ରାଜ୍ୟରେ ଏବେ କରୋନା ଟିକାର ଡ୍ରାଏ ରନ୍ ଚାଲିଛି । ୩୧ଟି ସ୍ଥାନରେ ଏହା କରାଯାଇଥିଲା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଜିଲ୍ଲାରେ ଡ୍ରାଏ ରନ୍ ଅଭ୍ୟାସ କରାଯାଉଛି । ଅର୍ଥାତ କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିସôାଳୟ ଗୁଡ଼ିକରେ କୋଭିଡ ନିୟମ ପାଳନ କରି ଡେମୋ ଟିକା ଦିଆଯାଉଛି । ନାମ ପଞ୍ଜିକରଣ, ଟିକା ପ୍ରଦାନ ଏବଂ ଟିକା ପରବର୍ତୀ ଯନô ନେବାର ଅଭ୍ୟାସ କରାଯାଇଥିଲା ବେଳେ ଖୋଦ୍ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମାହାପାତ୍ର ରାଜଧାନୀ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିନେଇ ଦେଇଥିବା ବିବୃତିରେ ପ୍ରକାଶ କରିଛନ୍ତି ଯେ କୋଭିଡ-୧୯ ଟିକା ଦେବାକୁ ପଦକ୍ଷେପ ନିଶ୍ଚିତ ହେବାପରେ ଏବେ ସମଗ୍ର ଓଡିଶାରେ ଟିକାକରଣକୁ ଦୃତତର ତଥା ସୁନିଶ୍ଚିତ କରାଇବା ଲାଗି ୩୦ଟି ଜିଲ୍ଲାରେ ଶନିବାର ଠାରୁ ଏହାର ପୂର୍ବାଭ୍ୟାସ କରାଯାଉଥିଲା ବେଳେ ଆବଶ୍ୟକ ଭିତିଭୂମି ଓ ମାନବ ସମ୍ବଳର ସୁବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । ଏଥିରେ କେବଳ କ୍ୟାପିଟାଲ ହସ୍ପିଟାଲରେ ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡେମୋ ଟିକା ଦିଆଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦେବାଲାଗି ପ୍ରସ୍ତୁତି ଚାଲିଥିବା ବେଳେ ପ୍ରାର୍ଥମିକ ତାଲିକାରେ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଅଙ୍ଗନୱାଡି କର୍ମୀ ଓ ବୟସ୍କ ବ୍ୟକ୍ତି ଏଥିରେ ଅନ୍ତର୍ଭୂକ୍ତ । ଅବଶ୍ୟ ଓଡ଼ିଶା ସମେତ ଦେଶର ସବୁ ରାଜ୍ୟରେ ରବିବାର ଡମି ଟିକା ଦିଆଯାଇଛି । ଟିକା କରଣ କାର୍ଯ୍ୟ ଆରମ୍ଭ ହେଲେ ଯେପରି ଏହା ତ୍ୱରାନ୍ୱିତ ହୋଇପାରିବ ତାହକୁ ଲକ୍ଷ୍ୟ ରଖି ଗତ ୪ ମାସ ଧରି ପ୍ରସ୍ତୁତି ଜାରି ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି । ତେବେ ମାସକ ମଧ୍ୟରେ ଯେଉଁ ଦିନ ହେଲେ ଟିକାକରଣର ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି । କିନ୍ତୁ କେନ୍ଦ୍ରସରକାର ସର୍ବପ୍ରଥମେ ଦେଶର ସମସ୍ତଙ୍କୁ ମାଗଣା ଟିକା ମିଳିବ ବୋଲି କହିବା ପରେ ପୁଣି ପ୍ରଥମ ପର୍ଯ୍ୟାୟ ଟିକାକରଣରେ କେବଳ ୩୦ କୋଟି ଲୋକଙ୍କ ଖର୍ଚ୍ଚ ସରକାର ବହନ କରିବେ କୁହାଯିବା ଅର୍ଥ କ’ଣ? ଏହି ବିବୃତିରେ ତାଳମେଳ ନଥିଲା ଭଳି ମନେହୁଏ । ଏହା ଅସ୍ପଷ୍ଟ ହୋଇଥିବାରୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ୧୩୦ କୋଟିରୁ ଊଦ୍ଧ୍ୱର୍ ଭାରତୀୟଙ୍କ ମଧ୍ୟରୁ ଯଦି ୩୦ କୋଟି ମାଗଣାରେ ଟିକା ନେବେ, ତେବେ ବାକି ୧୦୦ କୋଟିରୁ ଅଧିକ ଲୋକଙ୍କ ଟିକା ଖର୍ଚ୍ଚ କିଏ ବହନ କରିବ? କରୋନା ମହାମାରୀ ଓ ଅର୍ଥନୈତିକ ଚାପ ମଧ୍ୟରେ କୋଟି କୋଟି ଲୋକ ବେକାର ହେବା ସହ ଚାକିରି ହରାଇଥିବା ବେଳେ ସେମାନଙ୍କ ଟିକା ବାବଦ ଅର୍ଥ କିଏ ଭରଣା କରିବ? ଆମ ବିଚାରରେ ଅତିକମ୍ରେ ୭୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ରସରକାର ଓ ବାକି ରାଜ୍ୟସରକାର ବହନ କଲେ ବହୁ ଲୋକ, ବିଶେଷତଃ ନିମ୍ନ ଓ ମଧ୍ୟବିତ ଶ୍ରେଣୀର ଲୋକ ଆଶ୍ୱସ୍ତି ଲାଭ କରିପାରନ୍ତେ । ତେଣୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ବିଚାର ଆଲୋଚନା କରିବା ନିତ୍ୟାନ୍ତ ଜରୁରୀ ।