ସର୍ବଭାରତୀୟ ସ୍ତରରେ କରୋନା ମହାମାରୀ ବ୍ୟାପିବା ସହିତ ଆକ୍ରାନ୍ତ ଓ ମୃତ୍ୟୁ ଜନିତ ସଂଖ୍ୟା ବଢ଼ିବା ପରେ ଏଥିନେଇ ଯେଉଁ ଦୁଇଟି ଟିକା ପ୍ରସ୍ତୁତ କରାଯିବା ସହିତ ଦିଆଯାଉଛି, ତାହା ହେଲା କୋଭିସିଲ୍ଡ ଓ କୋଭାକ୍ସିନ । ଏହା ବ୍ୟତିତ ଆମେରିକାର ଫାଇଜର ଟିକା ଆଣିବାକୁ ସମ୍ମତି ପ୍ରକାଶ କରାଯାଇଥିଲା ବେଳେ ରୁଷରୁ ସ୍ପୁଟନିକ ଟିକା ମଗାଯାଇଛି । ପ୍ରଥମେ ଏଥିରୁ ଘରୋଇ ମେଡିକାଲ ଗୁଡିକରେ ଅଳ୍ପ କିଛି ଟିକା ଅର୍ଥ ବିନିମୟରେ ମିଳିବା ଲାଗି ବନ୍ଦୋବସ୍ତ କରାଯାଉଥିଲେ ହେଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କେନ୍ଦ୍ର ସରକାର ମଗଣାରେ ଟିକା ଯୋଗାଇ ଦେବା ଲାଗି ସର୍ବୋଚ୍ଚ କୋର୍ଟ ଭାରତ ସରକାରଙ୍କୁ ନିଷ୍ପତି ନେବା ପାଇଁ ଚିନ୍ତା କରିବାକୁ କହିଥିଲା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ । ତେବେ ସେ ଯାହା ହେଉନା କାହିଁକି, ଟିକା ଯୋଗୁ ଭାରତର ବହୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଟିକାକରଣ କରାଯାଉଥିଲେ ହେଁ ଏ ଦିଗରେ ଓଡ଼ିଶାର ଉଲ୍ଲେଖନୀୟ ଭୂମିକା ସ୍ୱୀକାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତରେ କରୋନା ମହାମାରୀ ଆସିବା ସହିତ ଏ ଦିଗରେ କିପରି ଠୋସ୍ ପଦକ୍ଷପ ନିଆଯାଇପାରିବ ସେଥିଲାଗି ପ୍ରଚେଷ୍ଟା ପ୍ରଥମରୁ ଜାରି ରଖିଥିଲେ ଏବଂ ଏବେ ବି ଏହା ଜାରି ରହିଛି । ୨୦୨୦ରେ ସର୍ବ ପ୍ରଥମେ କରୋନା ଭାରତକୁ ଆକ୍ରାନ୍ତ କରିଥିଲା ବେଳେ ଏଥିରୁ ରାଜଧାନୀ ଭୁବନେଶ୍ୱର ବାଦପଡି ନଥିଲା ବୋଲି କୁହାଯାଏ । ଭୁବନେଶ୍ୱରରେ କରୋନା ନ’ ବ୍ୟାପିବା ଲାଗି ଉଭୟ ରାଜ୍ୟ ସରକାର ଓ ପ୍ରଶାସନ ସହିତ ସାଧାରଣ ଲୋକମାନେ ସ୍ୱଇଚ୍ଛାରେ ନିଜ ଘରେ ରହୁଥିଲା ବେଳେ ଭିନ୍ନ ଭିନ୍ନ ଅଫିସ କାର୍ଯ୍ୟ ଘରୁ ଚାଲିବା ଇତି ମଧ୍ୟରେ ଅଭ୍ୟାସ ପାଲଟି ଗଲାଣି । ଯଦିଓ ସ୍କୁଲ ବାଳକ ବାଳିକାମାନେ ଏବେ କ୍ଲାସରୁ ବଂଚିତ ହେବା ଦୈନନ୍ଦିନ ବ୍ୟାପାର ପାଲଟି ସାରିଲାଣି, ତତ୍ ଦ୍ୱାରା ମହାମାରୀ ବ୍ୟାପୁନଥିବା କୁହାଯାଇଛି । ତେବେ ଓଡ଼ିଶାରେ ପଜିଟିଭ ସଂଖ୍ୟା ବଢ଼ିବା କାରଣ କଣ ହୋଇପାରେ? ତେବେ ପରିବେଶକୁ ଆହୁରି ଉତମ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସମ୍ମୀକ୍ଷା ବୈଠକ କରାଇବା ଏବଂ କିପରି ଏହା ଅଳ୍ପ ସମୟ କାଳ ମଧ୍ୟରେ ଆକ୍ଷିଦୃଶିଆ ସଫଳତା ଆଣିଦେବ, ସେଥିଲାଗି ବିଭିନ୍ନ ପଦକ୍ଷପ ନେବା ହିଁ ରାଜ୍ୟରେ କରୋନା ମହାମାରୀକୁ ସଂକୁଚିତ କରୁଥିବା ଅନୁଭୂତ ହୁଏ । ତେବେ ଆମର ଏଠାରେ କହିବାର କଥା ହେଲା ଯେ, କେବଳ ସଫଳତାକୁ ନେଇ କେବେ ହେଲେ ବିଫଳତାକୁ ମାପିବା, ସମୀକ୍ଷା କରିବା ଏବଂ ସିଦ୍ଧାନ୍ତରେ ଉପନୀତ ହେବା ଆଦୌ ଠିକ୍ ହୋଇନପାରେ । ଏଥିଲାଗି ଆମେ କହିପାରୁ, କରୋନା ରୋକିବା ଲାଗି ଓଡ଼ିଶାରେ ପ୍ରାୟ ଏକ କୋଟି ପାଖାପାଖି ଲୋକଙ୍କ ଟିକାକରଣ ଇତି ମଧ୍ୟରେ ହୋଇଯାଇଛି ବୋଲି କେତେକ ସମ୍ବାଦ ପତ୍ରରେ ପ୍ରକାଶ ପାଇଥିବା ଖବର ନିଶ୍ଚିତ ଭାବେ ଏକ ସୁଖବର । ଏଥିଲାଗି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ଉଚିତ । ସମୀକ୍ଷା କରିବା ସହ ସେ କରୋନା ମହାମାରୀକୁ ଆୟତକୁ ଆଣିବାଲାଗି ଅଧିକ ବ୍ୟକ୍ତିଙ୍କୁ ଟିକା ଦେବା ନିମିତ ଉଦ୍ୟମ ଅବିରାମ ଗତିରେ ଚଳାଇଛନ୍ତି । ହେଲେ ସର୍ବପ୍ରଥମେ ଅତିକମରେ ରାଜ୍ୟର ମୋଟ ଲୋକସଂଖ୍ୟାରୁ ତିନିଭାଗ ବ୍ୟକ୍ତି ଟିକା ନେବା ଉଚିତ । ସେଥି ଯୋଗୁ ଟିକାକରଣ ଦୃତ ଗତିରେ କରିବା ଲାଗି ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବା ଜରୁରୀ । ତାହା ହେଲେ କରୋନା ମହାମାରୀ ବାଟରେ ଅଟକିଯିବ ସିନା, ଆଉ ଆଗେଇ ପାରିବ ନାହିଁ ।