ଭାଷାଗତ ଆଂଚଳିକତା ଭାବର ପ୍ରକାଶ ମୂଳରେ ଅନେକ ରାଜ୍ୟରେ ସ୍ୱାଭିମାନ ଭାବ ରହିଥାଏ ବୋଲି କୁହାଯାଏ । ଆସାମର ବୋଡୋଠାରୁ ଆରମ୍ଭ କରି ସିଲିଗୁଡିର ଗୋର୍ଖା ଆନ୍ଦୋଳନ ପଛରେ ଏକ ବଡ କାରଣ ରହିଆସିଛି । ସେ ଦୃଷ୍ଟିରୁ ଦେଖିଲେ ଗୋଟିଏ ଗୋଷ୍ଠିକୁ ଏକାଠି ରଖିବା ପାଇଁ ଭାଷା ଏକ ମାଧ୍ୟମ ହୋଇପାରେ । କିନ୍ତୁ ପ୍ରଶାସନ, ଶାସନ, ବି·ର, ବ୍ୟାଙ୍କିଂ, ଚିକିତ୍ସା ସେବା ପରି କିଛି କ୍ଷେତ୍ର ରହିଛି ଯେଉଁଠି ସର୍ବଭାରତୀୟ ସ୍ତରର ଭାଷା ହିନ୍ଦୀ କିମ୍ବା ଇଂରାଜୀ ବ୍ୟବହୃତ ହୋଇଥାଏ । ସବୁ କ୍ଷେତ୍ରରେ ଆଂଚଳିକ ଭାଷା ହିଁ ପ୍ରୟୋଗ ହେଲେ ଯାହାର ସର୍ବଭାରତୀୟ ସ୍ତରରେ ଉପଯୋଗ ରହିଛି ସେ କ୍ଷେତ୍ରର ଲୋକେ ଏଥିରେ ଅସୁବିଧା ଭୋଗ କରିବେ । ଏବେ ଅନ୍ଲାଇନ୍ରେ କାର୍ଯ୍ୟସବୁ ସ୍ଥାନୀୟ ଭାଷାରେ ହେଲେ ସର୍ବଭାରତୀୟ ସ୍ତରର ଲୋକେ ଏହା ସହ ଯୋଡି ହୋଇପାରିବେ ନାହିଁ । ତେଣୁ ଭାଷାକୁ କେନ୍ଦ୍ରକରି ଦେଶର ରାଜ୍ୟସ୍ତରରେ ଏ ପ୍ରକାର ସଂକୀର୍ଣ୍ଣତା ଅପେକ୍ଷା ନିଜ ଭାଷାକୁ କିପରି ନିଜ ଲୋକେ ଅଧିକ ବ୍ୟବହାର କରିପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବା ଠିକ୍ କଥା ହେବ । ଯେତେବେଳେ ରାଜ୍ୟ ସରକାର ସବୁକିଛି ନିଜ ଭାଷାରେ କରିପାରୁ ନାହାନ୍ତି ସେତେ ବେଳେ ଅନ୍ୟମାନେ କରନ୍ତୁ ବୋଲି କହିବାର କିଛିମାନେ ନାହିଁ । ଦେଶରେ ଏପ୍ରକାର ଅସୁବିଧାକୁ ଲକ୍ଷ୍ୟକରି ଏକ ଭାଷାର ପ୍ରଚଳନ ପାଇଁ ଗତ କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବାକୁ ନେଇ ବିତର୍କ ହୋଇଥିଲା । ଆମ ଦେଶରେ ସଂସ୍କୃତରୁ ପ୍ରାକୃତ ଏବଂ ପ୍ରାକୃତରୁ ପ୍ରାଦେଶିକ ଭାଷା ସବୁ ଜନ୍ମ ନେଇଛନ୍ତି । ଯଦି ମୂଳଭାଷା ବୋଲି ସଂସ୍କୃତକୁ ଧରାଯାଏ ତେବେ ପୂର୍ବୀ ମାଗଧୀରୁ ଅସମୀୟା, ବଙ୍ଗଳା ଓ ଓଡ଼ିଆ ଭାଷା ଜନ୍ମ ନେଇଥିବାର କୁହାଯାଏ । ତେଣୁ ଏହି ତିନୋଟି ଭାଷାର ଶବ୍ଦଭଣ୍ଡାର ମଧ୍ୟରେ ଢେ଼ର ସାମଞ୍ଜସ୍ୟ ରହିଥିବା ମଧ୍ୟ ଦେଖାଯାଇଥାଏ । ଜଣେ ଅନ୍ୟଭାଷାର ଶବ୍ଦକୁ ବୁଝିପାରେ, ଜାଣିପାରେ । ଓଡିଶାର ଲୋକେ ଯେମିତି ସହଜରେ ବଙ୍ଗଳା ବୁଝିପାରନ୍ତି, ସେମିତି ଅସମୀୟା ଲୋକେ ମଧ୍ୟ ଓଡ଼ିଆକୁ ବୁଝିବାରେ ଅଧିକ କଷ୍ଟ ଅନୁଭବ କରନ୍ତି ନାହିଁ । ଓଡ଼ିଆ ଭାଷାର ମାଗଧୀ ସହ ସମ୍ପର୍କ ଥିଲେ ମଧ୍ୟ ଲିପି ହେଉଛି ଦ୍ରାବିଡ଼ ଭାଷା ଦ୍ୱାରା ପ୍ରଭାବିତ । ଦକ୍ଷିଣ ଭାରତର ତେଲୁଗୁ, ତାମିଲ, କନ୍ନଡ ଏବଂ ମଲୟାଲମର ଗୋଲାକାର ଲିପି ସଦୃଶ ଓଡ଼ିଆ ଲିପିର ଆକୃତି ହୋଇଥାଏ । ଏସବୁ ଭାଷା ବିକାଶର ପୃଷ୍ଠଭୂମିରେ ଏକ ସାଂସ୍କୃତିକ ମହାଭାରତୀୟ ସମ୍ପର୍କ ଯେ ରହିଛି ତାହା କେହି ଅସ୍ୱୀକାର କରିପାରିବ ନାହିଁ । କବିଗୁରୁ ରବୀନ୍ଦ୍ରନାଥ ସେହି ସାଂସ୍କୃତିକ ଏକତାକୁ ଅତି ବ୍ୟାପକ ଦୃଷ୍ଟିକୋଣ ନେଇ ଦେଖୁଥିଲେ । ବନ୍ଦେ ମାତରମ୍ ସଙ୍ଗୀତ ବଙ୍ଗଳାରେ ଲେଖା ହୋଇଥିଲେ ହେଁ ସାରାଦେଶର ଲୋକେ ଏହାକୁ ଗ୍ରହଣ କରି ନେଇଥିଲେ । ସେହିପରି ଜନଗଣମନକୁ ଆଦରି ନେଇଥିଲେ । ସେମିତି ହିନ୍ଦୀ ଭାଷା ମଧ୍ୟ ଅଂଚଳ ଭେଦରେ ଅଲଗା ଅଲଗା ରହିଛି । ଯେମିତି ରାଜସ୍ଥାନୀ ହିନ୍ଦୀ କେବେହେଲେ ଛତିଶଗଡୀ ହିନ୍ଦୀ ସହ ସମାନ ନୁହେଁ କି, ବିହାରର ହିନ୍ଦୀ ହରିୟାଣା ଓ ହିମାଚଳର ହିନ୍ଦୀ ସହ ସମାନ ନୁହେଁ । ସ୍ଥାନ ପରିବେଶରେ ଭାଷାର ରୂପ ପରିବର୍ତିତ ହେଉଥିଲେ ହେଁ ଲିପିର ଆକାର ବଦଳେ ନାହିଁ । ଲିପି ପ୍ରାଣ ସଦୃଶ ଭାଷାକୁ ବାନ୍ଧି ରଖିଥାଏ । ଗୋଟିଏ ଦେଶର ପ୍ରାଣକୁ ବାନ୍ଧିରଖିବା ପାଇଁ ଗୋଟିଏ ଭାଷା ନିହାତି ଆବଶ୍ୟକ ।