୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ

୧୯୭୧ ମସିହା ଭାରତ, ପାକିସ୍ଥାନ ଏବଂ ବାଂଲାଦେଶ ଇତିହାସ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବର୍ଷ ଭାରତ ପାକିସ୍ତାନକୁ ଯେଉଁ ଝଟକା ଦେଇଥିଲା ତାହା ଆଜି ବି ଭୁଲିନି ଇସଲାମାବାଦ। ଆଉ ଯୁଦ୍ଧ ପାଇଁ ପାକିସ୍ତାନ ଭାରତକୁ ଉସକାଇ ପୂର୍ବକଥା ଯେତେବେଳେ ମନେ ପକାଏ ସେତେବେଳେ ନିଜ ଆଡ଼ୁ ଥଣ୍ଡା ହୋଇଯାଏ। ଯଦିଓ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଥିଲା ହେଲେ ଏହାର ପରିଣାମ ବାଂଲାଦେଶ ଜନ୍ମ ନେଇଥିଲା। କାରଣ ପାକିସ୍ତାନ କେବେ ଚାହୁଁନଥିଲା ବାଂଲାଦେଶର ଜନ୍ମ। ୧୯୭୧ରେ ବାଂଲାଦେଶ ସ୍ୱାଧୀନ ପାଇବା ପାଇଁ ଯୁଦ୍ଧ ହୋଇଥିଲା। ୩ ଡିସେମ୍ବର ୧୯୭୧ରେ ଏହା ଆରମ୍ଭ ହୋଇଥିଲା। ଭାରତ ୧୯୪୭ରେ ସ୍ୱାଧୀନ ହେବା ପରେ ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇଥିଲେ। ସେତେବେଳେ ବାଂଲାଦେଶର ନାମ ଥିଲା ପୂର୍ବ ପାକିସ୍ତାନ।

କାହିଁକି ହେଲା ଯୁଦ୍ଧ?

ଶେଖ ମୁଜିବୁର ରହମାନ ଆରମ୍ଭରୁ ପୂର୍ବ ପାକିସ୍ଥାନର ସ୍ୱାଧନୀତା ପାଇଁ ଲଢ଼ୁଥିଲେ। ଏଥିପାଇଁ ସେ ଛଅ ସୂତ୍ରୀ କାମ ଘୋଷଣା କରିଥିଲେ। ଆଉ ଏଥିପାଇଁ ସେ ପାକିସ୍ତାନର ଆକ୍ରୋଶର ଶିକାର ହେଉଥିଲେ। ଏହାବାଦ୍ କିଛି ବଙ୍ଗୀୟ ନେତା ମଧ୍ୟ ଟାର୍ଗେଟର ଶିକାର ହୋଇଥିଲେ। ଉଭୟଙ୍କ ଦମନ ପାଇଁ ପାକିସ୍ତାନ ଅହରହ ଚେଷ୍ଟା କରୁଥିଲା। ମୁଜିବୁର ରେହମାନ ଏବଂ ବଙ୍ଗୀୟ ନେତାଙ୍କ ବିରୋଧରେ ଏତଲା ଦାୟର କରି ମୋକଦ୍ଦମା ମଧ୍ୟ ରୁଜୁ କରିଥିଲେ। ହେଲେ ପାକିସ୍ତାନର ଏଭଳି ପଦକ୍ଷେପ ତାଙ୍କ ଉପରେ ଓଲଟା ଭାରି ପଡ଼ିଥିଲା। କାରଣ ପାକିସ୍ତାନ ଯେତେ ମାମଲା ଦାୟର କରୁଥିଲା ମୁଜିବୁର ରେହମାନ ପୂର୍ବ ପାକିସ୍ତାନବାସୀଙ୍କ ନଜରରେ ସେହି ପରିମାଣରେ ହୀରୋ ହୋଇଚାଲିଥିଲେ। ଆଉ ପାକିସ୍ତାନ ବାଧ୍ୟ ହୋଇ ମୁଜିବୁର ରହମାନଙ୍କ ବିରୋଧରେ ରୁଜୁ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିଥିଲା।

