ଜନସଂଖ୍ୟା ନେଇ କେନ୍ଦ୍ରର ଆଭିମୁଖ୍ୟ

ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦୁଇ ସନ୍ତାନ ନୀତି ବାଧ୍ୟତାମୂଳକ ଭାବେ ଲାଗୁ କରିବା ସପକ୍ଷରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇବା ପରେ ଏନେଇ ଦୀର୍ଘ ବର୍ଷବର୍ଷ ଧରି ଲାଗି ରହିଥିବା ସଂଦେହର ଅବସାନ ଘଟିଛି । କେବଳ ଏତିକି ନୁହେଁ, ଦେଶର ଯେଉଁ କେତେକ ରାଜନୈତିକ ଦଳ ଦୁଇ ସନ୍ତାନ ନୀତି ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ଦାବି କରି ଆସୁଛନ୍ତି, ସେମାନଙ୍କୁ ମଧ୍ୟ ସ୍ପଷ୍ଟ ସଂକେତ ପ୍ରଦାନ କରିଛନ୍ତି ବୋଲି ନିସଂଦେହରେ ସ୍ୱୀକାର କରିବାକୁ ହେବ । କହିବା ବାହୁଲ୍ୟ ଯେ, ଦେଶରେ ଦୁଇ ସନ୍ତାନ ନୀତି ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ନିମନ୍ତେ ଜଣେ ଆଇନଜୀବି ଦାୟର କରିଥିବା ଏକ ଜନସ୍ୱାର୍ଥ ସଂବଳିତ ମାମଲାର ନୋଟିସ୍ର ଉତରରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି । ଦେଶରେ ଲୋକସଂଖ୍ୟା ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ, ଶିକ୍ଷା, ବିଶୁଦ୍ଧବାୟୁ, ଜଳ, ପୁଷ୍ଟିକର ଖାଦ୍ୟପେୟ, ବାସଗୃହ ଆଦି ମୌଳିକ ସୁବିଧା ସୁଯୋଗର ଉପଲବ୍ଧତା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ପରିବାରର ଆକାର ନିୟନ୍ତ୍ରିତ ନହେଲେ ଏହି ସମସ୍ତ ସୁବିଧା ସୁଯୋଗ ଆଶା କରିବା ବୃଥା ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ । ଏହା ନିଶ୍ଚିତ ଯେ, ଦେଶରେ ଜନସଂଖ୍ୟା ବୃଦ୍ଧି ଏବେ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି କରିଛି । ବିଶ୍ୱରେ ଜନବହୁଳ ରାଷ୍ଟ୍ର ଭାବେ ଚୀନ ପଛକୁ ଭାରତ ରହିଛି । ଦେଶର ଲୋକ ସଂଖ୍ୟା ଏବେ ୧୩୫ କୋଟିରେ ପହଞ୍ଚିଥିବା ବେଳେ ପ୍ରତିବର୍ଷ ୨.୨ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ପାଉଛି । ଦେଶର ଜନସଂଖ୍ୟା ଏବେ ଯେଉଁ ହାରରେ ବୃଦ୍ଧି ପାଉଛି, ଆଉ କିଛି ବର୍ଷ ପରେ ୨୦୧୫-୧୬ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ପ୍ରଜଜନ ହାର ଅଧିକ ରହିଛି । ସହରାଞ୍ଚଳରେ ପ୍ରଜଜନ ହାର ୧.୮ ରହିଥିବା ଗ୍ରାମାଞ୍ଚଳରେ ୨.୪ ରହିଛି । ବିଶେଷକରି ସ୍କୁଲ ଯାଇନଥିବା ଅଶିକ୍ଷିତ ମହିଳାଙ୍କ କ୍ଷେତ୍ରରେ ପ୍ରଜଜନ ହାର ୩.୪ ଥିବା ବେଳେ ଶିକ୍ଷିତ ମହିଳାଙ୍କ କ୍ଷେତ୍ରରେ ପ୍ରଜଜନ ହାର ୧.୭ ରହିଛି । ଏହା ସତ୍ୟ ଯେ, ଛୋଟ ପରିବାର-ସୁଖୀ ପରିବାର ଆଭିମୁଖ୍ୟକୁ ଶିକ୍ଷିତ ଯୁବଗୋଷ୍ଠୀ ଏବେ ଆବୋରି ନେଇଛନ୍ତି । ଏନେଇ ଶିକ୍ଷିତ ଯୁବଗୋଷ୍ଠୀ ସଚେତନ ଅଛନ୍ତି । ଏଥିରେ ଦ୍ୱିଧାର କୌଣସି ଅବକାଶ ନାହିଁ । ଆଜିର ଯୁବଗୋଷ୍ଠୀ ଏକ କିମ୍ବା ଦୁଇ ସନ୍ତାନ ଆଭିମୁଖ୍ୟକୁ ମାନସିକ ସ୍ତରରେ ଗ୍ରହଣ କରି ସାରିଛନ୍ତି । ୯୦ ଦଶକ ପୂର୍ବରୁ ଦେଶରେ ପ୍ରତିବର୍ଷ ଲୋକସଂଖ୍ୟା ଯେପରି ବୃଦ୍ଧି