଭାବ ସଂପୃକ୍ତ ରାଜ୍ୟ ବା ସରକାରରେ ଥିବା ଦଳକୁ ଭୋଗିବାକୁ ପଡିବ । ଆଉ ପରିଣତ ସିଧାସଳଖ ଭୋଟ ବାକ୍ସ ଉପରେ ପଡିବ । ଅତିତରେ ପଛୁଆବର୍ଗଙ୍କ ଜନଗଣନା ନେଇ ପଦକ୍ଷେପ ନିଆଯାଇଥିଲେ ବି ତାର ଫଳାଫଳ ପ୍ରକାଶ କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କିମ୍ବା ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରଥମ ସରକାରରେ ସାହାସ କରିପାରି ନଥିଲେ । ଆଉ ଲକ୍ଷ୍ୟ କରାଯାଉଥିଲା ଯେ ଆରକ୍ଷଣ ସୁବିଧା ହାସଲ ପାଇଁ ଗଣନା ସମୟରେ ଅନେକ ଉଚ୍ଚବର୍ଗ ନିଜକୁ ପଛୁଆ ବର୍ଗଭାବେ ଚିତ୍ରିତ କରିବାକୁ ପଛାଇ ନଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ ଆରକ୍ଷଣ ସୁବିଧା ପ୍ରକୃତରେ କାହାକୁ -କେତେ ଦିନ ପାଇଁ ଦିଆଯିବା ଉଚିତ୍ । ତାଛଡା ଆରକ୍ଷଣ ସୁବିଧା କେଉଁ ସ୍ତର ପର୍ଯ୍ୟନ୍ତ ଦିଆଯିବ । ଏପରିକି ଗୁଣାତ୍ମକ ମ୍ବଲ୍ୟ ପ୍ରଧାନ୍ୟ ରଖୁଥିବା ଚାକିରି ଏବଂ ପଦୋନ୍ନତିରେ ଏହି ସୁବିଧା ଦିଆଯିବା ଜରୁରୀ କି? ଏ ସବୁ ଅସମାହିତ ପ୍ରଶ୍ନର କିଛି ଉତର ମିଳୁନି ବା ଉତର କଣ ଜଣାଥିଲେ ବି ତାହାକୁ ଗୁରୁତ୍ୱ ଦିଆଯାଉନି । ବରଂ ଭୋଟ ରାଜନୀତି ଲାଳସାରୁ ରାଜନୈତିକ ନେତା ଏବଂ ଦଳ ଉପରକୁ ଉଠି ଏ ନେଇ ଏକ ସର୍ବ ଗ୍ରହଣୀୟ ବ୍ୟବସ୍ଥା କରିବା ଜରୁରୀ । ଯାହାଦ୍ୱାରା ପ୍ରକୃତ ପଛୁଆ ବର୍ଗ ଉପକୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ଅନ୍ୟଥା କେବଳ ଲକ୍ଷ୍ୟ ମହତ ରଖି ବାସ୍ତବ କାର୍ଯ୍ୟକାରିତା ଓଲଟା କରାଗଲେ ଫଳ ସବୁ ବେଳେ ଓଲଟା ହେବା ସାର ହେବ ।