ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷ ଏକ ବିରାଟ ଭୁଖଣ୍ଡ, ଯାହାର ଜନସଂଖ୍ୟା ୨୦୨୦ରେ ପାଖାପାଖି ୧୪୦ କୋଟିରେ ରହିଛି । ଆମ ରାଷ୍ଟ୍ରକୁ ଜନସଂଖ୍ୟାରେ ଟପିଥିବା ରାଷ୍ଟ୍ର କହିଲେ, ଏହା ଆମର ପଡୋଶୀ ରାଷ୍ଟ୍ର ଚାଇନାକୁ ବୁଝାଏ । କିନ୍ତୁ ଆବାହମାନ କାଳରୁ ମନୁଷ୍ୟସମାଜ ଏକତ୍ରିତ ଭାବେ ବସବାସ କରିବାକୁ ଯେତେଗୁଡିଏ ଶାସନ ବ୍ୟବସ୍ଥା ଅଦ୍ୟାବଧି ଫଳପ୍ରଦ ହୋଇଛି, ତନ୍ମଧ୍ୟରୁ ମୁଖ୍ୟତଃ ଗଣତାନ୍ତ୍ର ଓ ବାମପନ୍ଥୀ ଚିନ୍ତାଧାରା ସର୍ବାଗ୍ରେ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏଠାରେ ଆମେ ଏହା କହିବାର ମୁଖ୍ୟ ଲକ୍ଷ୍ୟ ହେଲା ଯେ, ଆଜି ହେଉଛି ଅକ୍ଟୋବର ୨ । ଏହି ପବିତ୍ର ଦିବସରେ ଭାରତ ବର୍ଷର ଯେଉଁ ଦୁଇ ଜଣ ଯୁଗାନ୍ତକାରି ଜନନେତା ଜନ୍ମ ନେଇଥିଲେ, ସେମାନେ ହେଲେ ଜାତୀର ପିତା ତଥା ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନର ମୁଖ୍ୟ ପ୍ରଭକ୍ତା ମୋହନ ଦାସ କରମଚାନ୍ଦ ଗାନ୍ଧି (ବାପୁଜି)ଓ ଦେଶର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ । ଉଭୟଙ୍କର ରାଷ୍ଟ୍ରପ୍ରତି ଅବଦାନ ଅବର୍ଣ୍ଣନୀୟ । ପାଖରେ ଅର୍ଥ ନଥାଇ ପିଲା ବେଳେ ଗଙ୍ଗାନଦୀ ପହଁରି ପାଠ ପଢିବାକୁ ଯାଉଥିବା ଶ୍ରୀ ଶାସ୍ତ୍ରୀ ପରବର୍ତୀ ଜୀବନରେ ‘ଜୟଜବାନ ଜୟକିଷାନ’ ନାରା ଦେବା ସହିତ ସ୍ୱାଧିନ ଭାରତର ସୀମାନ୍ତକୁ ରକ୍ଷାକରିବା ଲାଗି ସାମରିକ ଯବାନମାନଙ୍କୁ ବଦ୍ଧପରିକର କରାଇବା ସହିତ ଦେଶକୁ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ସଫଳ ହୋଇଥିଲେ । ଆଉ ଯେଉଁ ଯୋଗଜନ୍ମା ଅକ୍ଟୋବର ୨ରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଆଜି ଶତତମ ଜୟନ୍ତି ପାଳନ ସହ ଏହା ଉଦ୍ୟାପିତ ହେବାକୁ ଯାଉଛି, ସେହି ମହାନ ଜନନେତା ତଥା ଜାତିର ଜନକ ରୂପେ ଖ୍ୟତ ବାପୁଜି ହେଉଛନ୍ତି ଭାରତବର୍ଷର ଏକ ଅଲିଭା ସଳିତା । ମହାତ୍ମାଗାନ୍ଧି ଯେଉଁ ଦିନ ବିର୍ଲାଭବନରେ ପ୍ରାର୍ଥନା ସଭାବେ ଆତତାୟୀ ଗୁଳିମାଡର ଶୀକାର ହୋଇ ମୃତ୍ୟୁ ବରଣ କଲେ, ସେ ଦିନ ପ୍ରଥମେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଜାତି ଉଦ୍ଦେଶ୍ୟରେ ଦେଇଥିବା ଭାଷଣର ପ୍ରଥମ ଧାଡିରେ କହିଥିଲେ, ଏ ଦେଶର ଆଲୁଅ ଲିଭିଗଲା । ଅହିଂସା ଆନ୍ଦୋଳନ ଓ ସତ୍ୟାଗ୍ରହ ମାଧ୍ୟମରେ ପରାଧିନ ଭାରତକୁ ବିଟ୍ରିଶ ଉପନିବେଶବାଦ କବଳରୁ ମୁକ୍ତି ଲାଭ କରାଇବାର ସଂଗ୍ରାମରେ ସେ ଥିଲେ ପ୍ରଧାନ ସେନାପତି । ତାଙ୍କର ବ୍ୟକ୍ତିତ୍ୱ ଏତେ ବଳିଷ୍ଟ ଓ ଉତୁଙ୍ଗ ଥିଲା ଯେ, ସେ ଯେଉଁ ଘରେ ବସୁଥିଲେ, ସେଠାକୁ ଦେଖାକରିବାକୁ ଆସି ପଣ୍ଡିତ ନେହେରୁ, ସୁବାଷ ବୋଷ ଓ ବଲ୍ଲଭ ଭାଇ ପଟେଲ ଫେରିବା ବେଳେ କେହି ଗାନ୍ଧିଙ୍କୁ ପଛକରି ଫେରନ୍ତି ନାହିଁ । ବରଂ ସମସ୍ତେ ପଛେଇପଛେଇ କବାଟ ପର୍ଯ୍ୟନ୍ତ ଆସିବା ପରେ ଦୁଆର ମୁହଁ ଟପିଲେ ମୁହଁ ବୁଲାନ୍ତି । ଗାନ୍ଧି ଥିଲେ ଭାରତୀୟ ସଂସ୍କୃତିର ଏକ ପ୍ରଚଣ୍ଡ ସମର୍ଥକ ଓ ଅନ୍ୟପଟେ ନିରପେକ୍ଷତାକୁ ସେ ସଦାସର୍ବଦା ଗୃରୁତ୍ୱ ଦେଇଆସିଥିଲେ । ଅହିଂସାକୁ ପ୍ରତିଦିନର କର୍ମକ୍ଷେତ୍ରରେ କିପରି ଶତପ୍ରତିଶତ କାର୍ଯ୍ୟକାରି କରାଯାଇପାରିବ, ସେଥିନେଇ ତାଙ୍କର ଉଦ୍ୟମ ଥିଲା ଅତୁଳନୀୟ ।