୧୯୭୦ରେ ପାକିସ୍ତାନ ନିର୍ବାଚନ

ପାକିସ୍ତାନରେ ହେବାକୁ ଥିବା ୧୯୭୦ ନିର୍ବାଚନ ବାଂଲାଦେଶ ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିଲା। ଏହି ନିର୍ବାଚନରେ ​​ମୁଜିବୁର ରେହମାନଙ୍କ ଦଳ ଇଷ୍ଟ ପାକିସ୍ତାନୀ ଆୱାମୀ ଲିଗ୍ ବିଜୟ ହାସଲ କରିଥିଲା। ମୁଜିବୁରଙ୍କ ଦଳ ପୂର୍ବ ପାକିସ୍ତାନରେ ୧୬୯ ରୁ ୧୬୭ ଟି ଆସନରେ ବିଜୟୀ ହୋଇଥିଲା। ୩୧୩ ଆସନ ବିଶିଷ୍ଟ ପାକିସ୍ତାନ ସଂସଦରେ ସରକାର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ମୁଜିବୁରଙ୍କ ପାଖରେ ଅଧିକ ସଂଖ୍ୟା ଥିଲା। ହେଲେ ମୁଜିବରଙ୍କ ସଫଳତାକୁ ଗ୍ରହଣ କରିପାରିନଥିଲେ ପଶ୍ଚିମ ପାକିସ୍ତାନର ନେତା ତଥା ସେନା ବାହିନୀକୁ ନିୟନ୍ତ୍ରଣ କରୁଥିବା ନେତା। କାରଣ ସେମାନେ ଚାହୁଁନଥିଲେ ମୁଜିବର ସରକାର ଗଠନ କରି ପାକିସ୍ତାନର ନେତୃତ୍ୱ ନିଅନ୍ତୁ ବୋଲି। ତେଣୁ ପଶ୍ଚିମ ପାକିସ୍ତାନର ନେତା ମୁଜିବରଙ୍କ ସହ ପ୍ରତାରଣା କରିଥିଲେ। ଯାହାକି ପୂର୍ବ ପାକିସ୍ଥାନରେ ବିଦ୍ରୋହର କାରଣ ପାଲଟି ଥିଲା। ମୁଜିବୁରଙ୍କ ସମର୍ଥନରେ ଲୋକମାନେ ରାସ୍ତାକୁ ପଳାଇ ଆସିଥିଲେ। ଅନ୍ୟପଟେ ପୂର୍ବ ପାକିସ୍ତାନରେ ବିଦ୍ରୋହକୁ ଦମନ କରିବା ପାଇଁ ପାକିସ୍ତାନ ସାମରିକ ଶକ୍ତି ପ୍ରୟୋଗ କରିବା ଆରମ୍ଭ କରି ଦେଇଥିଲା।

ପାକ୍ ସେନାର ନିର୍ଯାତନା

ପୂର୍ବ ପାକିସ୍ଥାନ ଏବେ ପଶ୍ଚିମ ପାକିସ୍ତାନ ପାଖରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲା। ତେଣୁ ସ୍ୱାଧୀନତା ପାଇଁ ଲୋକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ। ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ର ହେଉଥାଏ। ଆଉ ପଶ୍ଚିମ ପାକିସ୍ତାନ ମଧ୍ୟ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନର ସୌନ୍ୟବାହିନୀ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ। ଆଉ ମାର୍ଚ୍ଚ ୧୯୭୧ରେ, ପାକିସ୍ତାନୀ ସେନା ଅତ୍ୟନ୍ତ ଅମାନୁଷିକ ଭାବରେ ଅପରେସନ୍ ଆରମ୍ଭ କରିଥିଲା। ଇଷ୍ଟ ବଙ୍ଗଳାରେ ବଡ଼ ଧରଣର ଅତ୍ୟାଚାର କରାଯିବା ସହିତ ହତ୍ୟା ଏବଂ ଦୁଷ୍କର୍ମ କରିବାକୁ ପଛାଇ ନଥିଲା ପାକିସ୍ତାନ ସେନା। ଏହାପରେ ମୁଜିବୁରଙ୍କୁ ଗିରଫ କରିଥିଲା ପଶ୍ଚିମ ପାକିସ୍ତାନ। ତେଣେ ଗିରଫ ଏବଂ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ବହୁ ସଂଖ୍ୟକ ଆୱାମୀ ଲିଗ୍ ନେତା ଭାରତ ପଳାଇ ଆସିଥିଲେ।

ଆରମ୍ଭରେ ପାକିସ୍ତାନୀ ସେନାର କିଛି ନେତା ଏହି ଅପରେସନରେ ଜଡିତ ଥିଲେ। କିନ୍ତୁ ପରେ ଏହି ସଂଖ୍ୟା ବୃଦ୍ଧି ପାଇଥିଲା। ଅନ୍ୟପଟେ ଭାରତରେ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ବର୍ଷକ ମଧ୍ୟରେ ବାଂଲାଦେଶରୁ ପ୍ରାୟ ୧ କୋଟି ଶରଣାର୍ଥୀ ଭାରତରେ ଆଶ୍ରୟ ନେଇଥିଲେ। ଯାହାକି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଉପରେ ଚାପ ପକାଇଥିଲା।