ପାଉଥିଲା ଆଉ ସେପରି ନାହିଁ । ଅନ୍ୟ ପକ୍ଷରେ ପରିବାର ନିୟୋଜିନ ସହ ଛୋଟ ପରିବାର ନେଇ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟ ସଫଳ ହୋଇଥିବା ନିସଂନେ୍ଦହରେ କୁହାଯାଇ ପାରିବ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦୁଇ ସନ୍ତାନ ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରିଥିଳେ । ୯୦ ମସିହା ପରେ ଦୁଇଟି ସନ୍ତାନରୁ ଅଧିକ ଥିବା ପିତାମାତା ନିର୍ବାଚନ ଲଢି ପାରିବେ ନାହିଁ ବୋଲି ଏକ ଆଇନ ପ୍ରଣୟନ କରିଥିଲେ । ପରବର୍ତୀ କାଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ରାଜ୍ୟ ସରକାର ଏହି ଆଇନକୁ ନିଜନିଜ ରାଜ୍ୟରେ ଲାଗୁ କରିଛନ୍ତି । ଯାହାକି ଛୋଟ ପରିବାର ତଥା ଜନସଂଖ୍ୟା ନିୟନ୍ତ୍ରଣ ନେଇ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଛି । ଦେଶରେ ଏବେ ପ୍ରଜଜନ ହାର ୨.୨ ଥିବା ବେଳେ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଏହି ହାର ୧.୮ ମଧ୍ୟରେ ସିମୀତ ରହିବାର ଆବଶ୍ୟକତା ରହିଛି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବାର ନିୟୋଜନ ଯୋଜନା ରହିଛି । ଯେଉଁ ଥିରେ ହିତାଧିକାରୀକୁ ଅର୍ଥରାଶି ପ୍ରଦାନ କରାଯାଏ । ଏହା ବାଦ୍ ଦୁଇ ସନ୍ତାନ ଥିବା ପରିବାର ନିୟୋଜନ ହିତାଧିକାରୀଙ୍କୁ ଗ୍ରୀନ କାର୍ଡ ପ୍ରଦାନ କରାଯାଇ ଘର ଡିହ ମାଗଣା ଯୋଗାଇ ଦିଆଯାଇଛି । ମାତ୍ର ପରିବାର ନିୟୋଜନ କାର୍ଯ୍ୟକ୍ରମ ବାଧ୍ୟତାମୂଳକ ନୁହେଁ, ଏକ ସ୍ୱେଚ୍ଛାକୃତ ଯୋଜନା । ଦେଶର ସଂବିଧାନରେ ପ୍ରତ୍ୟେକ ନାଗରୀକଙ୍କୁ ପ୍ରଦତ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଗଣତନ୍ତ୍ର ପ୍ରତି ଏହା ହେଉଛି ଏକ ଶ୍ରଦ୍ଧାଳି ବୋଲି କୁହାଯିବ । ପରିବାର ନିୟୋଜନ କାର୍ଯ୍ୟକ୍ରମ ସହ ଶିକ୍ଷା ଓ ସ୍ୱାସ୍ଥ୍ୟରଯନ୍ତ୍ର ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗରିବ ଲୋକେ ସର୍ବଦା ଅଧିକ ପିଲା ଚାହିଁଥାନ୍ତି, ଯେଉଁ ମାନେ ମୂଲ ଲାଗି ରୋଜଗାର କରିପାରିବେ , ଏହା ସେମାନଙ୍କର ଆଭିମୁଖ୍ୟ ହୋଇ ରହିଛି । ଏହା ସ୍ୱୀକାର୍ଯ୍ୟ । ଜନସଂଖ୍ୟା ନିୟନ୍ତ୍ରଣର ଉପକାର ସଂପର୍କରେ ସେମାନଙ୍କୁ ସଚେତନ କରାଯିବା ସହ ବିଭିନ୍ନ କଂଟ୍ରୀସେପସନ ବ୍ୟବସ୍ଥା ସଂପର୍କରେ ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି । ପରିବାରର ଆକାର ବ୍ୟକ୍ତିର ବ୍ୟକ୍ତିଗତ ଅଧିକାର ନେଇ କେନ୍ଦ୍ରର ଆଭିମୁଖ୍ୟ ସ୍ୱାଗତଯୋଗ୍ୟ । ଭାରତ ପରି ଏକ ଜନକଲ୍ୟାଣ ରାଷ୍ଟ୍ରରେ ଲୋକମାନଙ୍କ ଉପରେ ଧ୍ୟାନ ସର୍ବାଗ୍ରେ । ତାହା ସରକାରଙ୍କ ଆଭିମୁଖ୍ୟ ବାର୍ତା ପ୍ରଦାନ କରିଛି । କିନ୍ତୁ ଏହା ସତ୍ୟ ଯେ, ସଚେତନତା ଦ୍ୱାରା ଆମକୁ ଲୋକସଂଖ୍ୟା ନିୟନ୍ତ୍ରଣ କରିବାକୁ ହେବ ।

Leave A Reply

Your email address will not be published.

12 + eleven =