କଳା ଶୁକ୍ରବାର

କରୋନା ମହାମାରୀ ଏବେ ବିଶ୍ୱରେ ଏକରକମ୍ ଅଚଳାବସ୍ଥା ସୃଷ୍ଟି କରିଛି । ଯେଉଁ ଲୋକ ଏବେ ଯେଉଁଠି ରହିଛି ସେଠି ତା’ ଅବସ୍ଥା ଗାଆଣି ଗାଇଲେ ସରୁନାହିଁ । ଓଡ଼ିଶାର ଏବଂ ଭାରତର ପରିସ୍ଥିତି ପ୍ରତି ଲକ୍ଷ୍ୟ କରାଗଲେ ଏହା ସହଜରେ ଜାଣି ହୋଇଥାଏ । ରାଜ୍ୟ ବାହାରେ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ବିଭିନ୍ନ ପ୍ରଦେଶରେ ରହି କାର୍ଯ୍ୟ କରିଆସୁଥିଲା ବେଳେ ବିଦେଶରେ ମଧ୍ୟ, ଯଥା ଆମେରିକା, ବ୍ରିଟେନ୍, ଋୁଷ, ଚାଇନା, ସିଙ୍ଗାପୁର, ଅଷ୍ଟେ୍ରଲିଆ, କାନାଡା ଓ ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟ ଅନ୍ତର୍ଗତ ଦୁବାଇ ସମେତ ବହୁ ବଡ଼ ବଡ଼ ସହରରେ ହଜାର ହଜାର ଓଡ଼ିଆ ବିଭିନ୍ନ ବଡ଼ ବଡ଼ କମ୍ପାନି ଓ କଳକାରଖାନା କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ କରୋନାର ପ୍ରଭାବ ଯୋଗୁ ଏବେ ସବୁଠି କାମ ବନ୍ଦ ରହିଥିବାରୁ ଏହି ଶ୍ରମିକ, ଦିନ ମଜୁରିୟା ଓ ଖଟିଖିଆ ଶ୍ରେଣୀର ଲୋକମାନେ ଏବେ ଦୀର୍ଘମାସ ଧରି ହାତ ବାନ୍ଧି ବସିରହିଛିନ୍ତି । ବିଦେଶରେ ଥିବା ପ୍ରବାସୀ ଭାରତୀୟ ନିଜ ନିଜ ଜନ୍ମମାଟିକୁ ଫେରିଆସିବା ଲାଗି ଉଦ୍ୟମ କରୁଥିଲା ବେଳେ ଭାରତ ସରକାର ମଧ୍ୟ ଏଥିଲାଗି ସହଯୋଗର ହାତ ବଢ଼ାଇବାର ସହିତ ବିମାନ ପଠାଇ ବିଦେଶରୁ ଭାରତୀୟମାନଙ୍କୁ ଏଠାକୁ ଫେରାଇ ଆଣୁଛନ୍ତି ।
ତେବେ ଆମର କହିବାର କଥା ହେଲା ଯେ, ଓଡ଼ିଆରେ ଏକ ପ୍ରାଚୀନ ଉକ୍ତି ପ୍ରଚଳିତ ଓ ତାହାହେଲା, ‘ମହରଗରୁ ଯାଇ କାନ୍ତାରରେ ପଡିବା’ । ଏପରି ଦୁଇଟି ଘଟଣା ଶୁକ୍ରବାର କେରଳରେ ଘଟିଛି, ଯାହା ଅତ୍ୟନ୍ତ ଦୁଃଖଦ । କାମଦାମ ନପାଇ ଦୁବାଇରୁ ବହୁ ଚେଷ୍ଟା ପରେ ‘ବନେ୍ଦ ଭାରତ ମିଶନ’ କାର୍ଯ୍ୟକ୍ରମରେ ଶୁକ୍ରବାର ଦୁବାଇରୁ ବିମାନ ଯୋଗେ ଆସିଥିବା ୧୮୪ ଯାତ୍ରୀ ନିଜ ରାଜ୍ୟ କେରଳକୁ ଆସିଥିଲେ । ପ୍ରବଳ ବର୍ଷା ଭିତରେ ବିମାନଟି କୋଜିକୋଟ ବିମାନ ବନ୍ଦରରେ ଅବତରଣ କରିବା ସହିତ ରନ୍ୱେରୁ ଗଡିଯାଇ ୩୦ ଫୁଟ ଗଭୀର ଖାଲ ଭିତରେ ପଡି ଦୁଇ ଖଣ୍ଡ ହେବା ସହିତ ଏଥିରେ ଦୁଇ ପାଇଲଟ୍ଙ୍କ ସମେତ ୧୭ ଜଣ ମୃତୁ୍ୟ ଘଟିଥିଲା ବେଳେ ଆଉ ୧୩୦ ଜଣ ଆହତ ହୋଇଛନ୍ତି ବୋଲି କେରଳ ପୋଲିସ ଡିଜି ଲୋକନାଥ ବେହେରା ସୂଚନା ଦେଇଛନ୍ତି । ଠିକ୍ ସେହିତ ପରି ଶୁକ୍ରବାର ଭୋରବେଳା ବର୍ଷା ଯୋଗୁ କେରଳର ଇଡୁକ୍କି ଜିଲ୍ଳାର ରାଜମଲାଇ ଅଂଚଳରେ ୮୪ ଜଣ ଯେଉଁଠି ରହୁଥିଲେ ସେଠାରେ ଭୂସ୍ଖଳନ ଘଟି ୧୭ ଜଣଙ୍କ ମୃତୁ୍ୟ ଘଟିଥିଲା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ସେମାନେ ବଂଚିଥିବା ଆଶା କ୍ଷୀଣ ବୋଲି କୁହାଯାଇପାରେ । ଦେଶବ୍ୟାପି ଗଭୀର ଶୋକ ପ୍ରକାଶ କରାଯାଇଛି । କିନ୍ତୁ ଯେତିକି ଜୀବନ ହାନି ଘଟିଲା, ତାହା ଅପୁରଣୀୟ କ୍ଷତି ବୋଲି କୁହାଯାଇପାରେ । ତେଣୁ ସାରା ଦେଶ ପାଇଁ ଶୁକ୍ରବାର ଥିଲା ଏକ କଳା ଶୁକ୍ରବାର ଯେଉଁ ଦିନ ମହାମାରୀ କରୋନା ନୁହେଁ, ବରଂ ‘ଜଳ ବହୁଳେ ସର୍ବନାଶ’ ଘଟିଛି ବୋଲି କୁହାଯାଇପାରେ ।

Leave A Reply

Your email address will not be published.

16 − one =