ଭାରତର ହସ୍ତକ୍ଷେପ

ତେବେ ମାର୍ଚ୍ଚ ୧୯୭୧ ଶେଷରେ ଭାରତ ସରକାର ପୂର୍ବ ପାକିସ୍ତାନର ମୁକ୍ତିବାହିନୀକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଏ। ପ୍ରକୃତରେ ପୂର୍ବ ପାକିସ୍ତାନୀ ସେନାର ଥିଲେ ମୁକ୍ତିବାହିନୀ। ଯିଏକି ବାଂଲାଦେଶକୁ ପାକିସ୍ତାନରୁ ମୁକ୍ତ କରିଥିଲା। ମୁକ୍ତି ବାହିନୀରେ ପୂର୍ବ ପାକିସ୍ଥାନର ଅନେକ ସେନା ଏବଂ ହଜାର ହଜାର ସାଧାରଣ ନାଗରିକ ସାମିଲ ହୋଇଥିଲେ। ୩୧ ମାର୍ଚ୍ଚ ୧୯୭୧ରେ  ଇନ୍ଦିରା ଗାନ୍ଧୀ ପୂର୍ବ ବଙ୍ଗର ଲୋକଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ। ୨୯ ଜୁଲାଇ ୧୯୭୧ରେ ଭାରତୀୟ ସେନା ନିଜ ଆଡ଼ୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ଅକ୍ଟୋବର-ନଭେମ୍ବର ୧୯୭୧ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପରାମର୍ଶଦାତା ୟୁରୋପ ଏବଂ ଆମେରିକା ଗସ୍ତରେ ଥିଲେ। ଏହି ସମୟରେ ପୂର୍ବ ପାକିସ୍ତାନ ନେଇ ଭାରତର ଦୃଷ୍ଟିକୋଣକୁ ବିଶ୍ୱ ନେତାଙ୍କ ଆଗରେ ଉପସ୍ଥାପନ କରିଥିଲେ। କିନ୍ତୁ ଇନ୍ଦିରା ଗାନ୍ଧୀ ଏବଂ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ମଧ୍ୟରେ ହୋଇଥିବା ବୁଝାମଣା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇନଥିଲା। ମୁଜିବୁର ରେହମାନଙ୍କ ମୁକ୍ତି ପାଇଁ ନିକ୍ସନ୍ କିଛିବି କରିବାକୁ ବାରଣ କରି ଦେଇଥିଲେ। ନିକ୍ସନ୍ ଚାହୁଁଥିଲେ ପଶ୍ଚିମ ପାକିସ୍ତାନର ସାମରିକ ବାହିନୀକୁ ଦୁଇ ବର୍ଷ ପାଇଁ କ୍ଷମତା ଦିଆଯାଉ। ଅନ୍ୟପକ୍ଷରେ ଇନ୍ଦିରା ଗାନ୍ଧୀ କହିଛନ୍ତି ଯେ ପାକିସ୍ତାନର ସ୍ଥିତି ଜଟିଳ ଥିଲା। ରେହମାନ ମୁକ୍ତି ନହେବା ପର୍ଯ୍ୟନ୍ତ ଏବଂ ପୂର୍ବ ପାକିସ୍ତାନର ନିର୍ବାଚିତ ନେତାଙ୍କ ସହ ଆଲୋଚନା ଆରମ୍ଭ ନହେବା ପର୍ଯ୍ୟନ୍ତ ଏହି ପରିସ୍ଥିତି ଠିକ୍ ହୋଇପାରିବ ନାହିଁ ବୋଲି କହିଥିଲେ। ସେ ନିକ୍ସନଙ୍କୁ ମଧ୍ୟ କହିଥିଲେ ଯେ ଯଦି ପାକିସ୍ତାନ ସୀମା ପାର୍ଶ୍ୱରେ (ଭାରତରେ) ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖେ, ତେବେ ଭାରତ ପ୍ରତିଶୋଧ ପରାୟଣ ହେବ ନାହିଁ।

ଭାରତ ଉପରେ ଆକ୍ରମଣ ଏବଂ ଯୁଦ୍ଧ ଆରମ୍ଭ

ତେବେ ପୂର୍ବ ପାକିସ୍ତାନରେ ସ୍ଥିତି ଜଟିଳ ହୋଇଥିଲା। ପଶ୍ଚିମ ପାକିସ୍ତାନରେ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଦାବି ସହ ବିଶାଳ ପଦଯାତ୍ରା ହୋଇଥିଲା। ଅନ୍ୟପକ୍ଷରେ ଭାରତୀୟ ସେନା ପୂର୍ବ ପାକିସ୍ତାନର ସୀମା ଜଗି ରହିଥିଲେ। ୨୩ ନଭେମ୍ବର ୧୯୭୧ରେ ପାକିସ୍ତାନର ରାଷ୍ଟ୍ରପତି ୟାହିୟା ଖାନ୍ ପାକିସ୍ତାନୀମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ୩ ଡିସେମ୍ବର ୧୯୭୧ରେ ପାକିସ୍ତାନର ବାୟୁସେନା ଭାରତ ଉପରେ ଆକ୍ରମଣ କରିଥିଲା। ଭାରତର ଅମୃତସର ଏବଂ ଆଗ୍ରା ସମେତ ଅନେକ ସହରକୁ ଟାର୍ଗେଟ କରିଥିଲା ଇସଲାମାବାଦ। ଆଉ ୧୯୭୧ରେ ଇଣ୍ଡୋ-ପାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ହେଲେ ୧୬ ଡିସେମ୍ବର ୧୯୭୧ରେ ପାକିସ୍ତାନ ସେନା ଭାରତ ପାଖରେ ଆତ୍ମସମର୍ପଣ କରିଥିଲେ। ଆଉ ବାଂଲାଦେଶର ଜନ୍ମ ହୋଇଥିଲା।

Leave A Reply

Your email address will not be published.

3 + 5 =