ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଗତ ସେପ୍ଟେମ୍ବର ମାସ ମଧ୍ୟଭାଗରେ ଦୈନିକ ସଂକ୍ରମଣ ୧ ଲକ୍ଷ ମୁହଁ ହୋଇଥିବା ଏବେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି । ସେହିପରି ଅରୋଗ୍ୟ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଯାହାକି ଆଶୃସ୍ତିର କାରଣ ହୋଇଛି । ବର୍ତମାନ ସୁଦ୍ଧା ଏହାର କୌଣସି ଫଳପ୍ରଦ ଟିକା କିମ୍ବା ଟାବଲେଟ ବାହାରିନଥିବା ସତ୍ୱେ ସଂକ୍ରମଣ ହ୍ରାସ ପାଇବାର ମୁଖ୍ୟକାରଣ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୋଲି ନିସଂଦେହରେ କୁହାଯାଇପାରିବ । ଏବେ ଦେଶରେ ସବୁଠୁ ବଡ଼ ପର୍ବ ଭାବେ ପରିଚିତ ଦଶହରା ଦୂର୍ଗାପୂଜା, ଯେଉଁଠି ପୂଜାମଣ୍ଡପଗୁଡିକ ନିକଟରେ ଦୈନିକ ଲକ୍ଷାଧ୍ୟକ ଲୋକଙ୍କ ସମାଗମ ଘଟିଥାଏ, ସେଠାରେ ଖାଁ ଖାଁ ଭଳି ପରିସ୍ଥିତ ସୃଷ୍ଟି ହୋଇଥିଲା । ଯାହାକି କଠୋର କୋଭିଡ ନିୟମ କାନୁନ ଏବଂ ଲୋକଙ୍କ ମଧ୍ୟରେ ଜାଗ୍ରତ ହୋଇଥିବା ସଚେତନତା ଯୋଗୁଁ ସମ୍ଭବ ହୋଇଛି । ଆଗକୁ ଦୀପାବଳୀଭଳି ଆହୁରି ଆଳେକ ପର୍ବପବାଣୀ ରହିଛି । ଜନସାଧାରଣ ଅନୁରୂପ କଠୋର ନୀୟମ ପାଳନ କରିବେ ବୋଲି ଆମର ଆଶା ଓ ବିଶ୍ୱାସ । ଉଲେଖଯୋଗ୍ୟ ଯେ, ଚୀନର ଉହ୍ୱାନ ସହରରେ ମହାମାରୀ କରୋନା ଭୂତାଣୁ ଦେଖାଦେବାର ଆଉ କିଛି ଦିନ ପରେ ୧ ବର୍ଷ ପୁରଣ କରିବ । ବର୍ଷକି ମଧ୍ୟରେ କରୋନା ବିଶ୍ୱର ୨୧୩ଟି ଦେଶକୁ ଗ୍ରାସ କରିବା ସହ ଜନଜୀବନକୁ ଠପ୍ କରିଦେଇଛି । କେବଳ ଏତିକି ନୁହେଁ ସାମାଜିକ, ଅର୍ଥନୈତିକ, ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି । ବିଶ୍ୱ ଅର୍ଥନୀତି ବଡଧରଣର ଆର୍ଥୀକ ମାନ୍ଦାବସ୍ଥା ମୁହାଁ ହୋଇଥିବା ବେଳେ କୋଟି କୋଟି ଲୋକ ବେରୋଜଗାର ହୋଇଛନ୍ତି । ଦ୍ୱାରା ବନ୍ଦ ହୋଇଯାଇଛି । କେହି କାହା ସହିତ ହସଖୁସିରେ କଥାବାର୍ତା ହେବା ଏକ ପ୍ରକାର ବନ୍ଦ । ସମସ୍ତ ପର୍ବପର୍ବାଣୀ ଫିକା ପଡିଥିବା ବେଳେ ସାମାଜିକ ଉତ୍ସବ ତଥା ବିବାହ, ବ୍ରତ, ଶୁଦ୍ଧକର୍ମ, ସବୁ କିଛି କରୋନା ପ୍ରଭାବରୁ ବାଦ ପଡ଼ିନାହିଁ । ଯେଉଁଠି ନିୟମ ଭଙ୍ଗ କରି ଉତ୍ସବ ପାଳିତ ହୋଇଛି । ସେଠାରେ କରୋନା ତା’ର ଉଗ୍ରଚାପ ଦେଖାଇଛି । କେରଳର ‘ଓନମ’ ପର୍ବ ଏହାର ସଦ୍ୟତମ ଉଦାହରଣ ବୋଲି କୁହାଯାଇପାରେ । କରୋନା ଦ୍ୱାରା ଯେଉଁ କ୍ଷେତ୍ର ବେଶ୍ ପ୍ରଭାବିତ ହୋଇଛି, ସେଥିମଧ୍ୟରୁ ଶିକ୍ଷାକ୍ଷେତ୍ର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ଦେଶରେ ଗତ ୮ ମାସ ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବା ବେଳେ କେବେ ଖୋଲିବ, ତାହା ସ୍ଥିର ହୋଇପାରି ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୀର୍ଘ ୧ ବର୍ଷ ଧରି ବିଶ୍ୱର ୧୪୦ଟି ଔଷଧ କମ୍ପାନୀ କରୋନା ମୁକାବିଲା ପାଇଁ ଔଷଧ ତିଆରି ଲାଗି ପ୍ରୟାସ ଜାରି ରଖିଥିବା ବେଳେ ବର୍ତମାନ ସୁଦ୍ଧ ସଫଳ ହୋଇପାରିନାହିଁନ୍ତି । କେବେ ଟିକା ବାହାରିବ, ବଜାରକୁ ଆସିବ, ବର୍ତମାନ କହିବା ମୁସ୍କିଲ । ମାତ୍ରଟିକାକୁ ନେଇ ରାଜନୀତି ଏବେ ଯେଉ ଧରିଲାଣି । ବିହାରରେ ବିଧାନସଭା ନିର୍ବାଚନ ପ୍ରଚାର ଏବେ ଚରମ ପର୍ଯ୍ୟୟରେ ପହଁଚିଥିବା ବେଳେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଦେବା ପାଇଁ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ଯାହାକି “ପୁଅର ନାଁ ଗୋପାଳିଆ” ସଦୃଶ ହୋଇଛି । ମାଗଣାରେ ବଂଟନ ଏବେ ମୁଖ୍ୟପ୍ରସଙ୍ଗ ହୋଇଛି । କରୋନା ମହାମାରୀ କେବେ ହଟିବ, ତାହା ଅନୁମାନ କରିବା କଷ୍ଟ, ବିଶେଷଜ୍ଞମାନେ ମଧ୍ୟ ଏନେଇ ନୀରବ । କରୋନା ଦୁଇଟି ଋତୁ ଗ୍ରୀଷ୍ମ ଓ ବର୍ଷା ଅତିକ୍ରମ କରିସାରିଲାଣି । ଶୀତ ଋତୁ ଆସିଗଲାଣି । କୁହାଯାଉଛି ଯେ, ଶୀତ ଋତୁରେ କରୋନା ଭୂତାଣୁ ଶକ୍ତିଶାଳୀ ହୋଇଥାଏ । ଏହା ଯଦି ସତ୍ୟ ହୋଇଥାଏ, ତେବେ ପୁଣି ଥରେ କରୋନା କାୟାବିସ୍ତାର କରିବା ସମ୍ଭାବନାକୁ ଉପେକ୍ଷା କରାଯାଇନପାରେ । ଏଥିପ୍ରତି ସାବଧାନତା ହିଁ ଜରୁରୀ । ଏହା ସତ୍ୟ ଯେ, ବିଶ୍ୱରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ସରକାରଙ୍କ ନିଦ ହଜାଇ ଦେଇଥିବା ବେଳେ ଆଗକୁ ଶୀତର ପ୍ରକୋପ ଯଦି ସଂକ୍ରମଣରେ ସହାୟକ ହୁଏ, ତେବେ ପରିସ୍ଥିତି ଅଣାୟାତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏହା ନିଶ୍ଚିତ କୋଭିଡ-୧୯ ବିୟମ ଆମକୁ ଏ ସଂକ୍ରମଣରୁ ସୁରକ୍ଷା ଦେଇ ପାରିବ । ଏବେ ସଂକ୍ରମଣ କମୁଥିବା ଯୋଗୁଁ କରୋନାକୁ ହେୟଜ୍ଞାନ ନ କରି କୋଭିଡ-୧୯ର କଠୋର ନିୟମ ମଧ୍ୟରେ ନିଜକୁ ଆବଦ୍ଧ ରଖିବାକୁ ହେବ । ମୁହଁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତଧୋଇବା, ଭିଡକୁ ଏଡାଇବା, ଆଦି ପାଳନ କଲେ କରୋନା ହାରିବ । ଏବେ ଲକ୍ଡାଉନ୍ ସମୟ ସରିଛି । ମାତ୍ର ଭୂତାଣୁ ରହିଛି । ଶୀତ ଋତୁ ଆସି ଯାଇଛି । ଏଥିପାଇଁ ଆମକୁ ସାବଧାନ ହେବା ସହ ନିୟମ ପାନ ସତର୍କ ହେବାକୁ ହେବ । ଅନ୍ୟଥା ପରିସ୍ଥିତ ପୁଣି ବିଗିଡି ଯିବ, ଏଥିରେ ସଂଦେହ ନାହିଁ ।